ଆନନ୍ଦପୁର ମହାବିଦ୍ୟାଳୟର ନୂତନ ଗ୍ରନ୍ଥାଗାର, ବିଜ୍ଞାନ ଭବନ ବିଧାୟକଙ୍କ କର କମଳରେ ଶୁଭ ଉଦ୍ଘାଟନ
ଆନନ୍ଦପୁର ୧୧/୦୯/୨୦୨୨ – ଆନନ୍ଦପୁର ମହାବିଦ୍ୟାଳୟର ନୂତନ ଗ୍ରନ୍ଥାଗାର, ବିଜ୍ଞାନ ଭବନ ଓ ସମ୍ମୁଖ ଗେଟ୍କୁ ୯ତାରିଖ ଶୁକ୍ରବାର ଦିନ ଆନନ୍ଦପୁର ବିଧାୟକଙ୍କ କର କମଳରେ ଶୁଭ ଉଦ୍ଘାଟନ ହୋଇଯାଇଛି । ଆନନ୍ଦପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ଡ଼ଃ. ଦିଲ୍ଲିପ୍ କୁମାର ଦାଶଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀ ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଓଡ଼ିଶା ସରକାର ମହାବିଦ୍ୟାଳୟରେ ନୂତନ ଗ୍ରନ୍ଥାଗାର ପାଇଁ ୧କୋଟି ୫୦ଲକ୍ଷ ଟଙ୍କା ଅନୁମୋଦନ କରିଥିଲେ । ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ବିଶ୍ୱ ବ୍ୟାଙ୍କର ସହାୟତାରେ ୨କୋଟି ୯୨ଲକ୍ଷ ଟଙ୍କା ଅନୁମୋଦନରେ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ରସାୟନ ବିଜ୍ଞାନ ବିଭାଗର ବିଜ୍ଞାନାଗାର ନିର୍ମାଣ ହୋଇଥିଲା । ଦୀର୍ଘ ବର୍ଷ ଧରି ମହାବିଦ୍ୟାଳୟର ସମ୍ମୁଖ ଗେଟ୍ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବେଳେ ଓଡ଼ିଶା ସରକାର ଓ ମହାବିଦ୍ୟାଳୟର ଉଦ୍ୟମରେ ଏକ ଆକର୍ଷଣୀୟ ମୁଖ୍ୟ ଫାଟକ ନିର୍ମାଣ ହୋଇଛି । ଏହି ଅବସରରେ ଶୁକ୍ରବାର ଦିନ ବିଧାୟକ ଶ୍ରୀଯୁକ୍ତ ସେଠୀ ଓ ଉପ-ଜିଲ୍ଲାପାଳ ଅନିଲ କୁମାର ସେଠୀ ଆନୁଷ୍ଠାନିକ ଭାବେ ନବ ନିର୍ମିତ ବିଜ୍ଞାନାଗାର, ଗ୍ରନ୍ଥାଗାର ଓ ସମ୍ମୁଖ ଗେଟ୍କୁ ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ମହାବିଦ୍ୟାଳୟର ବରିଷ୍ଠ ପ୍ରଧ୍ୟାପକ ପ୍ରଦିପ୍ ଧଳ, କୃଷ୍ଣଚନ୍ଦ୍ର ମହାନ୍ତ, ଶେଖର ଦେବତା, ଅନନ୍ତ ଚରଣ ମହାନ୍ତି, ଶକ୍ତି ପ୍ରସାଦ ମହାପାତ୍ର, ଶିବ ଚରଣ ବେହେରା, ରବୀନ୍ଦ୍ର ନାୟକ, ଶ୍ରୀଲେଖା ସାହୁ, ପ୍ରଫୁଲ୍ଲ ପଣ୍ଡା, ରଘୁଦିପ୍ତି ନାୟକ, ସଙ୍ଘମିତ୍ରା ରାଉତ, ନିମାଇଁ ଚରଣ ରାଉତ, ଦିବ୍ୟଲୋଚନ ଭୁୟାଁ, ଅନିତା ଦାଶ, ଉପେନ୍ଦ୍ର ମିଶ୍ରଙ୍କ ସହ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।