ଏସିଆ କପ୍: ବାଂଲାଦେଶକୁ ୨୧ ରନ୍ର ପରାସ୍ତ କଲା ଶ୍ରୀଲଙ୍କା – Utkal Mail
କଲମ୍ବୋ: ଏସିଆ କପ୍-୨୦୨୩ ଅଧିନ ସୁପର-୪ ମୁକାବିଲାର ୨ୟ ମ୍ୟାଚ୍ରେ ଶନିବାର ବାଂଲାଦେଶକୁ ଶ୍ରୀଲଙ୍କା ୨୧ ରନ୍ରେ ପରାସ୍ତ କରିଛି। ୨୫୮ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବାଂଲାଦେଶ ଟିମ୍ ୪୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୩୬ ରନ୍ କରିପାରିଛି।
ବାଂଲାଦେଶ ପାଇଁ ତୋହିଦ ହରଦୋଏ ସର୍ବାଧିକ ୮୨ ରନ୍ ସଂଗ୍ରହ କରିଥିଲେ। ସେ ୯୭ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ବାଂଲାଦେଶର ଅନ୍ୟ ଖେଳାଳିଙ୍କ ବଡ଼ ଯୋଗଦାନ ନଥିଲା। ପ୍ରାରମ୍ଭିକ ବ୍ୟାଟର ମହମ୍ମଦ ନିଆମ ୨୧ ରନ୍, ମେହେନ୍ଦୀ ହାସନ ୨୮ ରନ୍ ଓ ମୁସଫିକର ରହିମ ୨୯ ରନ୍ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ମହସି ତକସାନା, ଦାସୁନ ସନକା ଓ ମଥୀସା ପଥିରାଣା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଦୁନିତ ୱାଲାଗେଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
କଲମ୍ବୋସ୍ଥିତ ଆର୍ ପ୍ରେମ୍ଦାସା ଷ୍ଟାଡିୟମ୍ରେ ବାଂଲାଦେଶ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍ ହରାଇ ୨୫୭ ରନ୍ ସଂଗ୍ରହ କରିଥିଲା। ଏଥିରେ ସଦୀରା ସମରାବିକ୍ରମାଙ୍କ ୯୩ ରନ୍ ଯୋଗଦାନ ଥିଲା। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୫୮ ରନ୍ର ଆବଶ୍ୟକତା ଥିଲା
ଶ୍ରୀଲଙ୍କା ପାଇଁ ପାଳି ଆରମ୍ଭ କରିଥିଲେ ପାଥୁମ ନିଶଙ୍କା (୪୦) ଓ ଦିମୁଥ କରୁଣାରତ୍ନେ (୧୮)। ଦଳର ସ୍କୋର ୩୮ ରନ୍ ଥିବା ବେଳେ କରୁଣରତ୍ନେ ହାସନ୍ ମହମ୍ମଦଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଶ୍ରୀଲଙ୍କା ଦ୍ବିତୀୟ ୱିକେଟ୍ ହରାଇବା ପୂର୍ବରୁ ସ୍କୋର ୧୦୮ ରନ୍ରେ ପହଞ୍ଚି ସାରିଥିଲା। କୁସାଲ ମେଣ୍ଡିସଙ୍କ ଅର୍ଦ୍ଧଶତକ (୫୦) ଓ ସଦୀରାଙ୍କ ୯୩ ରନ୍ ବଳରେ ଦଳ ଭଲ ସ୍କୋର କରିପାରିଥିଲା। ଦାସୁନ ଶନଙ୍କା ବ୍ୟକ୍ତିଗତ ଭାବେ ୨୪ ରନ୍ ସଂଗ୍ରହ କରିଥିଲେ। ବାଂଲାଦେଶ ପକ୍ଷରୁ ତସ୍କିନ ଅହମଦ ଓ ହାସନ ମହମ୍ମଦ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ସେହିପରି ସୌରିଫୁଲ ଇସ୍ଲାମ ୨ଟି ୱିକେଟ୍ ନେଇଥିଲେ।