ଓଡିଶାରାଜନୀତି

ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ

ପଦ୍ମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ

ଭୁବନେଶ୍ୱର: ବାଜିଲା ପଦ୍ମପୁର ଉପନିର୍ବାଚନ ବିଗୁଲ୍। ଡିସେମ୍ୱର ୫ରେ ପଦ୍ମପୁର ଉପନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି ନିର୍ବାଚନ କମିଶନ।  ୮ରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଗଲା ମାସ ୩ ତାରିଖରେ ଅକାଳ ବିୟୋଗ ପରେ ଖାଲି ପଡ଼ିଛି ଏହି ଆସନ। ସେପଟେ ତାରିଖ ଘୋଷଣାକୁ ତାଳ ଦେଇ ତିନି ପ୍ରମୁଖ ଦଳ ଭିତରେ ଏହାକୁ ନେଇ ଅଙ୍କକଷା ଓ ରାଜନୈତିକ ଘମାସାନ ବି ଆରମ୍ଭ ହୋଇଯାଇଛି।

ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଡିସେମ୍ୱର ୫ରେ ଭୋଟ୍ ଆଉ ୮ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନଭେମ୍ୱର ୧୦ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ୧୦ରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ୧୭ ଯାଏ ଚାଲିବ। ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ, ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି। ସେପଟେ ତାରିଖ ଘୋଷଣାକୁ ତାଳ ଦେଇ ତିନି ପ୍ରମୁଖ ଦଳ ଭିତରେ ପଦ୍ମପୁର ଆସନ ଦଖଲ ଲାଗି ଆରମ୍ଭ ହୋଇଯାଇଛି ଅଙ୍କକଷା। ବିଜେଡି କହିଛି, ଏଥର ଭଲ ବ୍ୟବଧାନରେ ଜିତିବ ଦଳ। ପ୍ରାର୍ଥୀ ଚୟନ ନିଷ୍ପତ୍ତି ଦଳର ସଭାପତି ନେବେ। ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା ହେବ। ବିଜେଡି ହାତରେ ଥିଲା ଏହି ଆସନ ଆଉ ବିଜେଡି ହାତରେ ହିଁ ରହିବ ବୋଲି ଦୃଢୋକ୍ତି ଦେଖାଇଛି ଦଳ।

୨୦୧୯ ନିର୍ବାଚନରେ ପଦ୍ମପୁର ଆସନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ବିଜେପିର ପ୍ରଦୀପ ପୁରୋହିତଙ୍କୁ ୫ହଜାର ୭୩୪ ଭୋଟ ବ୍ୟବଧାନରେ ହରାଇଥିଲେ। ୨୦୧୪ରେ ଏଠାରୁ ବିଜେପିର ପ୍ରଦୀପ ପୁରୋହିତ ଜିତିଥିଲେ। କମ୍ ବ୍ୟବଧାନରେ ହାର୍‌ ଜିତ୍ ହୋଇଥିବାରୁ ଏଥର ବିଜେପି ପ୍ରଦୀପଙ୍କୁ ପୁଣି ରିପିଟ୍ କରିବାର ସମ୍ଭାବନା ରହିଛି। ପ୍ରଦୀପଙ୍କୁ ବି ଦଳ ଆଗୁଆ ସଙ୍କେତ ଦେଇସାରିଛି। ବିଜେପି ଏହି ଆସନକୁ ଦଖଲ କରିବ ବୋଲି ଦୃଢ଼ନିଶ୍ଚିତ। ବିଜେଡି ସହ ବିଜେପିର ନୁହେଁ, ବରଂ ବିଜେଡି ସହ ପଦ୍ମପୁରବାସୀଙ୍କ ଟକ୍କର ହେବ ବୋଲି କହିଛନ୍ତି ପ୍ରଦୀପ। ଆଉ କଂଗ୍ରେସ କହିଛି କି, ଉଭୟ ବିଜେଡି ଓ ବିଜେପିର ପ୍ରତିନିଧିତ୍ୱ ଦେଖିସାରିଛନ୍ତି ପଦ୍ମପୁରବାସୀ।  ଏଥର କଂଗ୍ରେସକୁ ସେବା କରିବାକୁ ସୁଯୋଗ ଦେବେ ପଦ୍ମପୁରବାସୀ। ଦଳ ଲଢ଼ିବାକୁ ପୁରା ପ୍ରସ୍ତୁତ ରହିଛି। ୭ ତାରିଖ ଭିତରେ କଂଗ୍ରେସର ପ୍ରାର୍ଥୀ ଚୟନ କମିଟି ପଦ୍ମପୁରରେ ପ୍ରାର୍ଥୀ କିଏ ହେବ, ତାକୁ ନେଇ ରିପୋର୍ଟ ଦେବେ ବୋଲି କହିଛନ୍ତି ପିସିସି ସଭାପତି। ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।

ପଦ୍ମପୁର ପାଇଁ ତାରିଖ ଘୋଷଣାକୁ ତାଳ ଦେଇ କସରତ ଆରମ୍ଭ ହୋଇଗଲାଣି। ୬ରେ ଧାମନଗର ଉପନିର୍ବାଚନ ଫଳାଫଳ ବି ପଦ୍ମପୁର ଉପନିର୍ବାଚନ ଉପରେ ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭାବନାକୁ ଏଡ଼ାଇହେବନି।

Related Articles

Leave a Reply

Your email address will not be published. Required fields are marked *

Back to top button