ରାଜନୀତି

ରାଜସ୍ଥାନରେ ‘ଶିକ୍ଷକ ଅଭିନନ୍ଦନ ସମାରୋହ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

କୋଟା, ସେପ୍ଟେମ୍ବର ୦୬ – ଆମ ଦେଶରେ ଗୁରୁ ବା ଶିକ୍ଷକ ଓ ଅଭିଭାବକଙ୍କ ସ୍ଥାନ ଅନନ୍ୟ । ଶିକ୍ଷା ପରିବାରରେ ଗୁରୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି । ଆମ ସମାଜରେ ଶିକ୍ଷକ ସବୁଠୁ ଉର୍ଦ୍ଧ୍ୱରେ ଥିବା ବେଳେ ଶିକ୍ଷାର ବିଚାର, ସାରାଂଶ ମନୁଷ୍ୟକୁ ମହାନ କରିବାର ପରମ୍ପରା ବୋଲି ମଙ୍ଗଳବାର ରାଜସ୍ଥାନର କୋଟା ଠାରେ ଆୟୋଜିତ ‘ଶିକ୍ଷକ ଅଭିନନ୍ଦନ ସମାରୋହ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଏବେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅମୃତ ମହୋତ୍ସବ ପାଳନ କରୁଅଛି । ଆଗାମୀ ୨୫ ବର୍ଷ ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ । ଭାରତକୁ ବିକଶିତ ଦେଶ କରିବାର ସ୍ୱପ୍ନ ସେବେ ପୂରଣ ହେବ ଯେବେ ଦେଶର ନୂଆପିଢ଼ି ଜ୍ଞାନ ଆଧାରିତ ଅର୍ଥନୀତିର ନେତୃତ୍ୱ ନେବେ । ଯୁବପିଢ଼ିଙ୍କ ସଂକଳ୍ପ ଦ୍ୱାରା ହିଁ ଏହା ସମ୍ଭବ । ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି -୨୦୨୦(ଏନଇପି) ପ୍ରଣୟନ କରାଯାଇଛି । ଭାରତକୁ ପୁନଃ ନିର୍ମାଣ ଓ ବିଶ୍ୱଗୁରୁ କରିବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଦାର୍ଶନିକ କଳ୍ପନା ଓ ଶିକ୍ଷକ ସମାଜକୁ ଏହାର ଦାୟିତ୍ୱ ନେବାକୁ ହେବ ।

ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆହେଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମାତୃଭାଷାରେ ଅନୁସନ୍ଧାନକୁ ପ୍ରୋତ୍ସାହନ ଦିଆଯିବାର ଯୋଜନା କରାଯାଉଛି । ଓଡ଼ିଆ, ଆସାମୀ, ହିନ୍ଦି, ବାଙ୍ଗଲା ସମେତ ସବୁ ଆଞ୍ଚଳିକ ଭାଷା ଆମର ରାଷ୍ଟ୍ରୀୟ ଭାଷା । ସବୁ ଭାଷାର ସନ୍ଦେଶ ଓ ଭାବାବେଗ ସମାନ । ଏହି ସନ୍ଦେଶ ହେଉଛି ଭାରତକୁ ଗୁଲାମୀ ଶିକୁଳୀରୁ ମୁକ୍ତ କରିବା । ଶିକ୍ଷା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ହେବ । ଦେଶକୁ ଏକବିଂଶ ଶତାବ୍ଦୀରେ ବିଶ୍ୱଗୁରୁ କରିବାର ଦାୟିତ୍ୱ ଶିକ୍ଷକ ସମାଜକୁ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କ ସହ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ ଓଡ଼ିଆ ସମେତ ଅନେକ ଛାତ୍ରଛାତ୍ରୀଙ୍କ ସହ ସମବେତ ସ୍ୱରରେ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ‘ଜୟ ଜଗନ୍ନାଥ’ ଓ ‘ଭାରତ ମାତା କି ଜୟ’ ନାରାରେ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ମିଳିତ ସ୍ୱରରେ ନାରା ଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ କୋଟା ଶିକ୍ଷା ବିକାଶ ଫୋରମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାବିତ, ବରିଷ୍ଠ ନାଗରିକ ଓ ମାତୃଶକ୍ତି ସହ ଆଲୋଚନା କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button