ଓଡିଶା

ବିଡିଏକୁ ବିଏସ୍‌ଏବିଟି ବୋଝ: ଆୟ ପାଇଁ ବାଟ ବନ୍ଦ ରଖିଛନ୍ତି ଅଧିକାରୀ

ଭୁବନେଶ୍ୱର: ବିଶ୍ବସ୍ତରୀୟ ବରମୁଣ୍ଡା ବସ୍ଷ୍ଟାଣ୍ଡ ବା ବିଏସ୍ଏବିଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୧୮୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ବିଡିଏ ଏହାକୁ ନିର୍ମାଣ କଲା। ରକ୍ଷଣାବେକ୍ଷଣ ପାଇଁ ବର୍ଷକୁ ଏବେ ୧କୋଟି ୨୦ ଲକ୍ଷ ଖର୍ଚ୍ଚ କରୁଛି। ହେଲେ ଏଥିରୁ ୧ଟଙ୍କା ୨୦ ପଇସା ବି ଆସୁନି। ଯେଉଁଥିରୁ ରୋଜଗାର ହୋଇଥାନ୍ତା ବା ଯେତିକି ଖର୍ଚ୍ଚ ହେଉଛି ତାହା ଉଠି ଯାଇଥାନ୍ତା, ତାହାର ବ୍ୟବସ୍ଥା କରୁନାହିଁ।

ନିର୍ବାଚନ ପୂର୍ବରୁ ଉଦ୍ଘାଟନ ପାଇଁ ଯେଉଁ ତତ୍ପରତା ପ୍ରକାଶ ପାଇଥିଲା ତାହା ଆଉ ନାହିଁ। ଯେତିକି କାମ ହୋଇଥିଲା ସେତିକିରେ ଅଟକିଛି। ନା ଦୋକାନ ଖୋଲି ପାରୁଛି ନା ଡର୍ମିଟୋରି। ଯେଉଁଥିରୁ କିଛି ଅର୍ଥ ଆସିବା କଥା ସେହି ସବୁ ବାଟ ବନ୍ଦ ହୋଇ ରହିଛି। ଏଥିପାଇଁ କେହି ତତ୍ପରତା ପ୍ରକାଶ କରୁନାହାନ୍ତି। ଫଳରେ ଏହି ବସ୍ଷ୍ଟାଣ୍ଡ ଏବେ ବିଡିଏକୁ ବୋଝ ହୋଇଯାଇଛି। କେବଳ ସେତିକି ନୁହେଁ, ବିଡିଏରେ ଚାକିରି କରିଥିବା ଅଧିକାରୀ ଓ କର୍ମଚାରୀ ବିଡିଏ ଛାଡ଼ି ଏଠାରେ ପଡ଼ି ରହିଛନ୍ତି। ତେଣେ ଜଣେ ଜଣେ ଅଧିକାରୀ ଏକାଧିକ ଦାୟିତ୍ବରେ ରହିଥିବାରୁ କାମ ମଧ୍ୟ ହେଉ ନାହିଁ। ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ନାମରେ ବିଡିଏର ଏକ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା ରହିଛି। ଯେଉଁଥିରୁ ଅର୍ଥ ଖର୍ଚ୍ଚ କରାଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଏ। ଏଥିରେ ମଧ୍ୟ କଟକଣା ରହିଛି।

ବର୍ଷକୁ ଖର୍ଚ୍ଚ ୧୪ କୋଟି, ୧୪ ଟଙ୍କା ଆସୁନି
ଆୟ ପାଇଁ ବାଟ ବନ୍ଦ ରଖିଛନ୍ତି ଅଧିକାରୀ

ଯେଉଁ ଜମି ବିଡିଏକୁ ସରକାର ମାଗଣାରେ ଦେଇଥିବେ, ସେଥିରେ ଯେଉଁ ଭିତ୍ତିଭୂମି ପ୍ରସ୍ତୁତ ହେବ ବା ଆୟ ହେବ ସେହି ସବୁ ଅର୍ଥ ଏହି ପାଣ୍ଠିରେ ଜମା ହେବ। କିନ୍ତୁ ବିଡିଏ କିଣିଥିବା ଜମିରେ ପ୍ରସ୍ତୁତ ପ୍ରକଳ୍ପରୁ ହେଉଥିବା ଆୟ ମଧ୍ୟ ଏହି ପାଣ୍ଡିରେ ଜମା ହେଉଥିବା ଅଭିଯୋଗ ହୋଇଛି। ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ସୂଚନା ମୁତାବକ, ଅଧିକାରୀମାନେ ଏହି ପାଣ୍ଠିରେ ଅର୍ଥ ଜମା କରିବା ପାଇଁ ଏଭଳି ଅନେକ ବାଟ ବାହାର କରିଛନ୍ତି। ଏହି ପାଣ୍ଠି ପାଇଁ ଯେଉଁ କଟକଣା ରହିଛି ବା ନିର୍ଦ୍ଦେଶାବଳୀ ରହିଛି ତାହାକୁ ଉଲ୍ଲଂଘନ କରି ପାଣ୍ଠିରେ ବିଡିଏ ଅର୍ଥ ଜମା କରୁଛନ୍ତି। ଏହାକୁ ଭିତ୍ତିଭୂମି ପ୍ରସ୍ତୁତ ନାଁରେ ଖର୍ଚ୍ଚ କରୁଛନ୍ତି। ଯେତେ ଖର୍ଚ୍ଚ ହେବ ସେତେ ପିସି ଆସିବ। ଏଣୁ ଏହି ପାଣ୍ଠି ଭର୍ତ୍ତି କରିବା ପାଇଁ ଆପ୍ରାଣ ଉଦ୍ୟମ ଚାଲିଛି। ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍ସନ୍ ଦେବାକୁ ଅର୍ଥ ନାହିଁ। ସବୁର ଖୋଳତାଡ଼ ହେଲେ ବିଡିଏର ଆୟ ବଢ଼ିବ ତା ସାଙ୍ଗକୁ ପାଣ୍ଠିରେ ଅର୍ଥ ମଧ୍ୟ ବଢ଼ିବ। ବିଡିଏ ଭୁବନେଶ୍ବରରେ ୧୯ ଖେଳ ପଡ଼ିଆର ଉନ୍ନତୀକରଣ କରିଛି। ଏଥିରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାର କୌଣସି କାରଣ ନାହିଁ। କ୍ରୀଡ଼ା ବିଭାଗ ଏହାର ଉନ୍ନତୀକରଣ କରିବା କଥା। ଏଭଳି ଅନେକ ଉଦାହରଣ ରହିଛି ଯେଉଁଥିରେ ବିଡିଏ ଅନାବଶ୍ୟକ ଖର୍ଚ୍ଚ କରିଛି ଏବଂ କରୁଛି।

୨୦୨୦ ଅଗଷ୍ଟ ୨୩ରେ ଏହି ବସ୍ଷ୍ଟାଣ୍ଡ୍ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଦୁଇବର୍ଷ ମଧ୍ୟରେ ସରିବା କଥା, ହେଲେ ୨୦୨୪ରେ ଉଦ୍ଘାଟନ ହେଲା। ପ୍ରଥମେ ୧୬୦ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଖର୍ଚ୍ଚ ବଢ଼ି ବଢ଼ି ୧୮୦ କୋଟିରେ ପହଞ୍ଚିଥିଲା। ବସ୍ଷ୍ଟାଣ୍ଡ ନିକଟରେ ଥିବା ଟାଟା କମ୍ପାନର ୱାର୍କସପ୍ର ଜମିକୁ ଅଧିଗ୍ରହଣ କରାଗଲା। ପୂର୍ବରୁ ବସ୍ଷ୍ଟାଣ୍ଡର ୧୭.୩୨ ଏକର ଜମି ଥିବା ବେଳେ ଅଧିଗ୍ରହଣ ହୋଇଥିବା ଜମିର ପରିମାଣ ୩.୫ ଏକର ଥିଲା। କିନ୍ତୁ ୬ ମାସ ପୂରିଗଲା। ହୋଇ ପାରିଲା ନାହିଁ। ୩ ମହଲା ବଶିଷ୍ଟ ଏହି ବସ୍ଷ୍ଟାଣ୍ଡରେ ୧୨୨ଟି ଦୋକାନ ଘର ରହିଛି। ଏହି ବସ୍ଷ୍ଟାଣ୍ଡ ପାଇଁ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଏଠାରେ ଥଇଥାନ କରାଯିବା କଥା। ହେଲେ ତାହା ମଧ୍ୟ ହୋଇ ପାରୁ ନାହିଁ। ଦୋକାନ ସେମିତି ଖାଲି ପଡ଼ିଛି। ବ୍ୟବହାର ପୂର୍ବରୁ ମରାମତି ହେବାକୁ ବସିଲାଣି। ସେହିଭଳି ପ୍ରି ପେଡ୍ ଅଟୋ ବ୍ୟବସ୍ଥା କରିବାକୁ ଯୋଜନା ହୋଇଥିଲା। ତାହା ମଧ୍ୟ ସଫଳ ହେଲା ନାହିଁ। ଆୟ ବନ୍ଦ କରିବାକୁ ଅଧିକାରୀମାନେ ଯେମିତି ବାଟ ବନ୍ଦ କରି ରଖିଥିବା ଅନୁମେୟ ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button