ଶସ୍ତାହେବ ଏନ୍ସିଇଆର୍ଟି ବହି: ନବମରୁ ଦ୍ବାଦଶ ଶ୍ରେଣୀ ନିମନ୍ତେ ଆସିବ ନୂତନ ପୁସ୍ତକ

ନୂଆଦିଲ୍ଲୀ: ଆସନ୍ତା ଶିକ୍ଷାବର୍ଷ ଠାରୁ କେତେକ ଶ୍ରେଣୀର ଏନ୍ସିଇଆର୍ଟି ପୁସ୍ତକ ଶସ୍ତା ହେବ। ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ନିଜର ଛାପା କାରଖାନାର କ୍ଷମତାକୁ ବୃଦ୍ଧି କରିଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ସଂସଦରେ କେନ୍ଦ୍ରମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାରେ କେଉଁ କେଉଁ ଶ୍ରେଣୀର ପୁସ୍ତକ ଶସ୍ତା ହେବ ସେନେଇ ସ୍ପଷ୍ଟ କରିନାହାନ୍ତି। ତେବେ ସେ କହିଛନ୍ତି, ଆସନ୍ତା ଶିକ୍ଷାବର୍ଷ ଠାରୁ ଏନ୍ସିଇଆର୍ଟି ୧୫ କୋଟି ଗୁଣାତ୍ମକ ମାନର ଓ ସୁଲଭଦରର ପୁସ୍ତକ ପ୍ରକାଶ କରିବ। ଛାପା ସଂଖ୍ୟା ବୃଦ୍ଧି ପାଇଥିବାରୁ, କେତେକ ଶ୍ରେଣୀର ପୁସ୍ତକର ଦାମ ମଧ୍ୟ ହ୍ରାସ ପାଇବ। ଗୁରୁତ୍ବପୂର୍ଣ୍ଣ କଥା, ଅଭିଭାବକଙ୍କ ଉପରେ ଯେପରି ଆର୍ଥିକ ଚାପ ନପଡ଼ିବ ସେଥିପାଇଁ କୌଣସି ଶ୍ରେଣୀର ପୁସ୍ତକର ଦାମ ବୃଦ୍ଧି କରାଯାଇନାହିଁ। ଏହା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନୂତନ ଜାତୀୟ ଶିକ୍ଷାନୀତି ସମ୍ପର୍କରେ କହିଛନ୍ତି, ୨୦୨୬-୨୭ ଶିକ୍ଷାବର୍ଷ ଠାରୁ ନୂତନ ଶିକ୍ଷାନୀତି ଅନୁସାରେ ୯ମରୁ ଦ୍ବାଦଶ ଶ୍ରେଣୀକୁ ପରିବର୍ତ୍ତିତ ପୁସ୍ତକ ପ୍ରଦାନ କରାଯିବ।
ନବମରୁ ଦ୍ବାଦଶ ଶ୍ରେଣୀ ନିମନ୍ତେ ଆସିବ ନୂତନ ପୁସ୍ତକ
କେବଳ ଉଚ୍ଚଶିକ୍ଷା ପ୍ରବେଶିକା ପରୀକ୍ଷା ପରିଚାଳନା କରିବ ଏନ୍ଟିଏ
ଏଥିସହିତ ଏନ୍ଟିଏ ଆସନ୍ତାବର୍ଷ ୨୦୨୫ରୁ ଚାକିରି ପାଇଁ ହେଉଥିବା କୌଣସି ପରୀକ୍ଷା ପରିଚାଳନା କରିବ ନାହିଁ। କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ହେଉଥିବା ପ୍ରବେଶିକା ପରୀକ୍ଷାଗୁଡ଼ିକର ପରିଚାଳନା କରିବ। ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ପରେ ଚଳିତବର୍ଷ ଗଠନ ହୋଇଥିବା ଉଚ୍ଚସ୍ତରୀୟ ଟାସ୍କଫୋର୍ସର ସୁପାରିସ ଆଧାରରେ ଏହି ସଂସ୍କାରଧର୍ମୀ ପଦକ୍ଷେପ ନିଆଯାଇଛି। ଏଥିସହିତ ପରୀକ୍ଷା ପାରମ୍ପରିକ ଭାବେ କାଗଜ ଓ କଲମରେ ହେବ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ହେବ ସେ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହିତ ଆଲୋଚନା ଚାଲିଛି। କମନ ୟୁନିଭର୍ସିଟି ପ୍ରବେଶ ପରୀକ୍ଷା (ସିୟୁଇଟି)-ୟୁଜି ବର୍ଷକୁ ଥରେ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପରୀକ୍ଷା ପରିଚାଳନାରେ ଯେଭଳି ଆଦୌଁ ତ୍ରୁଟି ହେବନାହିଁ ସେଥିପାଇଁ ୨୦୨୫ରେ ଏନଟିଏର ପୁନର୍ଗଠନ ହେବ। ଏଥିପାଇଁ ଅତିକମ୍ରେ ୧୦ଟି ନୂଆ ପଦବି ସୃଷ୍ଟି କରାଯାଇଛି। ଏନ୍ଟିଏର କାର୍ଯ୍ୟରେ ଅନେକ ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି।