ବିଚାର

ନାଗ ଭଳି ବିଷାକ୍ତ ସାପ କାମୁଡ଼ାରୁ ବଞ୍ଚିବା କଣ ସମ୍ଭବ ? ଜାଣନ୍ତୁ ଏହା ପଛର ସତ

‘ସାପ’ ନାଁ ଶୁଣୁ ଶୁଣୁ ହିଁ ମନରେ ଭୟ ଆସେ । ଆପଣମାନେ ଅନେକ ପ୍ରଜାତିର ସାପ ଦେଖଥିବେ ଓ ସେମାନଙ୍କ ବିଷୟରେ ଜାଣିଥିବେ ମଧ୍ୟ । ସାପ ପ୍ରତି ଲୋକଙ୍କ ଭୟ କେଉଁ ଯୁଗରୁ ରହିଛି ତାର ହିସାବ ନାହିଁ । ସାପମାନଙ୍କ ବିଷୟରେ ଭିନ୍ନ ଭିନ୍ନ କାହାଣୀ ମଧ୍ୟ ରହିଛି । ସବୁ ସାପ ଭିତରୁ ନାଗ ସାପ କଥା କହିଲେ ଲୋକେ ଛାନିଆ ହୋଇଯାଆନ୍ତି । କାହିଁକି ନା ନାଗକୁ ଦୁନିଆର ସବୁଠାରୁ ବିଷଧର ସାପ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ଏହା ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଭାରତରେ ସବୁଠି ଦେଖାଯାଏ । ଏହା କେବଳ ବିଷାକ୍ତ ନୁହେଁ ବରଂ ଦ୍ରୁତଗତିରେ ଦୌଡ଼ିପାରୁଥିବା ସାପ ମଧ୍ୟରୁ ଅନ୍ୟତମ ।

କୁହାଯାଏ ଯେ ଏହା ସ୍ଥଳଭାଗରେ ଦ୍ରୁତ ଗତିରେ ଦୌଡ଼ିପାରେ ଏବଂ ପାଣିରେ ଭଲରେ ପହଁରିପାରେ । କିଛି ଲୋକଙ୍କୁ ନାଗ ସାପ କାମୁଡ଼ିଥିଲେ ବି ସେମାନେ ବିନା  କୌଣସି ଚିକିତ୍ସାରେ ବଞ୍ଚିଯାଆନ୍ତି । କିଛି ଲୋକଙ୍କୁ ସାପ କାମୁଡ଼ିଲେ ସେମାନେ ହସ୍ପିଟାଲ ଯିବା ବଦଳରେ ଝଡ଼ାଫୁଙ୍କାକୁ ବିଶ୍ବାସ କରି ଗୁଣିଆ ପାଖକୁ ଯାଆନ୍ତି । ଅନେକ ସମୟରେ କିଛି ଲୋକ ଠିକ୍ ବି ହୋଇଯାଆନ୍ତି । କିନ୍ତୁ କେମିତି ସାପ କାମୁଡ଼ାରୁ ବଞ୍ଚି ଯାଆନ୍ତି ଲୋକେ ? ନାଗ ଭଳି ବିଷାକ୍ତ ସାପ କାମୁଡ଼ାରୁ ବଞ୍ଚିବା କଣ ସତରେ ସମ୍ଭବ ? ଆସନ୍ତୁ ଜାଣିବା ଚିକିତ୍ସା ବିନା ଲୋକମାନେ କିପରି ନାଗ କାମୁଡ଼ାରୁ ବଞ୍ଚିଯାଆନ୍ତି । ଏହା ପଛରେ କୌଣସି ସତ୍ୟତା ଅଛି ନା ଝଡ଼ାଫୁଙ୍କା ଏଥିରେ ସାହାଯ୍ୟ କରେ ?

ନାଗ ସାପ ବେଳେବେଳେ ଭିନ୍ନ ଆଚରଣ କରେ, ଯାହାକୁ ଫଲ୍ସ ବାଇଟ୍ ବା ମିଛ କାମୁଡ଼ା କୁହାଯାଏ । ଏକଥା ହୁଏତ ଆପଣ କେବେ ଶୁଣି ନଥିବେ । କିନ୍ତୁ ସାପମାନେ ବି ଏଭଳି ଆଚରଣ କରି ଲୋକଙ୍କୁ କାମୁଡ଼ନ୍ତି ସତ କିନ୍ତୁ ସେମାନେ ମଣିଷ ଶରୀରରେ ବିଷ ଛାଡ଼ନ୍ତିନି । କାରଣ ନାଗ ସାପ ନିଜ ବିଷକୁ ସବୁବେଳେ ନଷ୍ଟ କରିନଥାଏ । ଏହା ପଛରେ ବି ଏକ ଖାସ୍ କାରଣ ରହିଛି । ନାଗର ବିଷ ଏହାର ପାଚନ କ୍ରିୟାକୁ ପ୍ରଭାବିତ କରେ ଏବଂ ଯଦି ସାପ ନିଜ ବିଷକୁ ଅତ୍ୟଧିକ ବ୍ୟବହାର କରେ, ତେବେ ସାପକୁ ଖାଦ୍ୟ ହଜମ କରିବାରେ ଅସୁବିଧା ହୁଏ । ତେଣୁ ଅନେକ ସମୟରେ ଏହା ମଣିଷ ତଥା ଅନ୍ୟ ଜୀବ ଯନ୍ତୁଙ୍କୁ କାମୁଡ଼ିଥାଏ ସତ କିନ୍ତୁ ବିଷ ଛାଡ଼େ ନାହିଁ । ଏହି କାରଣରୁ ଲୋକମାନେ ଚିକିତ୍ସା ବିନା ବି ନାଗ କାମୁଡ଼ାରୁ ସୁସ୍ଥ ହୋଇଯାଆନ୍ତି । ଆଉ ଗୁଣିଆମାନେ ବି ଏହାର ଭରପୁର ଫାଇଦା ଉଠାନ୍ତି । ଝଡ଼ାଫୁଙ୍କା ଯୋଗୁଁ ଏହାକୁ ଚମତ୍କାର ବୋଲି ଭାବି ଦିଅନ୍ତି ନିରୀହ ଜନ ସାଧାରଣ । କିନ୍ତୁ ବାସ୍ତବରେ ସାପର ଫଲ୍ସ ବାଇଟ୍ ଯୋଗୁଁ ମଣିଷ ନାଗ ଭଳି ସାପ କାମୁଡ଼ାରୁ ଅତି ସହଜରେ ବଞ୍ଚିଯାଏ ।

ଏବେ ଗାଁ ମାନଙ୍କରେ ସାପ କାମୁଡ଼ିଲେ ଲୋକ ଗୁଣିଆ ପାଖକୁ ଯାଇ ଝଡ଼ାଫୁଙ୍କା ଉପରେ ବିଶ୍ବାସ କରନ୍ତି ।  ଏହାର ଏକ ବଡ଼ କାରଣ ହେଉଛି ଭାରତରେ ମିଳୁଥିବା ପ୍ରାୟ ୯୫ ପ୍ରତିଶତ ସାପ ବିଷାକ୍ତ ନୁହେଁ । ଅର୍ଥାତ୍ ଅଧିକାଂଶ ସାପ କାମୁଡ଼ା ମାରାତ୍ମକ ହୋଇନଥାଏ । ତେବେ ବିଷ ନଥିବା ସାପ ମଣିଷକୁ କାମୁଡ଼ିବା ପରେ ଯଦି ଗୁଣିଆ ସାହାଯ୍ୟ ନିଆଯାଏ ଆଉ ସେହି ବ୍ୟକ୍ତି ବଞ୍ଚି ଯାଆନ୍ତି, ତେବେ ଗୁଣିଆ ଉପରେ ଲୋକ ବିଶ୍ବାସ କରିବା ଆରମ୍ଭ କରି ଦିଅନ୍ତି । କିନ୍ତୁ ଆପଣ ଯେମିତି ଏଭଳି ଭୁଲ ନକରନ୍ତି । ଯଦି ଆପଣଙ୍କ ଆଖପାଖରେ କାହାକୁ ସାପ କାମୁଡ଼ୁଛି, ତେବେ  ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରାନ୍ତୁ । ଗୁଣିଆ କି ଝଡ଼ାଫୁଙ୍କା ଉପରେ ବିଶ୍ବାସ କରି ରୋଗୀର ଜୀବନକୁ ବିପଦରେ ପକାନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button