ବ୍ୟବସାୟ

ଗହମର ଷ୍ଟକ ସୀମା ନିର୍ଧାରଣ: ଗହମ, ଚାଉଳ, ଚିନି ଉପରେ ନଜର – Utkal Mail


ଯଥେଷ୍ଟ ଚିନି ଅଛି: ଖାଦ୍ୟ ସଚିବ

ନୂଆଦିଲ୍ଲୀ: ଉତ୍ସବ ଋତୁ ପାଖେଇ ଆସୁଥିବା ବେଳେ ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ଲାଗି କେନ୍ଦ୍ର ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେ‌ଷ ଗହମ ଓ ଚାଉଳ ଦାମ୍ ଉପରେ ନଜର ରଖାଯାଇଛି। ବ୍ୟବସାୟୀମାନେ ନିଜ ପାଖରେ କେତେ ଗହମ ରଖିପାରିବେ ତାହାର ସୀମା ନିର୍ଧାରଣ କରାଯାଇଥିବା ବେଳେ ମହଜୁଦ ଥିବା ଚାଉଳ ଉପରେ ମଧ୍ୟ ନଜର ରଖାଯାଇଛି।

ଏ ସମ୍ପର୍କରେ କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ଚାଉଳ, ଗହମ ଓ ଚିନି ଭଳି ପ୍ରମୁଖ ଖାଦ୍ୟ ପଦାର୍ଥ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି। କିନ୍ତୁ ଦୁର୍ବଳ ମୌସୁମୀ ବାହାନା କରି କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିବା ସରକାର ଜାଣିପାରିଛନ୍ତି। ଅଧିକ ଜମିରେ ଧାନ ଚାଷ ହୋଇଥିବାରୁ ଅସ୍ବାଭାବିକ ବର୍ଷା ସତ୍ତ୍ବେ ଚାଉଳ ଉତ୍ପାଦନରେ ରେକର୍ଡ ହେବ ବୋଲି ସେ କହିଛନ୍ତି। ଖାଦ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ସର୍ବନିମ୍ନ ୨୦.୨ ନିୟୁତ ଟନ୍ ଗହମ ମହଜୁଦ ରଖିବାର ନିୟମ ରହିଥିବା ବେଳେ ଗୋଦାମରେ ତା’ଠାରୁ ଅଧିକ ଅର୍ଥାତ ୨୫.୫ ନିୟୁତ ଟନ୍ ଗହମ ରହିଛି। ଆବଶ୍ୟକତାଠାରୁ ୮.୭ ନିୟୁତ ଟନ୍ ଅଧିକ ଗହମ ରହିଛି। ବଜାରରେ ମଧ୍ୟ ୫.୭ ନିୟୁତ ଟନ୍ ଗହମ ଉପଲବ୍ଧ କରାଯାଇଛି। ଦେଶରେ ଏବେ ୮.୫ ନିୟୁତ ଟନ୍ ଚିନି ରହିଛି ଯାହା ଆଗାମୀ ସାଢ଼େ ତିନି ମାସର ଆବଶ୍ୟକତା ପୂରଣ କରିପାରିବ। ଗ୍ରୀଷ୍ଣ ଋତୁରେ ଅମଳ କରାଯାଇଥିବା ଆଖୁରୁ ଆସନ୍ତା ମାସରୁ ରସ ବାହାର କରିବା ପ୍ରକ୍ରିୟା ଆରମ୍ଭ ହେବ। ଚିନି ସମ୍ପର୍କରେ ଶ୍ରୀ ଚୋପ୍ରା କହିଛନ୍ତି ଯେ ନିଅଣ୍ଟିଆ ବର୍ଷା ହେବାରୁ ଆଖୁ ଉତ୍ପାଦନ କମିବ ବୋଲି ଅଗଷ୍ଟରେ ଆଶଙ୍କା କରାଯାଉଥିଲା। ମାତ୍ର ଆଖୁ ଚାଷ ହେଉଥିବା ରାଜ୍ୟ ଯଥା କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସେପ୍ଟେମ୍ବରରେ ଭଲ ବର୍ଷା ହୋଇଥିବାରୁ ଆଖୁ ଫସଲ ଚାଷର ସୁଧାର ଘଟିଛି। ତେଣୁ ଚିନି ଉତ୍ପାଦନ କମିବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଛି ତାହା ଅମୂଳକ ବୋଲି ସେ କହିଛନ୍ତି।

ଆଜି କେନ୍ଦ୍ର ସରକାର ବ୍ୟବସାୟୀ, ପାଇକାରୀ ବିକ୍ରେତା ଓ ସୁପରମାର୍କେଟ୍‌ ପାଇଁ ଗହମର ଷ୍ଟକ ସୀମା ନିର୍ଧାରଣ କରିଛନ୍ତି। ସେମାନେ ନିଜ ପାଖରେ ୨୦୦୦ ଟନ୍ ଗହମ ରଖିପାରିବେ। ମିଲ୍‌ ପାଖରେ ସେମାନଙ୍କ ସ୍ଥାପିତ କ୍ଷମତାର ୭୫% ଗହମ ରହିପାରିବ। ବ୍ୟବସାୟୀ ଓ ମିଲ୍‌ଗୁଡ଼ିକ ନିଜ ପାଖରେ ଅଧିକ ଗହମ ରଖିବା ଦ୍ବାରା ବଜାରରେ ଏକ କୃତ୍ରିମ ଅଭାବ ସୃଷ୍ଟି ହେଉ ବୋଲି ଆମେ ଚାହୁନାହୁଁ ବୋଲି ଶ୍ରୀ ଚୋପ୍ରା କହିଛନ୍ତି। ଚାଉଳରେ ମୁଦ୍ରାସ୍ଫୀତି ୧୦% ରହିବା ଚିନ୍ତାର ବିଷୟ। ରାଜ୍ୟଗୁଡ଼ିକ ସହଯୋଗରେ ଚାଉଳ ଷ୍ଟକ୍ ଉପରେ ଆମେ ନଜର ରଖିଛୁ। ମହଜୁଦକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button