ଅଙ୍ଗନବାଡ଼ି ଦିଦିଙ୍କୁ ଅତର୍କିତ ଆକ୍ରମଣ: ୧୦ ଘଣ୍ଟା ପରେ ବି ଚେତାଶୂନ୍ୟ, ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ବର : ଅଙ୍ଗନବାଡ଼ି ଦିଦିଙ୍କୁ ଅତର୍କିତ ଆକ୍ରମଣ ହୋଇଛି । ଘରୁ ଚୋରି ଉଦ୍ୟମ ବେଳେ ବିରୋଧ କରିବାରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ୧୦ଘଣ୍ଟା ପରେବି ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି ଅଙ୍ଗନବାଡ଼ି ଦିଦି । ତାଙ୍କ ନାଁ ସୁକାନ୍ତି ସାହୁ । ଏପରି ଘଟଣା ବାଲେଶ୍ବର ସିମୁଳିଆ ଥାନା ବରି ଗାଁରୁ ଆସିଛି ।
ଗତକାଲି ବିଳମ୍ବିତ ରାତିରେ ସୁକାନ୍ତିଙ୍କ ସ୍ବାମୀ ଘରେ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶିଥିଲେ । ଘରୁ ଲୁଟ ଉଦ୍ୟମ ବେଳେ ସୁକାନ୍ତି ଏହାର ବିରୋଧ କରିବାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ସୁକାନ୍ତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ସ୍ବାମୀ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ପ୍ରଥମେ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁକାନ୍ତିଙ୍କ ମୁଣ୍ଡ,ଆଖି ଓ ମୁହଁରେ ଗଭୀର ଆଘାତ ଲାଗିଛି । ବର୍ତମାନ ପର୍ଯ୍ୟନ୍ତ ତାଙ୍କର ଚେତା ଫେରି ନଥିବା ଜଣାପଡ଼ିଛି । ସେପଟେ ସିମୁଳିଆ ଥାନା ପୋଲିସ ତଦନ୍ତ କରି ୫ଜଣକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।


