ରାଜନୀତି

କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ; ଭୁଲ୍‌ ପରେ ଭୁଲ୍‌ କରୁଛି କଂଗ୍ରେସ : ମନ୍ମଥ – Utkal Mail


୨୦୨୪ରେ ମନ୍ମଥ ଜଟଣୀରୁ ନିର୍ବାଚନ ଲଢ଼ିବ : ସୁର

ଭୁବନେଶ୍ବର: ଗଣମାଧ୍ୟମରେ ବୟାନ ଦେବା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ ମହଙ୍ଗା ପଡ଼ିଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମନ୍ମଥ କଂଗ୍ରେସର ସଦସ୍ୟ ଥିଲେ। ହେଲେ ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ନୁହନ୍ତି ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ବିଜେପି କିମ୍ବା ବିଜେଡି କାର୍ଯ୍ୟାଳୟକୁ ଯିବା ପାଇଁ ସଙ୍କୋଚ କରିବେ ନାହିଁ ବୋଲି ମଧ୍ୟ ବୟାନ ଦେଇଥିଲେ। ଏହି ବୟାନ ପାଇଁ ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସେ ଏହାର ଉତ୍ତର ନ ରଖିବାକୁ ତାଙ୍କୁ ଦଳରୁ ନିଲମ୍ବତ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଜଣାଇଛନ୍ତି।

କଂଗ୍ରେସରୁ ନିଲମ୍ବିତ ହେବା ପରେ ମନ୍ମଥ କହିଛନ୍ତି, ଏ ନିଲମ୍ବନ ମତେ ଫରକ ପକାଇବନାହିଁ। ମୁଁ ମୂଳରୁ କଂଗ୍ରେସର ସଦସ୍ୟ ନ ଥିଲି, ଆଉ ନିଲମ୍ବନ ହେବି କ’ଣ ? ମୋତେ ନ ପଚାରି ମୋ ନାଁ ପିସିସି କମିଟିରେ ରଖାଯାଇଥିଲା। ମୁଁ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ। ଏକଥା ପ୍ରଥମରୁ ଯାଞ୍ଚ କରିବାର ଥିଲା। ପ୍ରଥମେ ମୋତେ ସଦସ୍ୟ କରିବା ଭୁଲ୍‌ ଥିଲା। ଏବେ ଭୁଲ୍‌ ଉପରେ ଭୁଲ୍‌ କରୁଛନ୍ତି। ଭୁଲ୍‌ରେ ସଦସ୍ୟ କଲେ, ଏବେ ନିଲମ୍ବନ କରି ପୁଣି ଭୁଲ୍‌ କଲେ। ନିଲମ୍ବନ କରି ସେମ‌ାନେ ‌ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି ବୋଲି ମନ୍ମଥ କହିଛନ୍ତି।

ଅପରପକ୍ଷରେ ମନ୍ମଥଙ୍କ ନିଲମ୍ବନ ନେଇ ବାପା ସୁର ରାଉତରାୟ ନିଜର ପୁରୁଣା କଥାକୁ ଦୋହରାଇଛନ୍ତି। ସୁର କହିଛନ୍ତି, ମୋ ପରିବାରରେ କିଛି ଅଶାନ୍ତି ନାହିଁ। ଏବେ ବି କହୁଛି ସାନ ପୁଅ ମନ୍ମଥ ୨୦୨୪ରେ ଜଟଣୀରୁ ନିର୍ବଚନ ଲଢ଼ିବ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ। କଂଗ୍ରେସ ଦଳରୁ ନିଲମ୍ବିତ ପାଇଁ ଦୁଃଖିତ। ଦଳର ଶୃଙ୍ଖଳା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। ଆମ କଥା କଂଗ୍ରେସ ଦଳ ବିଚାର କରିବ ବୋଲି ଆଶା କରୁଥିବା ଶ୍ରୀ ରାଉତରାୟ କହିଛନ୍ତି।
ଉଲ୍ଲେଖ ଯେ ୨ଦିନ ତଳେ ଗଣମାଧ୍ୟମ ଆଗରେ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ କଂଗ୍ରେସରୁ ଲଢ଼ି‌ବେ ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ। କେଉଁ ଦଳରୁ ଲଢ଼ିବେ ତାହା ସଂପର୍କରେ ଅକ୍ଟୋବରରେ‌ ଘୋଷଣା କରିବି ବୋଲି କହିଥିଲେ। ଗୋଟିଏ ପଟେ ମନ୍ମଥ କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି କହୁଥିବା ବେଳେ ବାପା ତଥା ବିଧାୟକ ସୁର ରାଉତରାୟ ତାଙ୍କ ପୁଅ କଂଗ୍ରେସରୁ ଲଢ଼ିବ ବୋଲି ଦୃଢ଼ତାର ସହ କହିଥିଲେ। ଯାହାକୁ ନେଇ ସାଧାରଣରେ ବେଶ୍ ଚର୍ଚ୍ଚା ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button