ଦେଶ ବିଦେଶ

ଆଜି ପ୍ରଧାନମନ୍ତ୍ରୀ ‌ମୋଦୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମନ୍ତ୍ରୀ ଓ ରାଜନେତା – Utkal Mail


ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୩ତମ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମନ୍ତ୍ରୀ ଓ ରାଜନେତାମାନେ ଶୁଭେଚ୍ଛା ଜଣାଇଛନ୍ତି।

ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଏକ୍ସ୍‌’ କରିଛନ୍ତି: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମୋର ଶୁଭେଚ୍ଛା ‌ଏହି ଯେ, ନିଜ ଦୂରଦୃଷ୍ଟି ତଥା ସୁଦୃଢ଼ ନେତୃତ୍ବଦ୍ବାରା ଆପଣ ‘ଅମୃତ କାଳ’ରେ ଭାରତର ସମଗ୍ର ବିକାଶର ପଥ ପ୍ରଶସ୍ତ କରନ୍ତୁ। ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣ ସବୁବେଳେ ସୁସ୍ଥ ଓ ଆନନ୍ଦରେ ରୁହନ୍ତୁ ଓ ଆପଣଙ୍କ ଅପ୍ରତିମ ନେତୃତ୍ବ ବଳରେ ଦେଶବାସୀଙ୍କୁ ଲାଭବାନ କରୁଥାଆନ୍ତୁ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନବ ଭାରତର ନିର୍ମାତା କହି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦେଶର ପ୍ରାଚୀନ ଐତିହ୍ୟ ଆଧାର ଉପରେ ସେ ମହାନ୍‌ ଓ ଆତ୍ମନିର୍ଭରଶୀଳ ଭାରତର ସୁଦୃଢ଼ ମୂଳଦୁଆ ପକାଇଛନ୍ତି। ଦଳର ସଙ୍ଗଠନ ହେଉ କି, ସରକାର ହେଉ, ମୋଦୀଜୀଙ୍କଠାରୁ ଆମେ ସଦାସର୍ବଦା ଦେଶର ସ୍ବାର୍ଥ ବଡ଼ ବୋଲି ପ୍ରେରଣା ପାଉ। ଏଭଳି ନେତାଙ୍କ ନେତୃତ୍ବରେ ଦେଶସେବା କରିବାକୁ ମୁଁ ସୌଭାଗ୍ୟ ମଣୁଛି।

Image Courtesy of PTI

ଜନ୍ମଦିନ ଶୁଭେଚ୍ଛାରେ ‘ବିଜେପି’ ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା କହିଛନ୍ତି, ଭାରତୀୟ ସଂସ୍କୃତିର ବୈଶ୍ବିକ ପ୍ରତିଷ୍ଠା, ଜନସାଧାରଣଙ୍କ ସାମଗ୍ରିକ ବିକାଶ ଓ ଦେଶର ସାର୍ବଭୌମିକ ଉତ୍କର୍ଷକୁ ଆପଣ ସାକାର ରୂପ ପ୍ରଦାନ କରିଛନ୍ତି। ଆମର ଲକ୍ଷ୍ୟ ‘ଅନ୍ତ୍ୟୋଦୟ’ ପ୍ରତ୍ୟେକ ଗାଁ ଓ ସମାଜର ସବୁ ଶ୍ରେଣୀରେ ପହଞ୍ଚି ‘ବିକଶିତ ଭାରତ’ର ସଙ୍କଳ୍ପ ସିଦ୍ଧିର ମନ୍ତ୍ର ପାଲଟି ଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, ମୋଦୀ ଖାଲି ଭାରତକୁ ନୂଆ ପରିଚୟ ଦେଇ ନାହାନ୍ତି, ବିଶ୍ବର ଭାରତର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ବିକାଶକୁ ନୂତନ ଶିଖରକୁ ନେଇଯାଇଛନ୍ତି। ମୁଁ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରୁଛି।

ସୂଚନାଯୋଗ୍ୟ, ଆଜି ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କେତେଗୁଡ଼ିଏ ବିକାଶମୂଳକ ଉପକ୍ରମର ଶୁଭାରମ୍ଭ କରିବେ। ଆଜି ‘ବିଶ୍ବକର୍ମ ଜୟନ୍ତୀ’ ପଡୁଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କର ଆକାଙ୍‌କ୍ଷୀ ଯୋଜନା ‘ପି.ଏମ୍‌. ବିଶ୍ବକର୍ମା’ର ଶୁଭାରମ୍ଭ କରିବେ।

ଏହାଛଡ଼ା, ‘ଯଶୋଭୂମି’ ନାଁରେ ସେ ଦ୍ବାରକାରେ ‘ଇଣ୍ଡିଆ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କନ୍‌ଭେନ୍‌ସନ୍‌ ଆଣ୍ଡ୍‌ ଏକ୍‌ସ୍ପୋ ସେଣ୍ଟର୍‌’ର (ଆଇଆଇସିସି) ପ୍ରଥମ ପର୍ଯ୍ୟାୟ, ଦ୍ବାରକା ସେକ୍ଟର୍‌ ୨୧ରୁ ଦ୍ବାରକା ସେକ୍ଟର୍‌ ୨୫ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହୋଇଥିବା ଏକ ନୂଆ ଷ୍ଟେସନ ସହିତ ସଂଯୋଗ ହୋଇଥିବା ‘ଦିଲ୍ଲୀ ଏୟାର୍‌ପୋର୍ଟ ମେଟ୍ରୋ ଏକ୍ସପ୍ରେସ୍‌ ଲାଇନ୍‌’ର ଉଦ୍‌ଘାଟନ କରିବେ।




Related Articles

Leave a Reply

Your email address will not be published. Required fields are marked *

Back to top button