ପ୍ରଧାନଶିକ୍ଷକଙ୍କ ମାଡରେ ଛାତ୍ର ଲହୁ ଲୁହାଣ

କନ୍ଧମାଳ: ସାଙ୍ଗ ସାଥି ମେଳରେ ରହି ଭଲ ପାଠ ପଢିବ ଓ ଯୋଗ ଶିକ୍ଷା ବି ଗ୍ରହଣ କରିବ, ଆଉ ତାପରେ ସ୍କୁଲରେ ନାମ ଲେଖାଯିବ । ଏଭଳି କିଛି ଆଶା ନେଇ ବାପା ମାଆ ଏକ ଘରୋଇ ଆଶ୍ରମ ସ୍କୁଲରେ ଛାଡିଥିଲେ ନିଜ କଅଁଳିଆ ପିଲାକୁ । ହେଲେ ପ୍ରଧାନ ଶିକ୍ଷକଙ୍କ ମାଡରେ ଲହୁ ଲୁହାଣ ହୋଇ ଦିର୍ଘ ଦିନ ଧରି ହଷ୍ଟେଲ ମଧ୍ୟରେ ରଖାଯାଇଥିବା ଘଟଣା ଏବେ ପଦାକୁ ଆସିଛି ।
ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଧିନରେ ଥିବା ଏକ ଘରୋଇ ଆଶ୍ରମ ସ୍କୁଲରେ ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ଗୋଛାପଡା ଥାନା ବୃଡିଗୁଡା ଗ୍ରାମର ଅଭୟ ମହାକୁଡ ଓ ସକୁନ୍ତଳା ଘଡେଇଙ୍କ ଏକ ମାତ୍ର ପୂଅ ପ୍ରିନ୍ସ ମହାକୁଡ । ବୟସ ମାତ୍ର ୫ ବର୍ଷ । ପ୍ରିନ୍ସକୁ ଉକ୍ତ ଆଶ୍ରମ ସ୍କୁଲରେ ପାଠ ପଢିବା ପାଇଁ ଗତ ଜୁନ୍ ମାସରେ ଛାଡିଥିଲେ ପରିବାର ଲୋକେ । ଜୁନ୍ ମାସ ପୂର୍ବରୁ ବୃଡିଗୁଡା ଗ୍ରାମରେ ବୈଦିକ ସତସଙ୍ଗ ଆଶ୍ରମ ସ୍କୁଲ ପକ୍ଷରୁ ଏକ ଯୋଗ ଶିକ୍ଷା ଶିବିର କାର୍ଯ୍ୟକ୍ରମ କରାଯାଇଥିଲା ।
ସେହି ଯୋଗଣିକ୍ଷା ଶିବିରରେ ପ୍ରିନ୍ସ ମଧ୍ୟ ଭାଗ ନେଇଥିଲା । ପ୍ରିନ୍ସ ଭଲ ଯୋଗ କରିଥିବାରୁ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ କହଁର ପ୍ରିନ୍ସର ବାପା ମାଆଙ୍କୁ କହିଥିଲେ। ପ୍ରିନ୍ସର ଜଣେ ସମ୍ପର୍କିୟକଙ୍କ ପୁଅ ବି ହଷ୍ଟେଲରେ ରହି ପାଠ ପଢୁଥିଲା । ସମ୍ପର୍କିୟଙ୍କ ଭରସା ଓ ପ୍ରଧାନ ଶିକ୍ଷକଙ୍କ କହିବା ଅନୁଯାଇ ପ୍ରିନ୍ସ୍କୁ ସେଠାରେ ନାମ ନଲେଖାଇ ମୈାଖିକ ଭାବେ ହଷ୍ଟେଲରେ ଛାଡିଥିଲେ। ତେବେ ପୁଅ ପ୍ରାଥମିକ ଶିକ୍ଷା ଗ୍ରହଣ କରିବ ଓ ଯୋଗ ଶିକ୍ଷା ଗ୍ରହଣ କରିବା ସହ ସାଙ୍ଗ ସାଥିଙ୍କ ସହ ମିଶିବା ପରେ ପରବର୍ତି ସମୟରେ ସେହି ଆଶ୍ରମ ସ୍କୁଲରେ ନାମ ଲେଖାଇବେ ଏହି ଉଦ୍ଦେଶ୍ୟ ନେଇ ବାପା ମାଆ ଛାଡିଥିଲେ ।
ପ୍ରତିଦିନ ବାପା ପୁଅ କିପରି ଅଛି ଜାଣିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ଫୋନ୍ କରି ପଚାରୁଥିଲେ । ଦିନେ ପ୍ରିନ୍ସ ହଷ୍ଟେଲ୍ ବାହାରକୁ ଯାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ଦୋକାନକୁ ଖାଇବା ପାଇଁ କିଛି କିଣିଥିଲା । ଏହି ଖବର ଜାଣିବା ପରେ ପ୍ରଧାନ ଶିକ୍ଷକ ନିରଞ୍ଜନ କହଁର ରାଗରେ ଜର୍ଜରିତ ହୋଇ ଅମାନୁଷିକ ଭାବେ କୋମଳ ଶିଶୁ ପ୍ରିନ୍ସକୁ ନିର୍ଧୁମ୍ ମାଡ ମାରି ଲହୁ ଲୁହାଣ କରିଥିଲେ । ଏତେ ଘଟଣା ଘଟିବା ସତ୍ଵେ ପରିବାର ଲୋକଙ୍କୁ ପ୍ରିନ୍ସ ସମ୍ପର୍କରେ ପରିବାର ଲୋକଙ୍କୁ କିଛି ଜଣାଇ ନଥିଲେ। ପ୍ରିନ୍ସକୁ ମାଡ ମରାଯାଇଥିବା ଖବର ସମ୍ପର୍କିୟ କହିବା ପରେ ବାପା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଫୋନ୍ ଦ୍ଵାରା ପଚାରିଥିଲେ କିନ୍ତୁ ପ୍ରଧାନ ଶିକ୍ଷକ ଫୋନ୍ ବନ୍ଦ କରିଦେଇଥିଲେ ।
ତୁରନ୍ତ ପରିବାର ଲୋକେ ସେହି ହଷ୍ଟେଲକୁ ଯାଇ ପୁଅର ହାଲ୍ ଚାଲ୍ ବୁଝିଥିଲେ । ପୁଅର ଶରୀରରେ ଏହିଭଳି ମାଡ ଓ କ୍ଷେତ ବିକ୍ଷତ ଦେଖି ନିଜ ଘରକୁ ନେଇ ପ୍ରଥମେ ଗୋଛାପଡା ଏକ ଘରୋଇ କ୍ଳିନିକ୍ ରେ ଦେଖାଇଥିଲେ । ପରେ ପୁଅର ପେଟ ଫୁଲାଉଥିବା ଦେଖିବା ପରେ ଫୁଲବଣୀ ଜିଲ୍ଲା ମୁଖ୍ୟ ଚିକିସାଳୟକୁ ଆଣି ଜଏନ୍ କରିଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ଟେଷ୍ଟ କରାଯାଇଥିଲା। ପ୍ରିନ୍ସର ଇଣ୍ଟରନାଲ ଇନ୍ଜୁରୀ ହୋଇଥିବା ରିପାର୍ଟରୁ ଜଣାପଡିଛି । ଏହିଭଳି ଏକ ଘଟଣାକୁ ଘୋର ନିନ୍ଦା କରିବା ସହ ଏହିଭଳି ଶିକ୍ଷକଙ୍କୁ ଆଇନ୍ ଦ୍ଵାରା କଡାରୁ କଡା ଦଣ୍ଡ ଦିଆଯିବା ଆବଶ୍ୟକ ବୋଲି ଦାବି କରିଛନ୍ତି ପରିବାର ଲୋକେ ।
ଏପଟେ ପ୍ରିନ୍ସକୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଶରୀରର କ୍ଷେତ ବିକ୍ଷତ ଦେଖି ସମସ୍ତ ପ୍ରକାର ଟେଷ୍ଟ କରିବା ପାଇଁ କହିଥିଲେ ଡାକ୍ତର । ରିପୋର୍ଟ ଦେଖିବା ଏହି ମାଡ ଦିର୍ଘ ଦିନର ବୋଲି କହିବା ସହ ଇଣ୍ଟରନାଲ୍ ଇନ୍ଜୁରି ହୋଇଥିବା କହିଛନ୍ତି ଡାକ୍ତର । ଆବଶ୍ୟକ ପଡିଲେ ଅଧିକା ଚିକିସା ପାଇଁ ଜିଲ୍ଲା ବାହାରକୁ ରେଫର୍ କରାଯିବ ବୋଲି କହିଛନ୍ତି ଡାକ୍ତର ମାନଓ ରଞ୍ଜନ ମଲ୍ଲିକ । ଏ ସମ୍ପର୍କରେ ଆମେ ରାଇକିଆ ଥାନାଧିକାରୀଙ୍କୁ ଯୋଗାଯୋଗ କରିଥିଲୁ ପୀଡିତ ଛାତ୍ରଙ୍କ ପରିବାରଙ୍କ ଲିଖିତ ଅଭିଯୋଗ ପରେ ଘଟଣାର ସତ୍ୟାସତ୍ୟ ତଦନ୍ତ ଚାଲିଛି ଓ ପ୍ରଧାନ ଶିକ୍ଷକ ଫେରାର୍ ଥିବା ସୂଚନା ଦେଇଛନ୍ତି ରାଇକିଆ ଥାନାଧିକାରୀ ।
କଥାରେ ଅଛି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର …ଗୁରୁଃ ସାକ୍ଷାତ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ । ଜୀବନରେ ମାତା-ପିତା,ଭାଇ-ଭଉଣୀ ,ସ୍ବାମୀ-ସ୍ତ୍ରୀର ସଂପର୍କଠାରୁ ଖୁବ ନିଆରା ରହିଥାଏ ଗୁରୁ-ଶିଷ୍ଯଙ୍କ ସଂପର୍କ । ଏଥିପାଇଁ ତ ଦୁନିଆରେ ସବୁଠାରୁ ଉଚ୍ଚ ସ୍ଥାନରେ ଗୁରୁ୍ଙ୍କୁ ଦିଆଯାଇଛି । ଯଦି ବିଦ୍ୟାଦାନ କରୁଥିବା ଶିକ୍ଷକଙ୍କ ଏଭଳି ସ୍ୱଭାବ ରହିବ, ଯଦି ବିଦ୍ୟାଳୟରେ କୁନିକୁନି ପିଲାଙ୍କୁ ଏଭଳି ନିର୍ଯାତନା ଦିଆଯିବ ତାହେଲେ ଆଗାମୀ ଭବିଷ୍ୟତ କଣ ହେବ ଥରେ ଚିନ୍ତା କଲେ ।


