ଦେଶ ବିଦେଶ

ସାରା ଦେଶରେ ପ୍ରସିଦ୍ଧି ହାସଲ କରିଛି ଗଣେଶ ପୂଜାର ଏହି ଆଜ୍ଞା ଲଡ଼ୁ, ଆଜି ହେବ ନିଲାମ

ତାଳଚେରରେ ଧୁମଧାମରେ ପାଳନ ହେଉଛି ଗଣେଶ ପୂଜା । ଏହା ତାଳଚେରର ଗଣପର୍ବ ହୋଇଥିବାରୁ ସବୁଠି ଦେଖିବାକୁ ମିଳୁଛି ଉତ୍ସାହର ମାହୋଲ । ଏଥର ଅଞ୍ଚଳରେ ୧୦୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ । ତେବେ ଏନେଇ ଚଳଚଞ୍ଚଳ ହୋଇଉଠିଛି ତାଳଚେର ସହର । ଚଳିତ ବର୍ଷ ପୂଜା ୨୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା କାଲି ଅର୍ଥାତ ଇନ୍ଦୁ ପୂର୍ଣ୍ଣିମା ଦିନ ଭସାଣି କାର୍ଯ୍ୟକ୍ରମ ଥିବାରୁ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ସମସ୍ତ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ ।

ତେବେ ତାଳଚେର ଗଣେଶ ପୂଜା ଯେତିକି ପ୍ରସିଦ୍ଧ ତାଠାରୁ ଅଧିକ ପ୍ରସିଦ୍ଧି ଲାଭ କରିଛି ତାଳଚେର ଗଣେଶ ପୂଜାର ଆଜ୍ଞାଲଡୁ । ଗତ ବର୍ଷ ତାଳଚେର ଗଣେଶ ପୂଜାରେ ୩୫ କ୍ୱିଣ୍ଟାଲ ଓଜନର ଲଡୁ ନିଲାମ କରା ଯାଇଥିଲା । ଯାହାକି ରେକର୍ଡ ମୂଲ୍ୟ ୧୯ ଲକ୍ଷ ୫୦ ହଜାର ଟଙ୍କାରେ ନିଲାମ ହୋଇଥିଲା । ତାଳଚେର ଟି.ଏସ.ଏସ ଗ୍ରୁପ ଅନୁଷ୍ଠାନ ନିଲାମ ନେଇଥିବା ବେଳେ ଏତେ ବଡ଼ ଲଡୁ ଆଉ ଏତେ ଟଙ୍କାରେ ନିଲାମ ହୋଇ ସାରା ଦେଶରେ ରେକର୍ଡ଼ ସୃଷ୍ଟି କରିଥିଲା ।

ଚଳିତ ବର୍ଷ ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟି ପୂର୍ବ ବର୍ଷର ରେକର୍ଡ କାଟିବାକୁ ଲକ୍ଷ ରଖିଛି । ଆଉ ଏଥିପାଇଁ ପ୍ରସ୍ତୁତ ସରିଛି ୪୦ କ୍ୱିଣ୍ଟାଲ ଓଜନର ଲଡୁ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ ଲଡୁ ତିଆରି କରି ନିଲାମ କରାଯିବାର ବ୍ୟବସ୍ଥା କରାଯାଇଛି । ବୁଟ ପେଶା ଯାଇ ବେଶନ ତିଆରି କରାଯାଇଛି । ସେହି ଅରିଜିନାଲ ବେସନରେ ୭୫% ଘିଅ ୨୫ % ତେଲ ଦେଇ ତିଆରି ଚାଲିଛି ଲଡୁ । ପ୍ରାୟ ୨୫ ଜଣ କାରିଗର ଏହି ଲଡୁ ତିଆରି କରୁଥିବା ବେଳେ କାଜୁ, କିସମିସ, ପିସ୍ତା ବାଦାମ, କେଶର, ଗୁଲାପ ଜଳ ଆଦି ବ୍ୟବହାର କରାଯାଇଛି ।

୪ ଦିନ ଧରି ଏହି ଲଡୁ ତିଆରି ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଏହାର ନିଲାମ ଡକାଯିବ । ଯାହାକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏହାକୁ ଆଖି ଆଗରେ ରଖି ପୋଲିସ, ପ୍ରଶାସନ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button