କ୍ରାଇମ
ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କଠାରୁ ୧.୨୦ ଲକ୍ଷ ଲୁଟ୍ ଅଭିଯୋଗ – Utkal Mail
ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ତିଲିଆ- କାଉଧର ରାସ୍ତାରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏଲଆଣ୍ଡଟି ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୁଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ବରଗଡ଼ ଅନ୍ଧାରିପାଲିର ରାଜେଶ ବାଦି ଗାନ୍ଧିଛକସ୍ଥ ଏଲଆଣ୍ଡଟି ମାଇକ୍ରୋ ଫାଇନାନ୍ସ କମ୍ପାନିର ଋଣ ସଂଗ୍ରହକାରୀ ଭାବେ କାମ କରନ୍ତି। ଶନିବାର ଦିନ ୧୧ଟାରେ ହେମଗିର ଥାନା ତିଲିଆ ଅଞ୍ଚଳର ଋଣୀମାନଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ସଂଗ୍ରହ କରି ସେ ଝାରସୁଗୁଡ଼ା ଜିଲ୍ଲା ଗାନ୍ଧୀଛକକୁ ଫେରୁଥିଲେ। ତିଲିଆରୁ କାଉଧର ମଝିରେ ପ୍ରାୟ ଦିନ ସାଢ଼େ ୧୧ଟାରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ କଳା ରଙ୍ଗର ଆପାଚି ବାଇକରେ ଆସି ତାଙ୍କୁ ଅଟକାଇ ମାଡ଼ପିଟ କରିବା ସହ ଟଙ୍କା ତକ ଲୁଟି ବେଲପାହାଡ଼ ଆଡ଼କୁ ଚମ୍ପଟ ମାରିଥିଲେ।