ନୀତି

ଭାଇ ବିବାଦରୁ ‘ଆଦିଦାସ’ ଓ ‘ପୁମା’ ଜନ୍ମକାହାଣୀ – Utkal Mail


ଜର୍ମାନୀର ବାଭାରିଆ ପ୍ରଦେଶ ଅନ୍ତର୍ଗତ ଔରାଚ୍‌ ନଦୀ କୂଳରେ ହର୍ଜୋଜେନୌରାକ୍‌ ନାମକ ଏକ ଛୋଟ ସହର ଅବସ୍ଥିତ। ୧୯୪୦ ଦଶକର ଶେଷ ଭାଗରେ ଏଠାରେ ବସବାସ କରୁଥିବା ଦୁଇ ଭାଇ ଆଡଲ୍‌ଫ ଡାସଲର ଓ ରୁଡୋଲ୍‌ପ ଡାସଲରଙ୍କ ମଧ୍ୟରେ ଏକ ତିକ୍ତ ପାରିବାରିକ କଳହ ପରେ ନିଜ ନିଜ ରାସ୍ତାରେ ଯିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଜୋତା ବ୍ୟବସାୟ ଆରମ୍ଭ କଲେ ଏବଂ ପ୍ରତ୍ୟେକ କମ୍ପାନି ନିଜସ୍ବ ପରିଚୟ ସୃଷ୍ଟି ସହ କ୍ରୀଡ଼ା ଜଗତରେ ବଡ଼ ନାମ କଲା। ଏହି ପାରିବାରିକ କଳହ ଖୁବ୍‌ ଶୀଘ୍ର ସହରକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରିଦେଲା।

ସାନଭାଇ ଆଡୋଲ୍‌ଫ (ଡାକନାମ ଆଦି) ଜଣେ କ୍ରୀଡ଼ାବିତ୍‌ ହେବାକୁ ଚାହୁଁଥିଲେ ଏବଂ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରି ପ୍ରତ୍ୟେକ କ୍ରୀଡ଼ା ପାଇଁ ଉପଯୁକ୍ତ ଜୋତାର ଅଭାବ ଥିବା ସେ ଅନୁଭବ କରିଥିଲେ। ତେବେ ନିଜ ସ୍ବପ୍ନ ସାକାର ହେବା ଆଗରୁ ପ୍ରଥମ ବିଶ୍ବଯୁଦ୍ଧ ବେଳେ ସେ ସେନାବାହିନୀରେ ଭର୍ତ୍ତି ହୋଇ ୟୁରୋପ ପଳାଇଥିଲେ। ସେଠାରୁ ଫେରିଲା ପରେ ସେ ମାଆଙ୍କ ପ୍ରସାଧନ କୋଠରିରେ ଜୋତା ବ୍ୟବସାୟ ଆରମ୍ଭ କରିଥିଲେ। ତେବେ କଞ୍ଚାମାଲର ଅଭାବ ପୂରଣ ପାଇଁ ସେ ସୈନିକମାନଙ୍କର ବର୍ଜ୍ୟ ସାମଗ୍ରୀଗୁଡ଼ିକୁ ସଂଗ୍ରହ କରି ବେପାର ଚଳାଇଲେ। ଦୁଇ ବର୍ଷ ପରେ ବଡ଼ଭାଇ ରୁଡୋଲ୍‌ଫ ତାଙ୍କ ସହ ଜୋତା ବ୍ୟବସାୟରେ ଯୋଗଦେଲେ ଏବଂ ‘ଜେବ୍ରୁଡର ଡାସଲର ସ୍କୁଫାବ୍ରିକ’ ନାମରେ କମ୍ପାନି ଗଢ଼ିଲେ। ୧୯୨୮ ଅଲିମ୍ପିକ୍‌ କ୍ରୀଡ଼ାରେ ସେମାନଙ୍କ କମ୍ପାନିର ଖ୍ୟାତି ବହୁତ ବଢ଼ିଗଲା। କାରଣ ‘ଡାସଲର’ ଜୋତା ପିନ୍ଧି ଜର୍ମାନ୍‌ ଦୌଡ଼ାଳି ଲିନା ରାଡକେ ୮୦୦ ମିଟର ଦୌଡ଼ର ସ୍ବର୍ଣ୍ଣପଦକ ଜିତିଥିଲେ।

ସେହିପରି ୧୯୩୨ ଓ ୧୯୩୬ ଅଲିମ୍ପିକ୍‌ ବେଳେ ମଧ୍ୟ ଅନୁରୂପ କାରଣ ପାଇଁ ଡାସଲର ଜୋତାର ଚାହିଦା ବଢ଼ିଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ରୁଡୋଲ୍‌ଫ ଡକରା ପାଇ ଯୁଦ୍ଧକ୍ଷେତ୍ରକୁ ଯାଇଥିବା ବେଳେ ଆଦିଙ୍କୁ ଏକାକୀ କମ୍ପାନି ଚଳାଇବାକୁ ପଡ଼ିଥିଲା। ତେବେ ଯୁଦ୍ଧ ପରେ କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ମନାନ୍ତର ଘଟିଥିଲା। ଡାସଲର କମ୍ପାନିର ନିର୍ମାଣ ବିଭାଗକୁ ସାନ ଭାଇ ଆଦି ନିଜ ନିୟନ୍ତ୍ରଣରେ ରଖି ସେଠାରେ ‘ଆଦିଦାସ’ ନାମରେ ଜୋତା ନିର୍ମାଣ କଲେ। ସେହିପରି କମ୍ପାନିର ବ୍ୟାବସାୟିକ ବିଭାଗକୁ ବଡ଼ଭାଇ ରୁଡୋଲ୍‌ଫ ଗ୍ରହଣ କରିବା ସହ ‘ରୁଡା’ ନାମରେ ଜୋତା ନିର୍ମାଣ କରିଥିଲେ। ପରେ ତାହା ‘ପୁମା’ ନାମକୁ ରୂପାନ୍ତରିତ ହୋଇଥିଲା। ଏହା ହେଉଛି ଦୁଇ ବିଶ୍ବପ୍ରସିଦ୍ଧ ଜୋତା କମ୍ପାନି ପୁମା ଓ ଆଦିଦାସର କାହାଣୀ।




Related Articles

Leave a Reply

Your email address will not be published. Required fields are marked *

Back to top button