୫୦୦ ଟଙ୍କା ପାଇଁ ୮ ବର୍ଷ ଧରି ପୁଲିସକୁ ହଇରାଣ କରିବା ଅଭିଯୋଗରେ ମିଳିଲା ଦଣ୍ଡ – Utkal Mail
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ଖଜୁରୀଖାସ୍ ଅଞ୍ଚଳରେ ଏକ ଛୋଟ ଘଟଣାକୁ ନେଇ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଝଗଡା ହୋଇଥିଲା। ତେବେ ଏହି ଦୁଇ ବ୍ୟକ୍ତି ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ | ପୁଲିସ ଦୁଇଜଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ସେମାନେ ମାନିନଥିଲେ | ଆଉ ଏହା ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। ଏହି ବିବାଦ ଗତ ଆଠ ବର୍ଷ ଧରି କୋର୍ଟରେ ଚାଲିଥିଲା। ଏହି ସମୟରେ, ଦିଲ୍ଲୀ ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା ଏବଂ କୋର୍ଟ ପ୍ରକ୍ରିୟାରେ ବ୍ୟସ୍ତ ରହିଲା । ବର୍ତ୍ତମାନ ଉଭୟ ପକ୍ଷ ପରସ୍ପର ମଧ୍ୟରେ ଆପୋଷ ବୁଝାମଣା କରିଥିବାବେଳେ ମାମଲା ବନ୍ଦ କରିବାକୁ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ | ତେବେ ଏହି ପିଟିସନ ଏବେ ଉଭୟ ପକ୍ଷଙ୍କ ପାଇଁ ବୁମେରାଙ୍ଗ ସାବ୍ୟସ୍ତ ହୋଇଛି | ଏହି ମାମଲାରେ ଅଭିଯୋଗକାରୀମାନେ ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ ସେମାନେ ଆଉ ମାମଲା ବଢାଇବାକୁ ଚାଁହୁନାହାନ୍ତି |
ଏହି ଆବେଦନ ପାଇବା ପରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସୌରଭ ବାନାର୍ଜୀ କହିଛନ୍ତି ଯେ ଏହି ମାମଲାରେ ଦିଲ୍ଲୀ ପୁଲିସର ଆଠ ବର୍ଷ ସମୟ ନଷ୍ଟ ହୋଇଛି। ତେଣୁ ମାମଲାକୁ ଯଦିଓ ଖାରଜ କରିଦିଆଯିବ କିନ୍ତୁ ଉଭୟଙ୍କୁ ଦିଲ୍ଲୀ ପୁଲିସ କଲ୍ୟାଣ ସୋସାଇଟି ଫଣ୍ଡରେ ୧୦୦୦୦ ଟଙ୍କା ଜମା କରିବାକୁ ପଡିବ | ଏକ ସପ୍ତାହ ମଧ୍ୟରେ ଏହି ରାଶି ଜମା କରିବା ସହ ଏହାର ରସିଦ ପୁଲିସ ଅଧିକାରୀଙ୍କୁ ଦେବାକୁ କୁହାଯାଇଛି। ଏଥିସହ ହାଇକୋର୍ଟ ଉଭୟ ଅଭିଯୋଗକାରୀଙ୍କୁ ଖଜୁରୀଖାସ ପୁଲିସ ଷ୍ଟେସନରେ ୪୫ ଦିନ କାମ କରିବାକୁ ପଡିବ ବୋଲି ରାୟ ଦେଇଛନ୍ତି | ପୁଲିସଠାରୁ ମିଳିଥିବା ସୂଚନା ମୁତାବକ ଅଭିଯୋଗକାରୀ ହସମୁଦ୍ଦିନ, ସାଲାଉଦ୍ଦିନଙ୍କ ଠାରୁ ୫୦୦ ଟଙ୍କା ଋଣ ନେଇଥିଲେ। ହସମୁଦ୍ଦିନ ଟଙ୍କା ଫେରସ୍ତ କରିପାରିନଥିଲେ | ଆଉ ଏହାପରେ ଏପ୍ରିଲ ୧୭, ୨୦୧୫ରେ, ସାଲାଉଦ୍ଦିନ ତାଙ୍କ ଭାଇମାନଙ୍କ ସହିତ ମିଶି ଟଙ୍କା ଫେରସ୍ତ ନକରିବାରୁ ହସମୁଦ୍ଦିନଙ୍କୁ ଆକ୍ରମଣ କରିଥିଲେ | ଏହାପରେ ଉଭୟ ପକ୍ଷ ଥାନାରେ ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ | ଆଉ କେହି ନ ବୁଝିବାରୁ ୮ ବର୍ଷ ଯାଏଁ ମାମଲା ଚାଲିଥିଲା |