୨୦ ବର୍ଷ ଧରି ପୋଲିସ୍କୁ ଚକମା ଦେଉଥିଲା ଅପରାଧୀ, ଏବେ ସ୍ଵୀକାର କଲା ଦୋଷ

ନୂଆଦିଲ୍ଲୀ: ଆମେରିକା ପୋଲିସ ବିଭାଗରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି । ଏଠାରେ ପୁଲିସ ଯେଉଁ ଅପରାଧୀକୁ ଦୀର୍ଘ ୨୦ ବର୍ଷ ହେଲା ଖୋଜୁଥିଲା। ସେ ପୋଲିସ୍ରେ ହିଁ କାମ କରୁଥିଲା । ଏହି କାହାଣୀର ଆରମ୍ଭ ୨୦୦୪ ମସିହା, ଡିସେମ୍ବରରୁ ହୋଇଥିଲା । ସେତେବେଳେ ଆଣ୍ଟୋନିଓନ ରିଆନୋ ଜଣେ ବ୍ୟକ୍ତିକୁ ଗୁଳି କରି ହତ୍ୟା କରିଥିଲେ ।
ତା’ପରେ ସେ ଫେରାର ହୋଇଯାଇଥିଲେ । ଦୀର୍ଘ ୨୦ ବର୍ଷ ଧରି ସେ ପୋଲିସକୁ ଚକ୍ମା ଦେଇ ଚାଲିଥିଲେ । ଏହା ପରେ ପୋଲିସ ତଲାସି ଅଭିଯାନ ବନ୍ଦ କରିଦେଇଥିଲା । କିନ୍ତୁ ରିଆନୋ ଆମେରିକାର ଟପ୍ ୱାଣ୍ଟେଡ୍ ଅପରାଧୀ ତାଲିକାରେ ରହିଥିଲେ ।
ନିକଟରେ ଜଣେ ଗୁଇନ୍ଦା ତାଙ୍କୁ ସୋସିଆଲ ମିଡିଆ ସାଇଟ୍ରେ ଦେଖିବା ପରେ ତାଙ୍କ ଫାଇଲ୍ ପୁଣି ଖୋଲିଲା । ୨୦ ବର୍ଷ ତଳେ ରିଆନୋ ହତ୍ୟା କରିବା ସମୟରେ ଫେସ୍ବୁକ ନ ଥିଲା । ଏବେ ମାମଲାର ପୂର୍ବ ଡେପ୍ୟୁଟି ପଲ୍ ନ୍ୟୁଟନ୍ ତାଙ୍କୁ ହଠାତ୍ ଫେସ୍ବୁକରେ ଦେଖି ଚକିତ ହୋଇଗଲେ । ରିଆନୋ ମେକ୍ସିକୋର ଓକ୍ସାକା ରାଜ୍ୟରେ ଜଣେ ପୁଲିସ ଅଧିକାରୀ ରୂପେ କାମ କରୁଥିଲେ । ନିର୍ଭୀକତାର ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଥିଲେ । ଏହା ଜାଣିବା ପରେ ଆମେରିକୀୟ ଯାଞ୍ଚ୍କର୍ତ୍ତା ମେକ୍ସିକୋ ଅଧିକାରୀଙ୍କ ସହ ସମ୍ପର୍କ କଲେ ଏବଂ ସ୍ପଷ୍ଟ କଲେ ଯେ ରିଆନୋ ବାସ୍ତବରେ ଜାପୋଟିଟ୍ଲାନ ପାଲମାସ ପୋଲିସ ବିଭାଗରେ ଜଣେ ପୋଲିସ ଅଧିକାରୀ ରୂପେ କାମ କରୁଛନ୍ତି ।
ମେକ୍ସିକୋ ପୁଲିସ ରିଆନୋଙ୍କୁ ଗିରଫ କରିବା ପରେ ଆମେରିକୀୟ ମାର୍ଶଲଙ୍କୁ ହସ୍ତାନ୍ତର କରିବାକୁ ସହମତ ହେଲା । ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ଲାଗି ତାଙ୍କୁ ଓହାୟୋ ନିଆଗଲା । ଓହାୟୋର ହାମିଲଟନ୍ରେ ରାଉଣ୍ଡହାଉସ୍ ବାର୍ରେ ବେଞ୍ଜାମିନ୍ ବେସେରା ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରିବାର ଭିଡିଓ ପ୍ରମାଣ ସତ୍ତେ୍ୱ ରିଆନୋ ନିଜ ଅପରାଧକୁ ସ୍ୱୀକାର କରୁନଥିଲେ । କିନ୍ତୁ ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ଥିଲା ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ।



