ବ୍ୟବସାୟ

ଆଜିଠୁ ବଦଳୁଛି ଏହିସବୁ ନିୟମ, ଯାହାକୁ ଜାଣିବା ଆପଣଙ୍କୁ ନିହାତି ଜରୁରୀ – Utkal Mail


ଆଜିଠାରୁ ଲାଗୁ ହେଲା ନୂଆ ନିୟମ । ଲୋକଙ୍କ ପକେଟ୍ ଉପରେ ପଡିବ ନିୟମ ପରିବର୍ତ୍ତନର ପ୍ରଭାବ । ଆସନ୍ତୁ ଜାଣିବା ଅକ୍ଟୋବର ମାସରେ କେଉଁ ନୂଆ ନିୟମ ଲାଗୁ ହେବ ଓ ଏହା ଆପଣଙ୍କ ମାସିକ ବଜେଟ ଉପରେ କିଭଳି ପ୍ରଭାବ ପଡିବ ।

ବଢ଼ିଲା ବାଣିଜ୍ୟିକ ଗ୍ୟାସ୍‌ ସିଲିଣ୍ଡର ଦର

ଅକ୍ଟୋବର ପହିଲାରୁ ତୈଳ କମ୍ପାନୀଗୁଡିକ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଆଜିଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ହାର ୨୦୯ ଟଙ୍କା ବୃଦ୍ଧି କରାଯାଇଛି। ନୂତନ ହାର ରବିବାର ଅର୍ଥାତ୍ ଅକ୍ଟୋବର ୧, ୨୦୨୩ ଠାରୁ ଲାଗୁ ହୋଇଛି। ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ବିକ୍ରି ହେଉଛି।
ସୂଚନାଯୋଗ୍ୟ ଯେ, କେବଳ ଏକ ମାସ ପୂର୍ବରୁ ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୨୦୦ ଟଙ୍କା ହ୍ରାସ କରିଥିଲେ। ଏହା ପରେ, ଅକ୍ଟୋବର ୧ ରେ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଚାରୋଟି ମେଟ୍ରୋ ମଧ୍ୟରେ ୧୪.୨୦ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ ୯୦୩ ଟଙ୍କା, କୋଲକାତାରେ ୯୨୯ ଟଙ୍କା, ମୁମ୍ବାଇରେ ୯୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୧୮.୫୦ ଟଙ୍କା ରହିଛି।

ବଦଳିଲା ଟିସିଏସର ନୂଆ ନିୟମ

ଅକ୍ଟୋବର ପହିଲାରୁ ଲାଗୁ ହେଉଛି ସରକାର ୨୦ ପ୍ରତିଶତ ଟ୍ୟାକ୍ସ କଲେକସନ ଆଟ୍ ସୋର୍ସ ବା ଉତ୍ସରେ କର ଆଦାୟ ଉପରେ ନୂଆ ନିୟମ । ଏହା କେବଳ ବିଦେଶ ଗସ୍ତ ପାଇଁ ଲାଗୁ ହେବ ନାହିଁ ବରଂ ଅନ୍ୟ ଦେଶରେ ଯେକୌଣସି ମାଧ୍ୟମରେ କରାଯାଇଥିବା କାରବାର ମଧ୍ୟ ନୂଆ ନିୟମ ଅଧିନରେ ଆସିବ । ଅନ୍ତର୍ଜାତିକ ସ୍ତରରେ ଭ୍ରମଣ କରିବା, ବିଦେଶୀ ଷ୍ଟକ, ମ୍ୟୁଚୁଆଲ ଫଣ୍ଡ, ବିଦେଶରେ କ୍ରିପ୍ଟୋକରେନ୍ସିରେ ନିବେଶ କରୁଥିବା କିମ୍ବା ବିଦେଶରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ।

ବିନା ନାମାଙ୍କନରେ ଡିମାଟ୍ ଆକାଉଣ୍ଟକୁ କରାଯିବ ଫ୍ରିଜ୍

ସେବିର ଟ୍ରେଣ୍ଡିଂ ଆକାଉଣ୍ଟ, ଡିମାଟ୍ ଆକାଉଣ୍ଟ ଏବଂ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ପାଇଁ ୩୦ ସେପ୍ଟେମ୍ବର ନୋମିନେସନ କରିବାର ଶେଷ ସମୟ ସୀମା ରହିଥିଲା। ଯେଉଁମାନେ ନାମାଙ୍କନ କରିନାହାଁନ୍ତି ଅକ୍ଟୋବର ପହିଲାରେ ସେମାନଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଯିବ ।

ବନ୍ଦ ହେବ ସ୍ବଳ୍ପ ସଞ୍ଚୟ ସ୍କିମ

ଯେଉଁମାନେ ଆଧାରକାର୍ଡ ସହ ପାନକାର୍ଡ ଲିଙ୍କ କରିନାହାଁନ୍ତି ସେମାନଙ୍କୁ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ । ଆଧାର ସହ ପାନ ଲିଙ୍କ କରିନଥିଲେ ଅକ୍ଟୋବର ପହିଲାରୁ କ୍ଷୁଦ୍ର ସଂଚୟ ଯୋଜନା ବନ୍ଦ ହୋଇଯିବ । ଆଧାର, ପ୍ୟାନ ବାଧ୍ୟତାମୂଳକ ଭାବେ ଦାଖଲ କରିବାକୁ ଥିବାବେଳେ ଯଦି କେହି ଦାଖଲ କରିନାହାନ୍ତି ସରକାରୀ ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୧ରୁ ସ୍ଥଗିତ ରହିବ ।

ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଅଧିନିୟମ

କେନ୍ଦ୍ର ଗୃହମନ୍ତ୍ରଣାଳୟ ମୁତାବକ, ଅକ୍ଟୋବର ପହିଲାରୁ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଆଇନ ୨୦୨୩ ଲାଗୁ ହେବାକୁ ଯାଉଛି । ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ପରେ ଜନ୍ମ ପ୍ରମାଣପତ୍ରକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଏକକ ଦସ୍ତାବିଜ ଭାବେ ବ୍ୟବହାର କରାଯିବ । ଶିକ୍ଷାନୁଷ୍ଠାନରେ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଲିକା ପ୍ରସ୍ତୁତି, ଆଧାର ନମ୍ବର, ବିବାହ ପଞ୍ଜୀକରଣ ଏବଂ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଏହାକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରାଯାଇପାରିବ ।

ଘୁଞ୍ଜିଲା ଦୁଇ ହଜାର ଟଙ୍କିଆ ନୋଟ୍‌ ବଦଳ ତାରିଖ

ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଚାରି ମାସର ସମୟ ଦେଇଥିଲା ତାହା ଆଜି (ଶନିବାର) ଶେଷ ହେଉଥିଲା। ହେଲେ ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବଢାଇ ଦେଇଛି। ଆରବିଆଇ ଦ୍ବାରା ଜାରି ବିବୃତିରେ କୁହାଯାଇଛି ଯେ ୨୦୨୩ ମସିହା ଅକ୍ଟୋବର ୭ ତାରିଖ ଯାଏ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ। ଅକ୍ଟୋବର ୮ ତାରିଖରୁ ବ୍ୟାଙ୍କ ଶାଖାରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା ଏବଂ ବିନିମୟ ବନ୍ଦ ହୋଇଯିବ। ଅକ୍ଟୋବର ୮ ତାରିଖ ପରେ, ଆରବିଆଇର ୧୯ଟି ଅଫିସରେ ଏକ ସମୟରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଯାଇପାରିବ। ଲୋକମାନେ ଆରବିଆଇର ୧୯ଟି କାର୍ଯ୍ୟାଳୟକୁ ଡାକ ବିଭାଗରୁ ଦୁଇ ହଜାର ଟଙ୍କିଆ ନୋଟ୍ ମଧ୍ୟ ପଠାଇ ପାରିବେ। ଏହି ନୋଟର ମୂଲ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହେବ।

The post ଆଜିଠୁ ବଦଳୁଛି ଏହିସବୁ ନିୟମ, ଯାହାକୁ ଜାଣିବା ଆପଣଙ୍କୁ ନିହାତି ଜରୁରୀ appeared first on KNews Odisha.


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button