୫୦ ବର୍ଷର ପରମ୍ପରାରେ ପ୍ରଥମ : ଲାଲକିଲ୍ଲାରେ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିବେ ଜଣେ ମହିଳା – Utkal Mail
ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲାରେ ହେଉଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ରାବଣ ପ୍ରତିକୃତିରେ ଅଗ୍ନିସଂଯୋଗ କରିବେ ଅଭିନେତ୍ରୀ କଙ୍ଗନା ରାନାୱତ୍। ଉଲ୍ଲେଖନୀୟ କଥା ହେଲା, ଏହି ରାବଣ ଦହନ କାର୍ଯ୍ୟକ୍ରମର ଦୀର୍ଘ ୫୦ ବର୍ଷର ଇତିହାସରେ ପ୍ରଥମ ଥର ଲାଗି ଜଣେ ମହିଳା ରାବଣର ପ୍ରତିକୃତିରେ ନିଆଁ ଲଗାଇବେ। ଚଳିତ ବର୍ଷ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିବାରୁ ଏହାକୁ ସମ୍ମାନ ଜଣାଇ ଲବକୁଶ ରାମଲୀଳା କମିଟି ଜଣେ ମହିଳାଙ୍କ ହସ୍ତରେ ରାବଣ ଦହନ କରିବାର ନିଷ୍ପତ୍ତି ନେଇଛି ଓ ଅଭିନେତ୍ରୀ କଙ୍ଗନାଙ୍କୁ ଏଥିଲାଗି ଚୟନ କରାଯାଇଛି ବୋଲି କମିଟିର ଅଧ୍ୟକ୍ଷ ଅର୍ଜୁନ ସିଂ ସୂଚନା ଦେଇଛନ୍ତି।
ପ୍ରତି ବର୍ଷ ବିଜୟା ଦଶମୀ ଦିନ ଜଣେ ସେଲିବ୍ରିଟିଙ୍କ ଦ୍ବାରା ଲାଲକିଲ୍ଲାରେ ରାବଣ ଦହନ କରାଯାଇଥାଏ। ଗତ ବର୍ଷମାନଙ୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଶୀର୍ଷ ରାଜନୈତିକ ବ୍ୟକ୍ତିତ୍ବ ରାବଣ ଦହନ କରିଛନ୍ତି। ସେଇପରି ଚଳଚ୍ଚିତ୍ର ତାରକା ଅଜୟ ଦେବଗନ୍ ଓ ଜନ୍ ଆବ୍ରାହମ୍ ଅତିଥି ହୋଇ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଗତବର୍ଷ ବାହୁବଳୀ ଫେମ୍ ଅଭିନେତା ପ୍ରଭାସ୍ ଲାଲକିଲ୍ଲାରେ ରାବଣ ଦହନ କରିଥିଲେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚଳିତ ବର୍ଷ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦିଆଯାଇ ମହିଳା ସେଲିବ୍ରିଟିଙ୍କୁ ଧନୁରୁ ତୀର ସଂଞ୍ଚାର କରି ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିବାକୁ ଦିଆଯିବ।
ବିଜୟା ଦଶମୀରେ ରାବଣକୁ ବଧ କରି ଅଧର୍ମ ଉପରେ ଧର୍ମର ବିଜୟକୁ ପ୍ରତିପାଦିତ କରିବାକୁ ଜଣେ ମହିଳାଙ୍କୁ ସୁଯୋଗ ଦିଆଯିବା କଥା ନିଷ୍ପତ୍ତି ହେବା ପରେ ଆମେ ଏଥିଲାଗି କଙ୍ଗନାଜୀଙ୍କୁ ସବୁ ଦିଗରୁ ଯୋଗ୍ୟ ମନେକରି ଆମନ୍ତ୍ରଣ କରିଛୁ ବୋଲି ଲବକୁଶ ରାମଲୀଳା କମିଟି ଅଧ୍ୟକ୍ଷ ଶ୍ରୀ ସିଂ କହିଛନ୍ତି। ସଂପ୍ରତି କଙ୍ଗନା ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ଲ ‘ତେଜସ୍’ର ପ୍ରମୋସନ୍ରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଆସନ୍ତା ଶୁକ୍ରବାର ରିଲିଜ୍ ହେବ ।