କ୍ରୀଡା

ବିଶ୍ବକପ୍ ବିପର୍ଯ୍ୟୟ ପରେ ଭାରତୀୟ ହକି ଦଳର ମୁଖ୍ୟ କୋଚ୍ ଗ୍ରାହାମ ରିଡଙ୍କ ଇସ୍ତଫା

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ପୁରୁଷ ହକି ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ ଏବଂ ଅନ୍ୟ ଦୁଇଜଣ ସପୋର୍ଟ ଷ୍ଟାଫ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହକି ଇଣ୍ଡିଆ ସେମାନଙ୍କ ଇସ୍ତଫା ଗ୍ରହଣ କରିଛି ।

ରିଡଙ୍କ ତତ୍ତ୍ଵାବଧାନରେ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳ ଓଡିଶାରେ ଅନୁଷ୍ଠିତ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍ ପଡିଥିଲା । ଦଳ ନବମ ସ୍ଥାନରେ ରହିଥିଲା ।

ରିଡଙ୍କ ବ୍ୟତୀତ ବିଶ୍ଳେଷଣ କୋଚ୍ ଗ୍ରେଗ କ୍ଲାର୍କ ଏବଂ ବୈଜ୍ଞାନିକ ପରାମର୍ଶଦାତା ମିଚେଲ ଡେଭିଡ୍ ପେମ୍ବରଟନ୍ ମଧ୍ୟ ଇସ୍ତଫା ଦେଇଛନ୍ତି।

ହକି ଇଣ୍ଡିଆ ତରଫରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ବିଶ୍ୱକପ ଶେଷ ହେବାର ଦିନକ ପରେ ରିଡ୍ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ତିର୍କି ଏବଂ ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଲାନାଥ ସିଂହ ଦଳର ପ୍ରଦର୍ଶନ ବିଷୟରେ ଆଲୋଚନା କରିବା ପାଇଁ ରିଡ୍ ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କୁ ଭେଟିଥିଲେ।

ରିଡଙ୍କ ବ୍ୟତୀତ କ୍ଲାର୍କ ଏବଂ ଡେଭିଡ ମଧ୍ୟ ସୋମବାର ସକାଳେ ଇସ୍ତଫା ଦେଇଛନ୍ତି। ଏହି ତିନିଜଣ ଆଗାମୀ ମାସ ଯାଏ ନୋଟିସ୍ ପିରିୟଡରେ ରହିବେ |

ରିଡ୍ କହିଛନ୍ତି, ମୋର ସମୟ ଶେଷ ହୋଇଛି ଏବଂ ନୂଆ ମ୍ୟାନେଜମେଣ୍ଟକୁ ଦାୟିତ୍ବ ହସ୍ତାନ୍ତର କରିବାର ସମୟ ଆସିଛି। ଏହି ଦଳ ଏବଂ ହକି ଇଣ୍ଡିଆ ସହିତ କାମ କରିବା ଅନୁଭତି ବେଶ୍ ସୁଖଦ ଥିଲା | ମୁଁ ଏହି ଅଦ୍ଭୁତ ଯାତ୍ରାର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଥିଲି | ଭବିଷ୍ୟତ ପାଇଁ ଦଳକୁ ଶୁଭେଚ୍ଛା। ”

ରିଡ୍ ଏବଂ ତାଙ୍କ କୋଚିଂ ଟିମ୍ ତତ୍ତ୍ଵାବଧାନରେ ଭାରତ ୪୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ଜିତିଥିଲା ​​| ଏହା ବ୍ୟତୀତ ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ସହ ଏଫ୍ଆଇଏଚ୍ ପ୍ରୋ ଲିଗ୍ ୨୦୨୧-୨୨ ସିଜନରେ ତୃତୀୟ ସ୍ଥାନ ହାସଲ କରିଥିଲା |

ରିଡଙ୍କ କୋଚିଂରେ ଭାରତୀୟ ଦଳ ୨୦୧୯ରେ ଏଫ୍ଆଇଏଚ୍ ୱାର୍ଲ୍ଡ ସିରିଜ୍ ଟାଇଟଲ୍ ମଧ୍ୟ ଜିତିଥିଲେ । ଏହା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଖେଳି ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ରିଡ୍ ଅନ୍ୟ ଦୁଇ କୋଚିଂ ଷ୍ଟାଫଙ୍କ ଇସ୍ତଫା ଗ୍ରହଣ କରି ହକି ଇଣ୍ଡିଆର ସଭାପତି ତିର୍କି କହିଛନ୍ତି, “ଆମକୁ ଭଲ ଫଳାଫଳ ଦେଇଥିବାରୁ ଗ୍ରାହାମ ରିଡ୍ ଏବଂ ତାଙ୍କ ଦଳ ପାଖରେ ଭାରତ ସର୍ବଦା ଋଣୀ ରହିବ। ବିଶେଷକରି ଅଲିମ୍ପିକ୍ ସଫଳତା ପାଇଁ | ପ୍ରତ୍ୟେକ ଯାତ୍ରାରେ ନୂଆ ପର୍ଯ୍ୟାୟ ଅଛି ଏବଂ ବର୍ତ୍ତମାନ ଆମକୁ ମଧ୍ୟ ଦଳ ପାଇଁ ଏକ ନୂଆ ବିଚାର ସହ ଆଗକୁ ବଢିବାକୁ ପଡିବ ।”

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button