ଦେଶ ବିଦେଶ

ଜାତିଗଣନା ରାଜନୀତି ସରଗରମ: ଟାର୍ଗେଟ୍‌ରେ ଜାତି ଜନଗଣନା – Utkal Mail


ନୂଆଦିଲ୍ଲୀ: ବିହାରର ଜାତିଭିତ୍ତିକ ଜନଗଣନା ରିପୋର୍ଟ ଗତକାଲି ସାର୍ବଜନୀନ ହେବା ପରେ ରାଜନୀତି ସରଗରମ ହୋଇଛି। ଆଗାମୀ ଦିନରେ କେନ୍ଦ୍ର ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଆଡ଼କୁ ଏହା ଇସାରା କରୁଛି। କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଯେଉଁ ପ୍ରକାର ଓବିସିକୈନ୍ଦ୍ରିକ ସାମାଜିକ ନ୍ୟ‌ାୟର ବାଟ ଧରିଛନ୍ତି ଏଥିରୁ ଆଗାମୀ ଲୋକସଭା ନିର୍ବାଚନରେ ପଛୁଆ ଜାତି ଜଡ଼ିତ ବିଷୟ ମୁଖ୍ୟ ପ୍ରସଙ୍ଗ ହେବା ଏକପ୍ରକାର ନିଶ୍ଚିତ। ଯାହା ଜଣାପଡ଼ୁଛି ବର୍ତ୍ତମାନ କେନ୍ଦ୍ରୀୟ ସ୍ତରରେ ଜାତିଭିତ୍ତିକ ଜନଗଣନା କରାଇବା, ଜାତିଗୁଡ଼ିକର ଜନସଂଖ୍ୟା ହିସାବରେ ନୀତି ପ୍ରସ୍ତୁତ କରିବା ଏବଂ ସାମଗ୍ରିକ ଅନୁପାତରେ ସରକାରୀ ଚାକିରି ସୁଯୋଗ ଦେବାର ଦାବି ଆହୁରି ତୀବ୍ର ହେବ। ବିଜେପି ଉପରେ କେନ୍ଦ୍ରୀୟ ସ୍ତରରେ ଜାତିଗଣନା କରାଇବା ଚାପ ବଢ଼ିପାରେ। ବିଜେପି ଶାସନକାଳରେ ବିଭିନ୍ନ ପ୍ଲାଟଫର୍ମରେ ବିଫଳ ହୋଇଥିବା ବିରୋଧୀ ଆଗାମୀ ଲୋକସଭା ନିର୍ବାଚନରେ ସାମାଜିକ ନ୍ୟାୟ ପିଚ୍‌ରେ ଏନ୍‌ଡିଏକୁ ଘେରିବାକୁ ଚାହିବେ।

ବିହାରରେ ଅଲଗା ଜାତିଗତ ଜନଗଣନା ଏହି ରଣନୀତିର ଅଂଶବିଶେଷ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଉଛନ୍ତି। ଏହି ରଣନୀତି ଅନୁସାରେ କଂଗ୍ରେସ କେନ୍ଦ୍ରୀୟ ସ୍ତରରେ ଜାତିଗଣନା, ମହିଳା ଆରକ୍ଷଣରେ ଓବିସି ମହିଳାଙ୍କ ପାଇଁ କୋଟା ଦାବି କରିପାରେ। ସେହିଭଳି ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶରେ ପଛୁଆ, ଦଳିତ ଓ ସଂଖ୍ୟାଲଘୁଙ୍କ ଭୋଟ ବାଜି ମାରିବା ପାଇଁ ତତ୍ପର ହେବ। ମିଳିଥିବା ସୂଚନା ଅନୁସାରେ ନଭେମ୍ବର ମାସରେ ପ୍ରୟାଗରାଜରେ ବିଜେପି ଓବିସି ମହାକୁମ୍ଭ କାର୍ଯ୍ୟକ୍ରମର ଆୟୋଜନ କରିବ। ଏଥିରେ ଦଳ ପକ୍ଷରୁ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ। ବିଜେପିର କହିବା ଅନୁସାରେ ମୋଦୀ ସରକାର କ୍ଷମତାକୁ ଆସିବା ପରଠାରୁ ଓବିସି ସଂବନ୍ଧିତ ଅନେକ କାର୍ଯ୍ୟ ହୋଇଛି। ଓବିସି ଆୟୋଗକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯାଇଛି।
ଅନ୍ୟପକ୍ଷେ, ଜାତିଗଣନା‌ ରିପୋର୍ଟ ଜାରି କରିବ‌ାରେ ବିହାର ପ୍ରଥମ ରାଜ୍ୟ ହୋଇଛି। ଏଥି ପୂର୍ବରୁ ଅନେକ ରାଜ୍ୟ ଜାତିଗଣନା ପ୍ରୟାସ କରିଥିଲେ ମଧ୍ୟ ସେମାନଙ୍କୁ ସଫଳତା ମିଳିପାରିନାହିଁ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ହରିୟାଣା ଓବିସି ସର୍ବେକ୍ଷଣ କରାଇଥିଲେ। ହେଲେ ସୁପ୍ରିମକୋର୍ଟ ମହାରାଷ୍ଟ୍ରର ସର୍ବେକ୍ଷଣ ଉପରେ ଆପତ୍ତି ଉଠାଇଥିଲେ। ଯାହାଦ୍ବାରା ମହାରାଷ୍ଟ୍ରର ପୌର ନିର୍ବାଚନରେ ଆରକ୍ଷଣ ଲାଗୁ ଉପରେ ରୋକ ଲଗାଇ ଦିଆଯାଇଥିଲା। ୨୦୧୪ରେ କର୍ଣ୍ଣାଟକରେ ସିଦ୍ଧରମୈୟା ନେତୃତ୍ବାଧୀନ କଂଗ୍ରେସ ସରକାର ସାମାଜିକ ଓ ଶିକ୍ଷଣ ସର୍ବେକ୍ଷଣର ନିଷ୍ପତ୍ତି ନେଇଥିଲେ। ସର୍ବେକ୍ଷଣର ଉଦ୍ଦେଶ୍ୟ ଥିଲା, ୧୨୭ତମ ସଂବିଧାନ ସଂଶୋଧନ ବିଧେୟକ ଅନୁସାରେ ଓବିସି ଆରକ୍ଷଣ ଉପରେ ନିଷ୍ପତ୍ତି ନେବା। ସର୍ବେକ୍ଷଣ ୨୦୧୫ ଏପ୍ରିଲ ଓ ‌ମେ’ ମାସରେ କରାଗଲା। ରାଜ୍ୟ ପଛୁଆ ବର୍ଗ ଆୟୋଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରାଜ୍ୟର ୧.୩ କୋଟି ଘରର ସର୍ବେକ୍ଷଣ କରାଗଲା। ଜୁନ ୨୦୧୬ରେ ରିପୋର୍ଟକୁ ଜାରି କରାଯିବାର ଥିଲା। ହେଲେ ସେହି ରିପୋର୍ଟକୁ ସାର୍ବଜନୀନ କରାଗଲା ନାହିଁ।

ସେହିଭଳି ୨୦୨୧ରେ ତେଲେଙ୍ଗାନାରେ ପଛୁଆ ବର୍ଗ ରାଜ୍ୟ ଆୟୋଗ ପଛୁଆ ବର୍ଗଙ୍କର ସର୍ଭେ ପାଇଁ ନିଷ୍ପତ୍ତି ନେଇଥିଲା। ଯୋଜନା ରହିଥିଲା, ସର୍ବେକ୍ଷଣରେ ଆଡମିନିଷ୍ଟ୍ରିଟେଟିଭ୍‌ ଷ୍ଟାଫ୍‌ କଲେଜ ଅଫ ଇଣ୍ଡିଆ, ସେଣ୍ଟର ଅଫ ଇକୋନୋମିକ ଆଣ୍ଡ୍‌ ସୋସିଆଲ ଷ୍ଟଡିଜ୍‌, ବ୍ୟୁରୋ ଅଫ୍‌ ଇକୋନୋମିକ୍‌ ଆଣ୍ଡ ଷ୍ଟାଟିଷ୍ଟିକ୍ସ ଏବଂ ସେଣ୍ଟର ଫର୍‌ ଗୁଡ୍‌ ଗଭର୍ଣ୍ଣାନ୍ସ ଭଳି ଏକ୍ସପର୍ଟ କମିଟିଗୁଡ଼ିକୁ ସାମିଲ କରିବା। ହେଲେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନା କାର୍ଯ୍ୟକାରୀ ହୋଇନାହିଁ। ୨୦୧୯ରେ ସାଧାରଣ ଜନଗଣନା ସହିତ ଓଡ଼ିଶାରେ ସାମାଜିକ-ଅର୍ଥନୈତିକ ଜାତି ଜନଗଣନା କରାଯିବା ନିମନ୍ତେ ଓଡ଼ିଶା ସରକାର କ୍ୟାବିନେଟରେ ସଂକଳ୍ପ ଗୃହୀତ କରିବା ପରେ ରାଜ୍ୟ ସରକାର କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିଲେ। ଏହାଦ୍ବାରା ସମାଜିକ-ଅର୍ଥନୈତିକ ଏବଂ ଶିକ୍ଷା ଦୃଷ୍ଟିରୁ ପଛୁଆ ଥିବା ଜନସାଧାରଣଙ୍କ ସ୍ଥିତି ସଂପର୍କରେ ଜଣାପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଅନ୍ୟପକ୍ଷେ, ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦୨୩ରେ ଓଡ଼ିଶାରେ ଓବିସି ସର୍ଭେ ହୋଇଥିଲା ଯାହାର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଜାରି ହୋଇନାହିଁ।

କଂଗ୍ରେସ କ’ଣ ସଂଖ୍ୟାଲଘୁଙ୍କ ଅଧିକାର ଛଡ଼ାଇ ନେବାକୁ ଚାହେ: ମୋଦୀ

ନୂଆଦିଲ୍ଲୀ: ବିହାର ସରକାର ଜାତିଗତ ଜନଗଣନା ରିପୋର୍ଟ ଘୋଷଣା କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଜାତି ଆଧାରିତ ଜନଗଣନାକୁ ଟାର୍ଗେଟ୍‌ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ଛତିଶଗଡ଼ର ଜଗଦଳପୁରରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, କଂଗ୍ରେସ ହିନ୍ଦୁ ଏବଂ ଗରିବଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମନେ ପକାଇ ମୋଦୀ କହିଛନ୍ତି, ଦେଶର ସମ୍ବଳ ଉପରେ ସଂଖ୍ୟାଲଘୁଙ୍କର ପ୍ରଥମ ଅଧିକାର ଅଛି ବୋଲି ମନମୋହନ ସିଂହ କହିଥି‌ଲେ। କିନ୍ତୁ ଏବେ କଂଗ୍ରେସ କହୁଛି ସମ୍ପ୍ରଦାୟର ଲୋକମାନେ ନିଷ୍ପତ୍ତି ନେବେ ଯେ ଦେଶର ସମ୍ବଳ ଉପରେ କାହାର ପ୍ରଥମ ଅଧିକାର ରହିବ। ତେଣୁ ଏବେ ସେମାନେ ସଂଖ୍ୟାଲଘୁଙ୍କ ଅଧିକାର କମାଇବାକୁ ଚାହୁଛନ୍ତି କି। ସେମାନେ ସଂଖ୍ୟାଲଘୁଙ୍କ ଅଧିକାର ଛଡ଼ାଇ ନେବାକୁ ଚାହୁଛନ୍ତି କି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି।

ମୋଦୀ କହିଛନ୍ତି, ମୁଁ ପୁଣିଥରେ ଏହା ଦୋହରାଇବାକୁ ଚାହୁଛି ଯେ କଂଗ୍ରେସ ଏହାର ଲୋକଙ୍କ ଦ୍ବାରା ପରିଚାଳିତ ନୁହେଁ। କଂଗ୍ରେସର ବରିଷ୍ଠ ନେତାମାନେ ସେମାନଙ୍କ ପାଟି ବନ୍ଦ କରି ବସିଛନ୍ତି। ନା’ ସେମାନେ କିଛି କହୁଛନ୍ତି ନା’ ସେମାନଙ୍କର କହିବାର କିଛି ଅଧିକାର ଅଛି। ‌ମୋଦୀ କହିଛନ୍ତି, କଂଗ୍ରେସ ହିନ୍ଦୁଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଚାହୁଛି। ସେମାନେ ଗରିବଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଏବଂ ଦେଶକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ମୋଦୀ କହିଛନ୍ତି, ତାଙ୍କ ପାଇଁ ଗରିବ ହେଉଛନ୍ତି ସବୁଠୁ ଊର୍ଦ୍ଧ୍ବରେ ଏବଂ ସେ ଲଗାତାର ଭାବେ ଆର୍ଥିକ ପଛୁଆ ସମ୍ପ୍ରଦାୟ ଲୋକଙ୍କ କଲ୍ୟାଣ ପାଇଁ କାମ କରିବେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button