ରାଜନୀତି

ନେତାଙ୍କ ଛାତିରେ ଛନକା: ବିଧାନ ପରିଷଦ ଥୋପ କାମ ଦେଲାନି, ମହିଳା ସଂରକ୍ଷଣ ପ୍ରସଙ୍ଗ ଭୟ ବଢ଼ାଇଲା – Utkal Mail


ଭୁବନେଶ୍ବର: ବିଜେଡି ଭିତରେ ଟିକେଟ୍‌ ଆଶାୟୀଙ୍କ ସଂଖ୍ୟା ଯେତିକି ବୃଦ୍ଧି ପାଉଛି, ନିର୍ବାଚନମଣ୍ଡଳୀ ଵାରି ଅସନ୍ତୋଷ ସେତିକି ତେଜିବାରେ ଲାଗିଲାଣି। ଠିକ୍ ଏମିତି ସ୍ଥିତିରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଯେଉଁ ଥୋପ କାର୍ପଟଦାର ଗୋଷ୍ଠୀ ପକାଇଥିଲେ, ତାହା ଫୁସ୍‌କିଯିବାକୁ ବସିଛି। ଓଡ଼ିଶା ସରକାରଙ୍କ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ମୋହର ମାରିବାକୁ ନାରାଜ। ବାରମ୍ବାର ଏ ସଂକ୍ରାନ୍ତରେ ଶୀର୍ଷ ଗୋଷ୍ଠୀ ଚାପ କୌଶଳ ପ୍ରୟୋଗ କରୁଥିଲେ ହେଁ, କେନ୍ଦ୍ର ସରକାର ଆଗକୁ ବଢ଼ୁନାହାନ୍ତି।

କିଛି ଦିନ ତଳେ ଅମିତ୍ ଶାହଙ୍କ ଓଡ଼ିଶା ଗସ୍ତ ପରେ ଏହି ଗୋଷ୍ଠୀ ପୁଣି ଥରେ ଚର୍ଚ୍ଚାକୁ ଆଣିଥିଲେ ଯେ ଏ ସଂକ୍ରାନ୍ତ ବିଲ୍ ସଂସଦରେ ଆସିବ। ଏମିତି ପ୍ରତିଶ୍ରୁତି ମିଳିଛି। ହେଲେ ଗତ ଅଧିବେଶନରେ ତ ଆସିଲା ନାହିଁ, ସ୍ବତନ୍ତ୍ର ଅଧିବେଶନରେ ବି ଓଡ଼ିଶାର ଏ ସଂକ୍ରାନ୍ତ ପ୍ରସ୍ତାବ ସଂସଦ ପଟଳ ପର୍ଯ୍ୟନ୍ତ ପହଞ୍ଚିବ, ସେ ଆଶା ଆଉ ନାହିଁ। ଏହି ପ୍ରସଙ୍ଗଟି ଏବେ ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ ଚଳଚଞ୍ଚଳ କଲାଣି।

ଏହି ଅସନ୍ତୋଷକୁ ବଳ ମିଳିବା ପଛରେ ଆଉ ଗୋଟିଏ କାରଣ ଯୋଡ଼ି ହୋଇଯାଇଛି। ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଜି ଅନୁମୋଦନ ଲାଭ କରିଛି। ଆସନ୍ତାକାଲି ରାଜ୍ୟସଭାରେ ଏ ସଂକ୍ରାନ୍ତ ବିଲ୍ ଆଗତ ହେବ। ଏହି ବିଲ୍‌କୁ ବିଜେଡି, ଵାଇଏସ୍‌ଆର୍ ଆଦି ସମର୍ଥନ କରିବେ। ଏମିତିରେ ବି କଂଗ୍ରେସ ଏହାକୁ ବିରୋଧ କରୁନାହିଁ। ଏଣୁ ଏହି ଅଧିବେଶନରେ ହିଁ ଏହି ବିଲ୍‌ରେ ମୋହର ଲାଗିବା ସମ୍ଭାବନା ଅଧିକ। ଯଦିଓ ୨୦୨୪ ନିର୍ବାଚନ ପାଇଁ କୌଣସି ଭୟ ନାହିଁ, ତଥାପି ବିଜେଡି ଆଭ୍ୟନ୍ତରୀଣ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ଓଡ଼ିଶା ସରକାର ଏହାକୁ ବିଧାନସଭାରେ କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଛନ୍ତି। ଗତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି କାର୍ଡ େଖଳିବା ସହିତ ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇ ଜାତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିଥିଲେ। ଏ ଦୃଷ୍ଟିକୋଣରୁ ଏଥର ବିଧାନସଭାର ୪୯ଟି ଆସନରେ ମହିଳା ପ୍ରାର୍ଥୀ ନିଶ୍ଚିତ।

ବିଜେଡିର ଶୀର୍ଷ ନେତୃତ୍ବର ଏଭଳି କୌଶଳ ଆଭାସ ପାଇବା ପରେ ବିଜେଡିର ବହୁ ନେତା ନିଜ ଭବିଷ୍ୟତ ନେଇ ଏବେଠାରୁ ପ୍ରମାଦ ଗଣିଲେଣି। ଯେହେତୁ ଇତିମଧ୍ୟରେ ଓଡ଼ିଶା ରାଜନୀତି ସମୀକରଣ ବଦଳିବା ଆରମ୍ଭ କରିଛି, ଏଣୁ ନିଜ ଝିଅ ବା ସ୍ତ୍ରୀଙ୍କୁ ପ୍ରାର୍ଥୀ କରି ନିଜ ହାତରେ ଆସନ ସୁରକ୍ଷିତ ରଖିବା ସମ୍ଭାବନା ମଧ୍ୟ ନାହିଁ। ଗତଥର କିଛି ଆସନରେ ଏଭଳି କୌଶଳ କରି ଶାସକ ଦଳ ସଫଳ ହୋଇଥିଲା। ସ୍ମରଣଥାଉକି, ଗୋଟିଏ ପଟେ ରାଜ୍ୟର ୩୦ଟି ଜିଲ୍ଲାର ପାଖାପାଖି ଶହେ ସରିକି ଆସନରେ ଏକାଧିକ ନେତା ଶାସକ ଦଳରୁ ଟିକେଟ୍ ପାଇଁ ବଳ କଷାକଷି ଆରମ୍ଭ କରିଛନ୍ତି। ପୁରୁଣା ଓ ନୂଆଙ୍କ ଭିତରେ ଛକାପଞ୍ଝା ଚାଲିଛି। ପୃଥକ୍ ପୃଥକ୍ ସଂଗଠନ କରି ଏହି ନେତାମାନେ ନିଜ ନିଜର ସାମର୍ଥ୍ୟ ବଢ଼ାଉଛନ୍ତି। ଏପରିକି ଦଳୀୟ ଯଦି ଟିକେଟ୍ ନ ମିଳେ, ତେବେ ରାଜୁ ଦାସଙ୍କ ଭଳି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହେବା ଲାଗି ଅନେକ ଖୋଲାଖୋଲି କହିଲେଣି।

ଏସବୁ ଭିତରେ ଏହି ଦୁଇଟି ରାଜନୈତିକ ଘଟଣା ଶାସକ ବିଜେଡି ପାଇଁ ମୁଣ୍ଡବ୍ୟଥା ହୋଇଛି। ଏକଥା ସତ ଯେ ୩୩ ପ୍ରତିଶତ ମହିଳା ଆସନ ସପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ କାର୍ଡ ଖେଳିଥିଲେ। ବିଜେଡି ସରକାର ପଞ୍ଚାୟତରେ ୫୦ ପ୍ରତିଶତ ସଂରକ୍ଷଣ ମଧ୍ୟ କରିଛି। ହେଲେ ସୁପ୍ରିମୋଙ୍କ ନିଷ୍ପତ୍ତି ଯେବେ କାର୍ଯ୍ୟକାରୀ ହେଉଛି ଓ ଅନେକ ନେତା ଏହାକୁ ଗଣମାଧ୍ୟମରେ ସମର୍ଥନ ଦେଉଛନ୍ତି, ପରବର୍ତ୍ତୀ ସମୟରେ କିନ୍ତୁ କେଉଁ କେଉଁ ଆସନକୁ ବିଜେଡି ଶୀର୍ଷ ନେତୃତ୍ବ ମହିଳାଙ୍କୁ ଟେକିଦେବେ, ସେ ନେଇ ସେମାନେ ଚିନ୍ତାରେ ପଡ଼ିଗଲେଣି।

୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିେର ରଖି ୨୦୧୫ ମସିହାରୁ ବିଜେଡି ବିଧାନ ପରିଷଦ ଗୋଟି ଖେଳି ଦଳ ଅସନ୍ତୋଷକୁ ଚାପିବାକୁ ଉଦ୍ୟମ କରିଥିଲା। ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରି ରିପୋର୍ଟ ପ୍ରସ୍ତୁତ ପରେ ସରକାର ଏହାକୁ ତୁରନ୍ତ ବିଧାନସଭାକୁ ଆଣିଥିଲେ। ବିରୋଧୀଙ୍କ କକ୍ଷତ୍ୟାଗ ସତ୍ତ୍ବେ ୧୦୪ ଜଣଙ୍କ ବିଧାୟକଙ୍କ ସମର୍ଥନରେ ଏହା ପାରିତ ହୋଇଥିଲା। ପରେ ଏହାକୁ କେନ୍ଦ୍ରକୁ ପଠାଯାଇଥିଲା। ହେଲେ କେନ୍ଦ୍ର ଏହାକୁ ନେଇ ବିଶେଷ ତତ୍ପରତା ଦେଖାଉନାହିଁ। ଏଣୁ ନିର୍ବାଚନ ପରେ ସ୍ଥିତିକୁ ସମ୍ଭାଳିବା ପାଇଁ ସରକାର ସବୁ ବିଭାଗରେ ଆଖିବୁଜା ପରାମର୍ଶଦାତା ବା ଉପଦେଷ୍ଟା ପଦବି ସୃଷ୍ଟି କରିଥିଲେ। କାହାକୁ ମନ୍ତ୍ରୀ ପାହ୍ୟା ତ ଆଉ କାହାକୁ ଅନେକ ସୁବିଧା ସୁଯୋଗ ଟେକି ଦିଆଯାଇଥିଲା। ହେଲେ ଏସବୁ ପଦବି ଯେ କେବଳ ଆଳଙ୍କାରିକ ଏବଂ କୌଣସି କ୍ଷମତା କାହାର ନାହିଁ, ଏକଥା ବେଶି ଦିନ ଲୁଚି ରହିଲା ନାହିଁ। ସବୁଠାରୁ ବଡ଼ କଥା ହେଲା, ନିର୍ବାଚନମଣ୍ଡଳୀରେ ପତିଆରା ବଢ଼ାଇବାରେ ଏହା ଆଦୌ ସହାୟକ ହେଲାନାହିଁ। ଓଲଟା ମନ୍ତ୍ରୀମାନଙ୍କ ଭୂମିକା ସରକାରରେ ଗୌଣ ହୋଇଥିବା ଚର୍ଚ୍ଚା ଜୋର ଧରିବା ପରେ ଏମାନଙ୍କ ସ୍ଥିତି ଆହୁରି ସଙ୍ଗିନ୍ ହୋଇଗଲା। ଏଣୁ ଆସନ୍ତା ନିର୍ବାଚନ ବେଳକୁ ଏ ଥୋପ ଆଉ କାମ କରିବ ନାହିଁ, ଏକଥା ଆଉ କାହାକୁ ଅଛପା ନାହିଁ।




Related Articles

Leave a Reply

Your email address will not be published. Required fields are marked *

Back to top button