ମହମ୍ମଦ ୟୁନୁସ୍ଙ୍କୁ ମହଙ୍ଗା ପଡ଼ିବ ଟ୍ରମ୍ପ ବିରୋଧୀ ବୟାନ: ହିନ୍ଦୁ ବିରୋଧୀ ହିଂସା ନେଇ ଚେତାବନୀ ଦେଇଥିଲେ ଟ୍ରମ୍ପ

ଢାକା: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ନେତା ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ବାଂଲାଦେଶର ଅନ୍ତରୀଣ ସରକାର ଚିନ୍ତିତ ହୋଇପଡ଼ିଛି। ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଏବଂ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରାଯିବା ମାମଲାରେ ଟ୍ରମ୍ପ୍ ଦେଇଥିବା କଡ଼ା ବୟାନ ନେଇ ବାଂଲାଦେଶ ସରକାର କିମ୍ବା ଏହାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ଟ୍ରମ୍ପଙ୍କ ଆଭିମୁଖ୍ୟ ହଇଚଇ ସୃଷ୍ଟି କରିଛି ।
ଅନ୍ୟପକ୍ଷରେ ଟ୍ରମ୍ପଙ୍କ ବିରୋଧରେ ୟୁନୁସ୍ଙ୍କ ପୂର୍ବ ବୟାନ ଏବେ ତାଙ୍କ ପାଇଁ କାଳ ହୋଇଛି। ଏଥିପାଇଁ ଟ୍ରମ୍ପ ସରକାରଙ୍କ ପକ୍ଷରୁ ତାଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି। ଶେଖ୍ ହସିନାଙ୍କୁ କ୍ଷମତାଚ୍ୟୁତ କରାଯିବା ପରେ ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରି ହୋଇଥିବା ବର୍ବର ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ ଏବଂ ଏଭଳି କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ଟ୍ରମ୍ପ ମତଦାନ ପୂର୍ବରୁ ସତର୍କ କରାଇ ଦେଇଥିଲେ।
ସୂଚନାଯୋଗ୍ୟ, ୨୦୧୬ରେ ଟ୍ରମ୍ପ ଯେତେବେଳେ ହିଲାରୀ କ୍ଲିଣ୍ଟନଙ୍କ ବିପକ୍ଷରେ ଜିତିଥିଲେ, ସେତେବେଳେ ୟୁନୁସ୍ ପ୍ୟାରିସରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ବିଜୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ଟ୍ରମ୍ପଙ୍କ ବିଜୟକୁ ଆମେରିକା ଗଣତନ୍ତ୍ର ପାଇଁ ଏକ କଳାବାଦଲ ବୋଲି କହିବାକୁ ୟୁନୁସ୍ ପଛାଇ ନଥିଲେ। ଏବେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିଷୟରେ ଟ୍ରମ୍ପଙ୍କ ମନ୍ତବ୍ୟ ନେଇ ୟୁନୁସ୍ କିଛି ବୟାନ ଦେବାକୁ ଭୟ କରୁଥିବା କୁହାଯାଉଛି। ଏହି କାରଣରୁ ଟ୍ରମ୍ପଙ୍କ ବୟାନ ନେଇ ଅନ୍ତରୀଣ ସରକାରର କୌଣସି ନେତା ବି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ଯଦି ହସିନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଟ୍ରମ୍ପ କୌଣସି ପଦକ୍ଷେପ ଗ୍ରହଣ କରନ୍ତି ତା’ହେଲେ ବାଂଲାଦେଶରେ ଭୀଷଣ ଅସ୍ଥିରତା ସୃଷ୍ଟିହେବ ଏବଂ ଅନ୍ତରୀଣ ସରକାର ଗୃହଯୁଦ୍ଧର ସମ୍ମୁଖୀନ ହୋଇପାରେ ବୋଲି ମଧ୍ୟ କେତେକ ମହଲ ମତ ରଖିଛନ୍ତି। ହସିନା ଟ୍ରମ୍ପଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇବା ପରେ ଢାକାରେ ଆୱାମୀ ଲିଗ୍ ସକ୍ରିୟ ହୋଇଉଠିଛି ଏବଂ ତାଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ଦଳ ଦାବି କରିଛି। ହସିନାଙ୍କ ଇସ୍ତଫା ପରେ ଅନ୍ତରୀଣ ସରକାର ହିନ୍ଦୁଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ପରୋକ୍ଷରେ ସମର୍ଥନ କରିବା ଏବଂ ହିନ୍ଦୁଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିବା ଆରମ୍ଭ କରିଥିବାରୁ ଭାରତ ମଧ୍ୟ ଏହାର ଜୋରଦାର ବିରୋଧ କରିଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଥିବା ଘନିଷ୍ଠତା ନେଇ ମଧ୍ୟ ବାଂଲାଦେଶ ସରକାର ଆତଙ୍କିତ ହୋଇପଡ଼ିଛି ।