କ୍ରୀଡା

404 Not Found – Utkal Mail


ଭୁବନେଶ୍ବର: ଚଳିତ ବିଶ୍ବକପ୍‌ରେ ରବିବାର ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ହେବ। ବିଶ୍ବକପ୍ ଆରମ୍ଭ ହେବା ଦିନରୁ ଭାରତ ଓ ନ୍ୟୁଜିଲାଣ୍ଡ ଖେଳି ଆସୁଛନ୍ତି। ବିଗତ ୧୨ ସଂସ୍କରଣରେ ଏହି ଦୁଇ ଦେଶ ୯ ଥର ମୁହାଁମୁହିଁ ହେବାର ସ‌ୁଯୋଗ ପାଇଛନ୍ତି। ସେଥି ମଧ୍ୟରୁ ଭାରତ ମାତ୍ର ୩ ଥର ଜିତିଥିବା ବେଳେ ନ୍ୟୁଜିଲାଣ୍ଡ୍ ୫ ଥର ବାଜି ମାରି ନେଇଛି। ଗୋଟିଏ ମ୍ୟାଚ୍‌ ବାତିଲ ‌ହୋଇଥିଲା। ଶେଷ ଥର ପାଇଁ ୨୦୧୯ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଭାରତକୁ ନ୍ୟୁଜିଲାଣ୍ଡ୍‌ ହିଁ ବିଦା କରିଥିଲା। ‌ଆଇସିସି ଇଭେଣ୍ଟଗୁଡ଼ିକରେ ଭାରତକୁ ହରାଇବାରେ ମଧ୍ୟ ନ୍ୟୁଜିଲାଣ୍ଡ୍‌ ମାହିର ରହିଛି। ୨୦୦୦ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଏବଂ ୨୦୨୧ ଆଇସିସ‌ି ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ଫାଇନାଲ୍‌ରେ ମଧ୍ୟ ଭାରତକୁ କିୱି ଦଳ ପରାସ୍ତ କରିଥିଲା। ଏପରିକି ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ଏ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡଠାରୁ ମ୍ୟାଚ୍‌ଟିଏ ମଧ୍ୟ ଜିତି ପାରିନାହିଁ। ନ୍ୟୁଜିଲାଣ୍ଡ୍‌ ୩-୦ରେ (୨୦୦୭, ୨୦୧୬, ୨୦୨୨) ଆଗୁଆ ହୋଇ ଅପରାଜିତ ରହିଛି। ଦିନିକିଆ କ୍ରିକେଟ୍‌ ଇତିହାସରେ କିନ୍ତୁ ଦୁଇ ଦେଶ ୧୧୩ ମ୍ୟାଚ୍‌ ଖେଳିଥିବା ବେଳେ ଭାରତ ୫୫ ଓ ନ୍ୟୁଜିଲାଣ୍ଡ ୫୦ ଜିତି ପାଖାପାଖି ସମତୁଲ ସ୍ଥିତିରେ ରହିଛନ୍ତି। ୭ଟି ମ୍ୟାଚ୍ ବାତିଲ ‌ହୋଇଥିବା ବେଳେ ଗୋଟିଏ ଟାଇରେ ଶେଷ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଶେଷ ୫ ଦିନିକିଆରେ ନ୍ୟୁଜିଲାଣ୍ଡ୍‌ ୫-୦ରେ ବାଜିମାତ୍‌ କରିଥିବାରୁ ବିଶ୍ବକପ୍‌ ପୂର୍ବରୁ ଆତ୍ମବିଶ୍ବାସରେ ରହିଛି। ଦିନିକିଆ ବିଶ୍ବକପ୍‌ ଇତିହାସରେ ସମ୍ପନ୍ନ ହୋଇଥିବା ୮ ମୁକାବିଲା ଉପରେ ଆସନ୍ତୁ ନଜର ପକାଇ ନେବା।

୧୯୭୫ ମସିହାର ପ୍ରଥମ ସଂସ୍କରଣରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ପ୍ରଥମ ଥର ମୁକାବିଲା କରିଥିଲେ ମା‌‌ଞ୍ଚେଷ୍ଟର୍‌ର ଓଲ୍ଡ ଟ୍ରାଫୋର୍ଡରେ। ଅବିଦ ଅଲ୍ଲୀଙ୍କ ୭୦ ରନ୍‌ ବଳରେ ଭାରତ ୬୦ ଓଭରରେ ସମସ୍ତ ୱିକେଟ୍ ହରାଇ କରିଥିଲା ୨୩୦ ରନ୍‌। ଗ୍ଲେନ୍ ଟର୍ଣ୍ଣର (୧୧୪)ଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ୍‌ ୫୮.୫ ଓଭରରେ ୬ ୱିକେଟ୍ ହରାଇ ୨୩୩ ରନ୍ ସଂଗ୍ରହ କରି ନେଇଥିଲା। ଟର୍ଣ୍ଣର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପରବର୍ତ୍ତୀ ସଂସ୍କରଣ ୧୯୭୯ରେ ମଧ୍ୟ ନ୍ୟୁଜିଲାଣ୍ଡ୍‌ ଅତି ସହଜରେ ଅର୍ଥାତ୍‌ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା। ସୁନିଲ ଗାଭାସ୍କରଙ୍କ ଏକମାତ୍ର ଅର୍ଦ୍ଧଶତକ (୫୫) ବଳରେ ଭାରତ ୫୫.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୨ ରନ୍‌ କରିଥିଲା। ଜବାବରେ ବିଏ ଏଡଗାର (୮୪*), ଜନ୍ ରାଇଟ୍‌ (୪୮), ଗ୍ଲେନ୍ ଟର୍ଣ୍ଣର (୪୩*)ଙ୍କ ବଳରେ ନ୍ୟୁଜିଲାଣ୍ଡ୍‌ ୫୭ ଓଭରରେ ୨ ୱିକେଟ୍ ହରାଇ ୧୮୩ ରନ୍‌ ସଂଗ୍ରହ କରି ନେଇଥିଲା। ୧୯୮୭ ମସିହାରେ ଭାରତରେ ବିଶ୍ବକପ୍‌ ଖେଳାଯାଇଥିବା ବେଳେ ଦୁଇ ଥର ଭାରତ ଏହାର ପ୍ରତିଶୋଧ ନେଇଯାଇଥିଲା। ବାଙ୍ଗାଲୋର ଏମଏ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଭାରତ ୧୬ ରନ୍‌ରେ ଜିତିଥିଲା। ନବଜୋତ ସିଂହ ସିଦ୍ଧୁ (୭୫) ଏବଂ କପିଳ ଦେବ (୭୧)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ୫୦ ଓଭରରେ ୨୫୨/୭ ସ୍କୋର୍‌ କରିଥିଲା। ଦୀପକ ପଟେଲ୍‌ ୩ ୱିକେଟ୍ ନେଇଥିଲେ। ଜବାବରେ କେନ୍ ରଦରଫୋର୍ଡ (୭୫) ଏବଂ ‌ଏ‌ଏଚ୍‌ ଜୋନ୍ସ (୬୪)ଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ୍‌ ୫୦ ଓଭରରେ ୮ ୱିକେଟ୍‌ ହରାଇ ୨୩୬ ରନ୍‌ କରିପାରିଥିଲା। ରବି ଶାସ୍ତ୍ରୀ-ମନିନ୍ଦର ସିଂହ ୨-୨ ୱିକେଟ୍ ଅକ୍ତିଆର କରିଥିଲେ। କପିଳ ଦେବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଲିଗ୍ ପର୍ଯ୍ୟାୟରେ ହୋଇଥିବା ଦ୍ବିତୀୟ ମୁକାବିଲାରେ ଭାରତ ୯ ୱିକେଟରେ ଜିତିଥିଲା। ନାଗପୁରରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଚେତନ ଶର୍ମାଙ୍କ ହ୍ୟାଟ୍ରିକ୍ କାରଣରୁ ନ୍ୟୁଜିଲାଣ୍ଡ୍‌ ୨୨୧/୯ରେ ସୀମିତ ରହିଥିଲା। ଜବାବରେ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ (୭୫)ଙ୍କ ଅର୍ଦ୍ଧଶତକ ପରେ ସୁନିଲ ଗାଭାସ୍କର (୧୦୩*)ଙ୍କ ପ୍ରଥମ ଦିନିକିଆ ଶତକ ଏବଂ ମହମ୍ମଦ ଆଝାରୁଦ୍ଦିନ୍ (୪୧*)ଙ୍କ ବଳରେ ଭାରତ ୩୨.୧ ଓଭରରେ ୧ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଗାଭାସ୍କର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିଚ ହୋଇଥିଲେ।

ଦୁଇ ଦଳ ପଞ୍ଚମ ଥର ପାଇଁ ମୁକାବିଲା କରିଥିଲେ ୧୯୯୨ ସଂସ୍କରଣରେ। ଘରୋଇ ମାଟିରେ ନ୍ୟୁଜିଲାଣ୍ଡ୍‌ ୪ ୱିକେଟ୍‌ରେ ଜିତିଯାଇଥିଲା। ଡୁନେଡିନ୍‌ରେ ସଚିନ ତେନ୍ଦୁଲକର (୮୪) ଏବଂ ମହମ୍ମଦ ଆଝାରୁଦ୍ଦିନ (୫୫)ଙ୍କ ବଳରେ ଭାରତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୩୦ ରନ୍‌ କରିଥିଲା। ଜବାବରେ ନ୍ୟୁଜିଳାଣ୍ଡ୍‌ କିନ୍ତୁ ମାର୍କ ଗ୍ରେଟ୍‌ବ୍ୟାଚ୍‌ (୭୩) ଏବଂ ଏଏଚ୍‌‌ ଜୋନ୍ସ (୬୭)ଙ୍କ ଅର୍ଦ୍ଧଶତକ ବଳରେ ୪୭.୧ ଓଭରରେ ୬ ୱିକେଟ୍ ହରାଇ ୨୩୧ ରନ୍‌ ସଂଗ୍ରହ କରି ନେଇଥିଲା। ମ‌ନୋଜ ପ୍ରଭାକର (୩/୪୬) ଏବଂ ଭେଙ୍କଟପତି ରାଜୁ (୨/୩୮) ମିଳିତ ଭାବେ ୫ ୱିକେଟ୍ ନେଇଥିଲେ ମଧ୍ୟ ବି‌ଶେଷ ଫରକ ପଡ଼ିନଥିଲା। ଗୋଟିଏ ସଂସ୍କରଣ ବ୍ୟବଧାନ ପରେ ପୁଣି ଦୁଇ ଦେଶ ମଧ୍ୟରେ ମୁକାବିଲା ହୋଇଥିଲା ୧୯୯୯ ମସିହାରେ। ନଟିଂହାମ୍‌ରେ ନ୍ୟୁଜିଲାଣ୍ଡ୍‌ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା। ଅଜୟ ଜାଦେଜାଙ୍କ ୭୬ ରନ୍ ବଳରେ ଭାରତ ସ୍କୋର୍‌ କରିଥିଲା ୨୫୧/୬। ଜବାବରେ ମ୍ୟାଟ୍‌ ହର୍ଣ୍ଣ (୭୪) ଏବଂ ରୋଜର ଟୋଜ୍‌ (୬୦*)ଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ୍‌ ୪୮.୫ ଓଭରରେ ୫ ୱିକେଟ୍ ହରାଇ ୨୫୩ ରନ୍‌ ସଂଗ୍ରହ କରି ନେଇଥିଲା। ଦେବାଶିଷ ମହାନ୍ତି ୨ ଏବଂ ରବିନ୍ ସିଂହ-ଜଭାଗାଲ ଶ୍ରୀନାଥ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ବିଶ୍ବକପ୍‌ ମଇଦାନରେ ଦୀର୍ଘ ୧୬ ବର୍ଷ ପରେ ନ୍ୟୁଜିଲାଣ୍ଡ୍‌କୁ ହରାଇଥିଲା ଭାରତ। ୨୦୦୩ ଦକ୍ଷିଣ ଆଫ୍ରିକା ସଂସ୍କରଣରେ ‌ସୌରଭ ଗାଙ୍ଗୁଲିଙ୍କ ଦଳ ୭ ୱିକେଟ୍‌ରେ ଏହି ବହୁ ପ୍ରତୀକ୍ଷିତ ବିଜୟ ପାଇଥିଲା। ଜାହିର ଖାନ୍‌ (୮-୦-୪୨-୪)ଙ୍କ ନେତୃତ୍ବରେ ଭାରତୀୟ ବୋଲିଂ ବାହିନୀ ସେଞ୍ଚୁରିଅନ୍ ପାର୍କରେ ନ୍ୟୁଜିଲାଣ୍ଡ୍‌କୁ ୪୫.୧ ଓଭରରେ ୧୪୬ ରନ୍‌ରେ ରୋକି ଦେଇଥିଲେ। ଜବାବରେ ଭାରତ ୨୧/୩ରେ ସଂଘର୍ଷ କରିଥିଲେ ମଧ୍ୟ ମହମ୍ମଦ କୈଫ (୬୮*) ଏବଂ ରାହୁଲ ଦ୍ରାଦିଡ଼ (୫୩*)ଙ୍କ ଅର୍ଦ୍ଧଶତକ ବଳରେ ୪୦.୪ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଜାହିର ଖାନ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

୨୦୧୯ ସଂସ୍କରଣରେ ଲିଗ୍ ପର୍ଯ୍ୟୟ ମୁକାବିଲା ବର୍ଷାରେ ଧୋଇଯାଇଥିଲା। କିନ୍ତୁ ସେମିଫାଇନାଲ୍‌ରେ ମୁକାବିଲା କରିଥିଲେ ଭାରତ-ନ୍ୟୁଜିଲାଣ୍ଡ୍‌। ବର୍ଷା କାରଣରୁ ଦୁଇ ଦିନ ବ୍ୟାପୀ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଭଲ ଖେଳିଥିଲା। ରସ୍ ଟେଲର (୭୪) ଏବଂ କେନ୍‌ ୱିଲିୟମସନ୍ (୬୭)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ନ୍ୟୁଜିଲାଣ୍ଡ ୨୩୯/୮ରେ ସୀମିତ ରହିଥିଲା। ଭୁବନେଶ୍ବର କୁମାର ୩ ୱିକେଟ୍ ନେଇଥିଲେ। ଜବାବରେ ଭାରତ ଏକଦା ୯୨/୬ରେ ସଂଘର୍ଷ କରିଥିଲା। ଏହି ସମୟରେ ମହେନ୍ଦ୍ର ସିଂହ ଧୋନି (୫୦) ଏବଂ ରବୀନ୍ଦ୍ର ଜାଦେଜା (୭୧) ସପ୍ତମ ୱିକେଟ୍‌ ପାଇଁ ଶତକୀୟ ଭାଗୀଦାରି (୧୧୬) ଗଢ଼ି ସମ୍ଭାବନା ସୃଷ୍ଟି କରିଥିଲେ। କିନ୍ତୁ ମାତ୍ର ୪ ବଲ୍‌ ବ୍ୟବଧାନରେ ଉଭୟ ଆଉଟ୍ ହୋଇଯିବା ନ୍ୟୁଜିଲାଣ୍ଡକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲା। ଭାରତ ୪୯.୩ ଓଭରରେ ୨୨୧ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଧୋନିଙ୍କ ରନ୍‌ ଆଉଟ୍ ସହିତ ଭାରତର ବିଶ୍ବକପ୍‌ ସ୍ବପ୍ନକୁ ଚୂରମାର ହୋଇଯାଇଥିଲା। ଏହା ମଧ୍ୟ ଧୋନିଙ୍କ ଶେଷ ଆନ୍ତର୍ଜାତିକ ମ୍ୟାଚ୍ ହୋଇଯାଇଥିଲା। ମ୍ୟାଟ୍‌ ହେନରି (୧୦-୧-୩୭-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button