କାଶୀ ବା ବାରଣାସୀର ପ୍ରସିଦ୍ଧ ଚଉରାଅଶି ଘାଟ ମଧ୍ୟରୁ ଏକ ବହୁ ଚର୍ଚ୍ଚିତ ଘାଟ ହେଉଛି ମଣିକର୍ଣ୍ଣିକା ଘାଟ । ଏଠାରେ ବ୍ୟକ୍ତିର ଦାହ ସଂସ୍କାର ହେଲେ ତାହାର ଆତ୍ମା ମୋକ୍ଷ ପ୍ରାପ୍ତି ହୋଇ ଥାଏ ବୋଲି ବିଶ୍ୱାସ ରହିଛି । ଏଇଥି ପାଇଁ ବହୁ ବ୍ୟକ୍ତି ଏଠାରେ ଅନ୍ତିମ ସଂସ୍କାର ନିମନ୍ତେ ଅଭିଳାଷ ପୋଷଣ କରିଥାନ୍ତି । ଏଠାରେ ଭଗବାନ ଶଙ୍କର ଏବଂ ମାଆ ଦୁର୍ଗାଙ୍କର ପ୍ରସିଦ୍ଧ ମନ୍ଦିର ଅଛି ଯାହା ମଗଧର ରାଜା ନିର୍ମାଣ କରିଥିଲେ ।
କୁହାଯାଏ ଭଗବାନ ଶଙ୍କର ମଣିକର୍ଣ୍ଣିକା ଘାଟକୁ ଅନନ୍ତଶାନ୍ତିର ବରଦାନ ଦେଇଥିଲେ । ମଣିକର୍ଣ୍ଣିକା ଘାଟରେ ଯୁଇ କେବେ ଶାନ୍ତ ହୁଏ ନାହିଁ । ପ୍ରତ୍ୟହ ଏଠାରେ ତିନିଶହରୁ ଉର୍ଦ୍ଧ୍ୱ ଶବଦାହ ହୋଇଥାଏ । ଏହା ବିଶ୍ୱର ସବୁଠାରୁ ବଡ଼ ସ୍ମଶାନ ଭାବେ ଗଣ୍ୟ ହେଉଛି । କାଶୀରେ ମୃତ ବ୍ୟକ୍ତିର ଡାହାଣ କର୍ଣ୍ଣ ପୁଟରେ ସ୍ୱୟଂ ଭଗବାନ ଶିବ ତାରକ ମନ୍ତ୍ର ଫୁଙ୍କି ଥାନ୍ତି ବୋଲି ବିଶ୍ୱାସ କରାଯାଏ । ଏଣୁ ଏଠାରେ ପ୍ରାଣୀକୁ ସାଜୁଯ୍ୟ ମୋକ୍ଷ ପ୍ରାପ୍ତି ହୋଇ ଥାଏ ।
ମୁକ୍ତିକୋପନିଷଦ ଅନୁଯାୟୀ :-
ଯତ୍ର କୁତ୍ରାପି ବା କାଶ୍ୟାମ୍ ମରଣୋ ସ ମହେଶ୍ୱର । ଯନ୍ତୋର୍ଦ୍ଧକ୍ଷୀଣକର୍ଣ୍ଣେ ତୁ ମତ୍ତାରଂ ସମୁପୋଦିଶେତ ।।
କିମ୍ବଦନ୍ତୀରୁ ଜଣାଯାଏ ଭଗବାନ ବିଷ୍ଣୁ ଏହିଠାରେ ହଜାରେ ବର୍ଷ କାଳ ଶିବଙ୍କୁ ତପସ୍ୟା କରିଥିଲେ । ବିଷ୍ଣୁ ଶିବଙ୍କୁ ପ୍ରସନ୍ନ କରାଇ ବର ମାଗିଥିଲେ ଯେ ସୃଷ୍ଟି ବିନାଶକାଳରେ ମଧ୍ୟ କାଶୀର ବିନାଶ ହେବ ନାହିଁ । ଭଗବାନ ଶଙ୍କର ଓ ମା’ ପାର୍ବତୀ ବିଷ୍ଣୁଙ୍କ ସମ୍ମୁଖରେ ଆବିର୍ଭୁତ ହୋଇ ତାଙ୍କୁ ତଥାସ୍ତୁ ବୋଲି କହିଥିଲେ । ସେବେଠାରୁ ଏହା ଏକ ମୋକ୍ଷଦାୟୀ ଘାଟ ଭାବେ ପରିଗଣିତ ହେଉଛି ।
ଏ ଘାଟର ନାମ ମଣିକର୍ଣ୍ଣିକା ହେବା ପଛରେ ମଧ୍ୟ କିଛି କିମ୍ବଦନ୍ତୀ ରହିଛି । ପ୍ରଥମ କିମ୍ବଦନ୍ତୀରୁ ଜଣା ଯାଏ ଏଠାରେ ଶ୍ରୀବିଷ୍ଣୁ ହରଗୋୖରୀଙ୍କ ସ୍ନାନପାଇଁ ଏକ କୁଣ୍ଡ ନିର୍ମାଣ କରି ଥିଲେ । ମଣିକର୍ଣ୍ଣିକା କୁଣ୍ଡ ଭାବେ ଏହା ଏବେ ମଧ୍ୟ ବିଦ୍ୟମାନ ।ଏହି କୁଣ୍ଡରେ ମାଆ ପାର୍ବତୀ ଏବଂ ଶିବ ସ୍ନାନ କରିବା ବେଳେ ଶିବଙ୍କ ଶିରରୁ ମଣିଟିଏ ଓ ପାର୍ବତୀଙ୍କ କର୍ଣ୍ଣ ଫୁଲ ଖସି ପଡ଼ିଲା । ଏହାକୁ ମହାଦେବ ଖୋଜି ବାହାର କଲେ । ଶିବଙ୍କ ମଣି ଏବଂ ମାଆ ପାର୍ବତୀଙ୍କ କର୍ଣ୍ଣ ଫୁଲ ଏଠି ପଡ଼ି ଥିବାରୁ ଏହି ଘାଟର ନାମ ହେଲା ମଣିକର୍ଣ୍ଣିକା ।
ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଛନ୍ତି,
‘ଜାତସ୍ୟହି ଧ୍ରୁବୋ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟ ଚ’।
ଅର୍ଥାତ ଯାହାର ଜନ୍ମ ଅଛି ତାହାର ମୃତ୍ୟୁ ଅଛି ଓ ମୃତ୍ୟୁ ପରେ ପୁଣି ଜନ୍ମ ଅଛି । ଏହା ହିଁ ସଂସାରର ଚିରନ୍ତନ ସତ୍ୟ । କିନ୍ତୁ ମୃତ୍ୟୁ ପରେ ଏ ଭାରତ ବର୍ଷରେ ଏପରି ସ୍ଥାନ ରହିଛି ଯେଉଁଠାରେ ଶବ ଦାହକଲେ ଜୀବକୁ ପରମ ଗତି ପ୍ରାପ୍ତ ହୋଇଥାଏ। ଏହା ଆମ ଧର୍ମ ବିଶ୍ୱାସ ସହିତ ଜଡିତ। ସେଥି ମଧ୍ୟରୁ ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାର ଏବଂ କାଶୀର ମଣିକର୍ଣ୍ଣିକା ଘାଟ ହେଉଛି ଶ୍ରେଷ୍ଠ। ସେଥିପାଇଁ ପୁଣ୍ୟଧାମ କାଶୀର ଏହି ସ୍ଥଳକୁ ଶାସ୍ତ୍ରରେ ଯଥୋଚିତ ମାନ୍ୟତା ପ୍ରଦାନ କରାଯାଇଛି। ଜୟ କାଶୀ ବିଶ୍ୱନାଥ।