ଦେଶ ବିଦେଶ

ପହଲଗାମ ଆତଙ୍କୀଙ୍କ ତଲାସୀ ଜାରି: ଅନନ୍ତନାଗରୁ ୧୭୫ ସନ୍ଦିଗ୍ଧ ଅଟକ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ମିଳିତ ସୁରକ୍ଷା ବାହିନୀର ବିଶାଳ ତଲାସୀ ଅଭିଯାନ ଜାରି ରହିଛି। ପହଲଗାମ ସହରଠାରୁ ୫ କିଲୋମିଟର ଦୂର ବୈସାରଣ ଘାଟିରେ ଏପ୍ରିଲ ୨୨ରେ ଘଟିଥିବା ବବର୍ର ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ୨ ଶହରୁ ଅଧିକ ଟିମ୍‌ ଅହରହ ନିୟୋଜିତ ଅଛନ୍ତି।  ୨୪ ଘଣ୍ଟା ମଧ୍ୟରେ ଅନନ୍ତନାଗ ଜିଲ୍ଲାରୁ ଅତି କମରେ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ସୁରକ୍ଷା ବାହିନୀ ଏହି ଅଂଚଳରୁ ଆତଙ୍କବାଦୀଙ୍କ ସହଯୋଗୀ, ସକ୍ରିୟ ଆତଙ୍କବାଦୀଙ୍କ ସମ୍ପର୍କୀୟ ଏବଂ ଅନ୍ୟ ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି। ବ୍ୟାପକ ଜେରା ପରେ କିଛି ଲୋକଙ୍କୁ ଛଡ଼ା ଯାଇଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଅଟକଙ୍କ ସଂଖ୍ୟା ୧୭୫ ରହିଥିବା ପୁଲିସ ମୁଖପାତ୍ର କହିଛନ୍ତି। ଅନନ୍ତନାଗ ପୁଲିସ, ସେନା, ସିଆର୍‌ପିଏଫ୍‌ ଏବଂ ଅନ୍ୟ ସୁରକ୍ଷା ବାହିନୀର ମିଳିତ ଟିମ୍‌ ଜିଲ୍ଲାରେ ବ୍ୟାପକ ସର୍ଚ ଅପରେସନ ଜାରି ରଖିଛନ୍ତି।

ଆତଙ୍କବାଦୀ କାର୍ଯ୍ୟକଳାପକୁ ସହାୟତା କରୁଥିବା ସମର୍ଥକ ନେଟୱର୍କକୁ ଧ୍ୱଂସ କରିବା ପାଇଁ ଚଳିତ ଅପରେସନ ସବୁଠାରୁ ବଡ଼ ପ୍ରୟାସ ବୋଲି ଜଣାପଡ଼ିଛି। ଏଥିରେ ଜନସାଧାରଣ ସହଯୋଗ କରିବା ପାଇଁ ନିବେଦନ କରାଯିବା ସହ ଘରକୁ ଘର ତଲାସୀ ଅଭିଯାନ ଆହୁରି ବ୍ୟାପକ ହେବ ବୋଲି କୁହାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଜରୁରୀ ସହାୟତା କେନ୍ଦ୍ର ଖୋଲାଯାଇଛି। ଆତଙ୍କବାଦୀ ମୂଳପୋଛ ହେବା ପର୍ଯ୍ୟନ୍ତ ଏଭଳି ଅଭିଯାନ ଥମିବ ନାହିଁ ବୋଲି ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି। ଘନ ଜଙ୍ଗଲ ଅଞ୍ଚଳରେ ମଧ୍ୟ କମ୍ବିଂ ଚାଲିଛି ଏବଂ ଦିବାରାତ୍ର ପାଟ୍ରୋଲିଂ କଡ଼ାକଡ଼ି ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button