କ୍ରୀଡା

ବିଶ୍ୱକପ ହକି ପାଇଁ ଆଜିଠୁ ଭୁବନେଶ୍ୱର ଓ ରାଉରକେଲାରେ ଅଫଲାଇନ ଟିକେଟ ବିକ୍ରି

ଭୁବନେଶ୍ବର – ଆସନ୍ତାମାସରେ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପାଇଁ ଆଜିଠୁ ଅଫ୍‌ଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହେବ। ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଅଫଲାଇନ ଟିକେଟ ବିକ୍ରି ହେବ । ଭୁବନେଶ୍ବରର ମ୍ୟାଚ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ର ୮ ନମ୍ବର ଗେଟ୍‌ ସମ୍ମୁଖ ରିଜର୍ଭ ପୋଲିସ୍‌ ଲାଇନ୍‌ ପଡ଼ିଆ ଏବଂ ରାଉରକେଲାରେ ହେବାକୁ ଥିବା ମ୍ୟାଚ୍‌ଗୁଡ଼ିକ ପାଇଁ ବୀର୍ସା ମୁଣ୍ଡା ଷ୍ଟାଡିୟମ୍‌ର ୬ ନମ୍ବର (ଇଷ୍ଟ ଓ ସାଉଥ୍‌ ଷ୍ଟାଣ୍ଡ) ଓ ୨ ନମ୍ବର (ନର୍ଥ ଓ ୱେଷ୍ଟ ଷ୍ଟାଣ୍ଡ) ଗେଟ୍‌ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ଟିକେଟ ବିକ୍ରି କାଉଣ୍ଟର ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାରହିବ।

ଯେଉଁମାନେ ପୂର୍ବରୁ ଅନ୍‌ଲାଇନ୍‌ ଟିକେଟ କିଣିଛନ୍ତି, ସେମାନେ ଆବଶ୍ୟକୀୟ ପ୍ରମାଣ ଦେଖାଇ ଉକ୍ତ କାଉଣ୍ଟରରୁ ଟିକେଟ ନେଇପାରିବେ ।
ଭାରତ ଖେଳୁଥିବା ମ୍ୟାଚ୍‌ଗୁଡ଼ିକ ପାଇଁ ୱେଷ୍ଟ ଷ୍ଟାଣ୍ଡର ମୂଲ୍ୟ ୫୦୦ ଟଙ୍କା, ଇଷ୍ଟ ଷ୍ଟାଣ୍ଡ ୪୦୦ ଟଙ୍କା ଏବଂ ନର୍ଥ ଓ ସାଉଥ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଅଣଭାରତୀୟ ମ୍ୟାଚ୍‌ଗୁଡ଼ିକରେ ଯଦିଓ ୱେଷ୍ଟ ଷ୍ଟାଣ୍ଡର ମୂଲ୍ୟ ସମାନ ରଖାଯାଇଛି, କିନ୍ତୁ ଇଷ୍ଟ ଷ୍ଟାଣ୍ଡର ମୂଲ୍ୟ ୨୦୦ ଟଙ୍କା ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ରଖାଯାଇଛି। କ୍ବାଲିଫାୟର୍‌ ପର୍ଯ୍ୟାୟଠୁ ଫାଇନାଲ୍‌ ପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍‌ ଭୁବନେଶ୍ବରରେ ଖେଳାଯିବ। ଏହି ପର୍ଯ୍ୟାୟରେ ମଧ୍ୟ ୱେଷ୍ଟ ଷ୍ଟାଣ୍ଡର ମୂଲ୍ୟ ସମାନ ରହିଥିଲା ବେଳେ ଇଷ୍ଟ ଷ୍ଟାଣ୍ଡ ୪୦୦ ଟଙ୍କା, ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ୨୦୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ପୋଜିସନିଂ ମ୍ୟାଚ୍‌ଗୁଡ଼ିକ ରାଉରକେଲାରେ ଖେଳାଯିବାକୁ ଥିବାରୁ ଏହି ପର୍ଯ୍ୟାୟର ଟିକେଟ ମୂଲ୍ୟ ୱେଷ୍ଟ ଷ୍ଟାଣ୍ଡ ୫୦୦ ଟଙ୍କା, ଇଷ୍ଟ ଷ୍ଟାଣ୍ଡ ୨୦୦ ଟଙ୍କା, ନର୍ଥ ଓ ସାଉଥ ଷ୍ଟାଣ୍ଡର ମୂଲ୍ୟ ୧୦୦ ଟଙ୍କା ଲେଖାଏଁ ନିର୍ଧାରିତ ହୋଇଛି। ଜଣେ ଦର୍ଶକ ଗୋଟିଏ ଦିନ ପାଇଁ ଏହି ଟିକେଟ କିଣିବ। ଫଳରେ ଦିନସାରା ଯାହା ବି ମ୍ୟାଚ୍‌ ଖେଳାଯିବ ସେହି ଟିକେଟ୍ ଜରିଆରେ ଦିନର ସବୁ ମ୍ୟାଚ୍‌ ଦେଖିହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button