ଓଡିଶା

ବିଜ୍ଞାନ ଓ କାରିଗରୀ କୌଶଳର ସମ୍ଭାବନାକୁ ବିନିଯୋଗ କରାଯାଉ: ସୌମ୍ୟରଂଜନ

ଭୁବନେଶ୍ବର: ଖବରକାଗଜ, ପତ୍ରପତ୍ରିକା ଛାପା ସଂଖ୍ୟା କମୁଛି। ପାଠକଙ୍କ ସଂଖ୍ୟା ମଧ୍ୟ କମି କମି ଯାଉଛି। ହେଲେ ଆଗକୁ ଏହାର ମୃତ୍ୟୁ ଦେଖିବାକୁ ପଡ଼ିବା ନେଇ ସୃଷ୍ଟି ହେଉଥିବା ଆଶଙ୍କା ଭିତ୍ତିହୀନ। ହୁଏତ ସଂଖ୍ୟା କମିଯାଇ ପାରେ କିନ୍ତୁ ଛାପା ଗଣମାଧ୍ୟମର ମୃତ୍ୟୁ ନାହିଁ। ଆମେ ଗର୍ବରେ କହୁଛେ ଓଡ଼ିଆ ହଜାର ବର୍ଷର ଶାସ୍ତ୍ରୀୟ ଭାଷା। କିନ୍ତୁ ପରିବର୍ତ୍ତନ ଆହ୍ବାନରେ କାହିଁକି ଏତେ ଅସହାୟ, ଏ ସମ୍ପର୍କରେ ବିଚାର କରିବାର ଆବଶ୍ୟକତା ରହିଛି। ଆମେ ନୂଆ ଯୁଗର ଆହ୍ବାନକୁ ଗ୍ରହଣ କରିବା ପାଇଁ କିଭଳି ପ୍ରସ୍ତୁତ ହେବା, ସେ ସମ୍ପର୍କ‌ରେ ଅଧିକ ଚିନ୍ତନର ଆବଶ୍ୟକତା ଅଛି। ବିଜ୍ଞାନ ଓ କାରିଗରୀ କୌଶଳକୁ ସଙ୍କଟ ନଭାବି ସେଥିରେ ଥିବା ସମ୍ଭାବନାକୁ ବିନିଯୋଗ କରାଯାଉ। ସମାଜର ବିଶିଷ୍ଟ ବର୍ଗମାନେ ନିଜ ଘରେ ସାହିତ୍ୟିକ ଭାବ ଓ ଭାଷାକୁ ନେଇ ଉତ୍ତରପିଢ଼ିଙ୍କ ପାଇଁ ଏକ ଶୈକ୍ଷିକ ପରିବେଶ ସୃଷ୍ଟି କରନ୍ତୁ। ଆଜି ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ରତ୍ନଚିରା ପବ୍ଲିକେସନ୍ସର ପୁସ୍ତକ ଉନ୍ମୋଚନ ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।

ରତ୍ନଚିରା ପବ୍ଲିକେସନ୍ସର ପୁସ୍ତକ ଉନ୍ମୋଚନ ଉତ୍ସବ

ପୂର୍ବତନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଉପରେ ଆଲୋଚନା କରିବା ସହ ଭାଷା ମଣିଷର ସର୍ବଶ୍ରେଷ୍ଠ କୃତି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଡାକସେବା ବୋର୍ଡର ପୂର୍ବତନ ସଦସ୍ୟ ସନ୍ତୋଷ କୁମାର କାମିଲା ଯୋଗଦେଇ ଡାକସେବା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରତ୍ନଚିରା ପବ୍ଲିକେସନ୍ସ ଦ୍ୱାରା ପ୍ରକାଶିତ ରତ୍ନଚିରା ପତ୍ରିକାର ‘ଡାକବାଲା’ ବିଶେଷାଙ୍କ ଏବଂ ସୁଶ୍ରୀ ସଙ୍ଗୀତା କୁମାରଙ୍କ କବିତା ସଙ୍କଳନ ‘କେବେକେବେ ଭ୍ରମରେ ବି’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସୁଶ୍ରୀ ସଙ୍ଗୀତା କୁମାର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିବା ବେଳେ କବିତା ସଂକଳନଟିକୁ କବି ଓ ପ୍ରାବନ୍ଧିକା ଡ. ସୁଷମା ମିଶ୍ର ସମୀକ୍ଷା କରିଥିଲେ। ଏଥିସହ ସଦାନନ୍ଦ ତ୍ରିପାଠୀ, ରବି ପଣ୍ଡା, ପ୍ରଫେସର ଅଜିତ ଦାସ, ମନୋଜ ପଟ୍ଟନାୟକ, ରାଜେଶ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥି‌ଲେ। ରତ୍ନଚିରା ପବ୍ଲିକେସନ୍ସର ପ୍ରକାଶକ କରୁଣାକର ପୃଷ୍ଟି ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ‘ରତ୍ନଚିରା’ର ସମ୍ପାଦିକା ସ୍ନେହଲତା ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନିତା ରଥ ଧନ୍ୟବାଦ ଦେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button