“ବାଣ ଫୁଟାଇବାକୁ ଅଛି ତ ଅନ୍ୟ ରାଜ୍ୟକୁ ଯାଅ” ଦିଲ୍ଲୀରେ ବାଣ କଟକଣା ହଟାଇବାକୁ ମନାକଲେ ସୁପ୍ରିମକୋର୍ଟ – Utkal Mail
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ କେତେକ ରାଜ୍ୟରେ ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ବିଜେପି ସାଂସଦ ମନୋଜ ତିୱାରୀଙ୍କ ପକ୍ଷରୁ ଆଗତ ଏକ ପିଟିସନର ଶୁଣାଣି କରି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଲୋକଙ୍କ ସ୍ବାସ୍ଥ୍ୟ ଗୁରୁତ୍ବପୂର୍ଣ୍ଣ, ଯିଏ ବାଣ ଫୁଟାଇବାକୁ ଚାହୁଁଛି ଅନ୍ୟ ରାଜ୍ୟକୁ ଯାଉ ।
ମନୋଜଙ୍କ ପକ୍ଷରୁ ଆଇନଜୀବୀ ଶଶାଙ୍କ ଶେଖର ଝା କୋର୍ଟରେ କହିଥିଲେ ଯେ ଦିଲ୍ଲୀ-ଏନସିଆର ଭଳି କିଛି ରାଜ୍ୟ ବାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ଏପରିକି ସବୁଜ ବାଣ ଫୁଟାଇବାକୁ କୋର୍ଟ ଅନୁମତି ଦେଇଥିଲେ ବା ତାହାକୁ ଅନୁମତି ଦିଆଯାଉନାହି।
ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯଦି କୌଣସି ରାଜ୍ୟର ସରକାର ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାନ୍ତି, ତେବେ ଏହାକୁ ଲାଗୁ କରିପାରିବେ। କୋର୍ଟ ତାଙ୍କ ତରଫରୁ ଏଥିରେ ହସ୍ତକ୍ଷେପ କରିବେ ନାହିଁ। ଯଦି ଆପଣ ବାଣ ଫୁଟାଇବାକୁ ଚାହୁଁଛନ୍ତି, ତେବେ ସେହି ରାଜ୍ୟକୁ ଯାଆନ୍ତୁ ଯେଉଁଠାରେ ବାଣ ନିଷିଦ୍ଧ କରାଯାଇନାହିଁ । ଏପରିକି ନିର୍ବାଚନ ପରେ ବିଜୟ ଶୋଭାଯାତ୍ରା ସମୟରେ ମଧ୍ୟ ବାଣ ଫୁଟାଇବା ଅନୁଚିତ। ବିଜୟକୁ ପାଳନ କରିବା ପାଇଁ ଆହୁରି ଅନେକ ଉପାୟ ରହିଛି ବୋଲି କୋର୍ଟ କହିଛନ୍ତି ।ଜଷ୍ଟିସ୍ ଏଏସ୍ ବୋପାନ୍ନା ଓ ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ ।