ଗୁରୁଦିବସରେ ଗୁରୁସୁମରଣା

ଭୁବନେଶ୍ବର: ଗୁରୁ ଅଜ୍ଞାନର ଅନ୍ଧକାର ମଧ୍ୟରୁ ଜ୍ଞାନର ଆଲୋକ ଆଡ଼କୁ ବାଟ କଢ଼ାଇନିଅନ୍ତି। ସେଥିପାଇଁ ବିଶ୍ବର ସବୁ ସଂସ୍କୃତିରେ ଗୁରୁମାନଙ୍କର ସ୍ଥାନ ବହୁ ଉଚ୍ଚରେ। ଭାରତୀୟ ପରଂପରାରେ ତ ଗୁରୁଙ୍କୁ ଭଗବାନଙ୍କ ସହ ତୁଳନା କରାଯାଏ। ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ଭଳି ଭକ୍ତି କରାଯାଏ। ସେ ବ୍ରହ୍ମା ହୋଇ ଶିଷ୍ୟକୁ ନିଜ ହାତରେ ଗଢ଼ନ୍ତି, ବିଷ୍ଣୁ ସାଜି ପରିପୁଷ୍ଟ କରନ୍ତି, ପୁଣି ଶିବ ହୋଇ ଶିଷ୍ୟର ଜୀବନରେ ଥିବା ଆବିଳତା ଓ ଅଜ୍ଞତାର ସଂହାର କରନ୍ତି।
ଗୁରୁ-ଶିଷ୍ୟଙ୍କ ଭିତରେ ଥିବା ସଂପର୍କର ସ୍ବୀକୃତି ତଥା ସମ୍ମାନରେ ପ୍ରତିବର୍ଷ ସେପ୍ଟେମ୍ବର ୫ରେ ଆମ ଦେଶରେ ପାଳନ ହୁଏ ଗୁରୁ ଦିବସ। ସେହି ଅବସରରେ ନିଜ ଗୁରୁମାନଙ୍କୁ ମନେ ପକାଇଛନ୍ତି ତିନିଜଣ ପ୍ରସିଦ୍ଧ ଶିଷ୍ୟ
‘ପେଟ ଭରି ଖାଇବ, ତା’ପରେ ଗାଇବ’
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମୁଁ ପଢ଼ିବା ବେଳେ ଓଡ଼ିଶାର ବରପୁତ୍ର ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ଭଜନ ସମ୍ରାଟ ଭିକାରୀ ବଳ, ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ଭଳି ୩ ଜଣ ଗୁରୁଙ୍କ ଅଧୀନର ସଙ୍ଗୀତ ଶିକ୍ଷା ଗ୍ରହଣ କରିବାର ସୁଯୋଗ ମିଳିଥିଲା। ହେଲେ ବାଳକୃଷ୍ଣ ସାର୍ଙ୍କ ସଙ୍ଗୀତ ଗାୟନ ଶୈଳୀ ମୋତେ ପ୍ରଭାବିତ କରିଥିଲେ। ତେଣୁ ମୋର ସଙ୍ଗୀତ ନିର୍ଦ୍ଦେଶନା ଓ ଗାୟନ ଶୈଳୀରେ ତାଙ୍କ ଛାପ ଦେଖିବାକୁ ମିଳେ। ସେ ଆମକୁ କେବଳ ଶିକ୍ଷା ଦେଉ ନଥିଲେ, ଆମ ପାଇଁ ବହୁତ ଯତ୍ନବାନ ମଧ୍ୟ ଥିଲେ। ଆମେ ନ ଖାଇ କ୍ଲାସ୍କୁ ଗଲେ, ବାଳକୃଷ୍ଣ ସାର୍ କହୁଥିଲେ, ‘‘ପେଟ ଭରି ଖାଇବ, ତା’ପରେ ଗାଇବ। ଏଇ ଦୁଇଟି ଭିତରେ ସାମଞ୍ଜସ୍ୟ ନରହିଲେ, କିଛି ଠିକ୍ ହେବନାହିଁ।’’



