୨ଥର ଛାଡ଼ପତ୍ର ହେବାରୁ କଳିଯୁଗରେ ରାଧାରାଣୀ ମିଳିବା କଷ୍ଟ ବୋଲି କହିଲେ ପରଦାର ପ୍ରଭୁ ଶ୍ରୀକୃଷ୍ଣ – Utkal Mail
ମୁମ୍ବାଇ: ୨ଥର ଛାଡ଼ପତ୍ର ହେବାରୁ କଳିଯୁଗରେ ରାଧା ରାଣୀ ମିଳିବା କଷ୍ଟ ବୋଲି କହିଲେ ପରଦାର ପ୍ରଭୁ ଶ୍ରୀକୃଷ୍ଣ। ବି.ଆର ଚୋପ୍ରାଙ୍କ ଧାରାବାହିକ ‘ମହାଭାରତ’ରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ନଜର ଆସିଥିବା ଅଭିନେତା ନୀତୀଶ ଭରଦ୍ୱାଜ ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁଲମ ଖୁଲା ଆଲୋଚନା କରିଛନ୍ତି। ଅନେକ ଉତଥାନ-ପତନ ଦେଇ ନୀତୀଶ ଆଗକୁ ବଢ଼ିଥିବା ବେଳେ ୨ଥର ତାଙ୍କର ଛାଡ଼ପତ୍ର ହୋଇଛି। ବିବାହର ୧୪ବର୍ଷ ପରେ ମୋନିଶା ପାଟିଲଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ୨୦୦୯ରେ ସେ ପୁଣି ସ୍ମିତା ଗାଟେଙ୍କ ସହିତ ବିବାହ କରିଥିଲେ। ହେଲେ ୧୦ବର୍ଷ ପରେ ୨୦୧୯ରେ ତାଙ୍କର ଦ୍ୱିତୀୟ ବିବାହ ମଧ୍ୟ ଭାଙ୍ଗିଯାଇଥିଲା।
ଏବେ ନୀତୀଶ ଏକା ରହୁଥିବା ବେଳେ ଏବେ ବି ଭଲପାଇବା ଉପରେ ତାଙ୍କର ବିଶ୍ବାସ ରହିଛି କି ନାହିଁ ପ୍ରଶ୍ନ କରାଯିବାରୁ ସେ ହସି ହସି ହଁ ବୋଲି କହିଥିଲେ। ସେ କହିଥିଲେ, ଭଲପାଇବା ଉପରେ ଭରସା ଅଛି। ହେଲେ ଏପର୍ଯ୍ୟନ୍ତ ପାଇନାହିଁ। ଏବେ ବି ଖୋଜୁଛି। ହୁଏତ କୃଷ୍ଣ ମୋତେ ବୈରାଗ୍ୟ ଆଡକୁ ନେଉଛନ୍ତି। ଯାହାର ଅର୍ଥ ନିଃସ୍ୱାର୍ଥପରତା। ଏହି କଳିଯୁଗରେ ରାଧା ରାଣୀଙ୍କୁ ଖୋଜିବା କଷ୍ଟକର।
ସେ ଆହୁରି କହିଥିଲେ ଯେ, ବିବାହ ପରେ ଛାଡ଼ପତ୍ର ହେବା ବହୁତ କଷ୍ଟଦାୟକ। ଏହା ଆପଣଙ୍କୁ ଏକା କରିଦିଏ। ମୁଁ ବିବାହରେ ବିଶ୍ବାସ କରୁଥିଲେ ବି ବିବାହକୁ ନେଇ ଭାଗ୍ୟବାନ ହୋଇପାରିନାହିଁ। ବିବାହ ଭାଙ୍ଗିବାର ଅନେକ କାରଣ ରହିଥାଏ। ଗୋଟିଏ ବିବାହ ଭାଙ୍ଗିଲେ ପୂରା ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିପଡେ।