ଦେଶ ବିଦେଶ

ଗୋଟିଏ ଦିନରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ୬ଥର ହୃଦ୍‌ଘାତ; ବଞ୍ଚାଇ ଦେଲେ ଇଂଲଣ୍ଡ ଡାକ୍ତର – Utkal Mail


ନୂଆଦିଲ୍ଲୀ: ଲଣ୍ଡନ୍‌ରେ ପାଠ ପଢୁଥିବା ଜଣେ ୨୧ ବର୍ଷିୟ ଭାରତୀୟ-ଆମେରିକୀୟ ଡାକ୍ତରୀ ଛାତ୍ର ଗୋଟିଏ ଦିନରେ ୬ ଥର ହୃଦ୍‌ଘାତର ସରବ୍ୟ‌ ହୋଇ ମଧ୍ୟ ଠିକଣା ସମୟରେ ଡାକ୍ତରଙ୍କ ହସ୍ତକ୍ଷେପ ଯୋଗୁଁ ବଞ୍ଚି ଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଡାକ୍ତରମାନଙ୍କ କହିବା ଅନୁସାରେ, ଜୁଲାଇ ୨୭ ତାରିଖ ଦିନ ଆମେରିକାର ସିଆଟଲ୍‌ ବାସିନ୍ଦା ଅତୁଲ ରାଓଙ୍କର ଫୁସ୍‌ଫୁସ୍‌ରେ ରକ୍ତ ମୁଣ୍ଡା ବାନ୍ଧିଯିବାରୁ (ଜମାଟ) ତାଙ୍କ ହୃଦ୍‌ପିଣ୍ଡକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲା। ଫଳରେ ତାଙ୍କର ହୃଦ୍‌ଘାତ ହେଲା। ସେ ପଡ଼ିଯିବା ଦେଖି ତାଙ୍କର ଜଣେ ସହପାଠୀ ଚିତ୍କାର କରି ସମସ୍ତଙ୍କୁ ଜଣାଇ ଦେଲେ। ଆମ୍ବୁଲାନ୍‌ସ୍‌ ଆସି ତାଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ଜଣେ ‘ସିକ୍ୟୁରିଟି ଗାର୍ଡ’ ଆସି ତାଙ୍କୁ ‘ଚେଷ୍ଟ୍‌ ‌କଂପ୍ରେସନ୍‌’ (ସିପିଆର୍‌) ଦେଲେ।

Image Courtesy of Times Now

‘ହାମର୍‌ସ୍ମିଥ୍‌ ହସ୍ପିଟାଲ୍‌’ର ଡାକ୍ତରମାନେ କହିଛନ୍ତି, ଅତୁଲଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଥିଲା। ତେଣୁ ତାଙ୍କୁ ‘ଏକ୍ସଟ୍ରାକର୍ପୋରିଆଲ୍‌ ମେମ୍ବ୍ରେନ୍‌ ଅକ୍ସିଜେନ୍‌’ (ଇସିଏମ୍‌ଓ)ରେ ରଖିବାକୁ ପଡ଼ିଲା। ସୂଚନାଯୋଗ୍ୟ, ‘ଇସିଏମ୍‌ଓ’ ହେଉଛି ଏକ ‘ଲାଇଫ୍‌ ସପୋର୍ଟ’ ବ୍ୟବସ୍ଥା ଯାହା ହୃଦ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ର ସମ୍ପୂର୍ଣ୍ଣ କାର୍ଯ୍ୟଭାର ଗ୍ରହଣ କରି ରୋଗୀକୁ ଆରୋଗ୍ୟ ହେବା ପାଇଁ ଯଥେଷ୍ଟ ସମୟ ଦେଇଥାଏ।

‘ଇସିଏମ୍‌ଓ’ ଓ ଅନ୍ୟାନ୍ୟ ‘ଜୀବନ ରକ୍ଷାକାରୀ’ ମେସିନ୍‌ ଲଗାଯିବାଦ୍ବାରା ମୁଣ୍ଡା ବାନ୍ଧିଥିବା ରକ୍ତକୁ ନଷ୍ଟ କରିବା ଔଷଧ କାମ ଦେଲା ଓ ଅତୁଲ ଆରୋଗ୍ୟ ହେଲେ । ଏବେ ତାଙ୍କର ଆଉ ‘ଇସିଏମ୍‌ଓ’ ଆବଶ୍ୟକ ନାହିଁ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆମେରିକା ଫେରିଯାଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button