ନୀତି

ଆର୍ଦ୍ରଭୂମି ସୁରକ୍ଷା ନେଇ ତତ୍ପରତା ନାହିଁ: ୪ ବର୍ଷରେ ଥରେ ବି ବସିନି ରାଜ୍ୟ ଆର୍ଦ୍ରଭୂମି ପରିଷଦ ବୈଠକ – Utkal Mail


ଭୁବନେଶ୍ବର: ଭାରତରେ ମୋଟ ୭୫ଟି ଆର୍ଦ୍ରଭୂମି ରାମସାର୍‌ ସ୍ଥାନ ରହିଛି। ଓଡ଼ିଶାରେ ଚିଲିକା, ଭିତରକନିକା, ହୀରାକୁଦ, ତାମ୍ପରା, ଅଂଶୁପା ଏବଂ ସାତକୋଶିଆ ଆଦି ଏହାର ଅନ୍ତର୍ଭୁକ୍ତ। ହେଲେ ଆର୍ଦ୍ରଭୂମିର ସୁରକ୍ଷା ଓ ସଂରକ୍ଷଣ ପ୍ରସଙ୍ଗକୁ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଯେତିକି ଗୁରୁତ୍ବ ଦେବା କଥା ତାହା ପରିଲକ୍ଷିତ ହେଉନାହିଁ। ଏହାକୁ ନେଇ ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍‌ (ପୂର୍ବାଞ୍ଚଳ) କୋର୍ଟରେ ମଧ୍ୟ ମାମଲା ଦାୟର ପର୍ଯ୍ୟନ୍ତ କଥା ଗଲାଣି।

ବିଶିଷ୍ଟ ପରିବେଶବିତ୍ ଶଙ୍କର ପ୍ରସାଦ ପାଣିଙ୍କର କହିବା କଥା ହେଉଛି, ରାଜ୍ୟରେ ଆର୍ଦ୍ରଭୂମି ସମ୍ପର୍କିତ ସମସ୍ୟା ଓ ନିୟମର ଉଲ୍ଲଙ୍ଘନ ତଥା ଏହାର ସୁରକ୍ଷା ଓ ସଂରକ୍ଷଣ ଲାଗି ରାଜ୍ୟ ଆର୍ଦ୍ରଭୂମି ପରିଷଦ (ଷ୍ଟେଟ ୱେଟଲ୍ୟାଣ୍ଡ ଅଥରିଟି) ରହିଛି। ଏହି ପରିଷଦର ଅଧ୍ୟକ୍ଷ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଛନ୍ତି। ମୁଖ୍ୟଶାସନ ସଚିବ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରନ୍ତି। ମାତ୍ର ଏହି ପରିଷଦ ଏକପ୍ରକାର ସ୍ଥାଣୁ ପାଲଟିଯାଇଛି।
ଗତ ଫେବ୍ରୁଆରି ୨ ତାରିଖ ବିଶ୍ୱ ଆର୍ଦ୍ରଭୂମି ଦିବସର ବିଷୟବସ୍ତୁ ଥିଲା “ଆର୍ଦ୍ରଭୂମି ପୁନରୁଦ୍ଧାର”। ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରିପ୍ରେକ୍ଷୀରେ ଆର୍ଦ୍ରଭୂମି ପୁନରୁଦ୍ଧାରକୁ ପ୍ରାଥମିକତା ଦିଆଯାଉଛି। ନିଜେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗଦେଇ କହିଥିଲେ, “ପରିବେଶ ସନ୍ତୁଳନ ବଜାୟ ରଖିବା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବାରେ ଆର୍ଦ୍ରଭୂମିଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏସବୁର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।” ଅନ୍ୟପକ୍ଷରେ ପାଦେ ଆଗକୁ ଯାଇ କହିଲେ, ପ୍ରାକୃତିକ ପରିବେଶ, ପରିସଂସ୍ଥାନ ଓ ଜୈବ ବିବିଧତା ସୁରକ୍ଷାରେ ଆର୍ଦ୍ରଭୂମିର ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା କଥା। ମାତ୍ର ମୁଖ୍ୟମନ୍ତ୍ରୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ବି ସଂପୃକ୍ତ ବିଭାଗ କିମ୍ବା ଏହି ପରିଷଦ ତତ୍ପରତା ନ ଦେଖାଇବା ଦୁର୍ଭାଗ୍ୟଜନକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି।

୪ ବର୍ଷରେ ଥରେ ବି ବସିନି ରାଜ୍ୟ ଆର୍ଦ୍ରଭୂମି ପରିଷଦ ବୈଠକ
ବିନା ବୈଠକରେ ଆପତ୍ତି ଅଭିଯୋଗ କମିଟିର ଅବଧି ସରିଗଲା
ନୂଆ କମିଟି ଗଠନ ନୋହିଲା, ବିପଦ ବଢ଼ିଲା

ନିୟମ ଅନୁସାରେ, ରାଜ୍ୟ ଆର୍ଦ୍ରଭୂମି ପରିଷଦ ବୈଠକ ବର୍ଷକୁ ଅତିକମରେ ତିନି ଥର ବସିବା କଥା। ମାତ୍ର ୨୦୧୯ ଅଗଷ୍ଟ ୧୭ରେ ଏହି ବୈଠକ ଶେଷ ଥର ପାଇଁ ବସିଥିଲା। ଏହା ପରଠାରୁ ଏହି ବୈଠକ ବସିପାରୁନାହିଁ। କାହିଁକି ବସୁନି, ସେ ଉତ୍ତର ବି କାହା ପାଖେ ନାହିଁ। ଓଡ଼ିଶାରେ ଆର୍ଦ୍ରଭୂମି ସମସ୍ୟା ଓ ଆପତ୍ତି ଅଭିଯୋଗ ଶୁଣାଣି କରିବାକୁ ମଧ୍ୟ ଏକ ଅଭିଯୋଗ ଓ ଆପତ୍ତି ଶୁଣାଣି କମିଟି ରହିଛି। ୨୦୨୦ ଫେବ୍ରୁଆରି ୭ ତାରିଖରେ ଏହି କମିଟି ଗଠନ ହୋଇଥିଲା ଓ କାର୍ଯ୍ୟକାଳ ତିନିବର୍ଷ ଥିଲା। ମାତ୍ର ଏହି ଅବଧି ସରିଯାଇଥିଲେ ହେଁ କମିଟିର ଗୋଟିଏ ହେଲେ ବୈଠକ ବସିନାହିଁ। ଆହୁରି ସାଂଘାତିକ କଥା ହେଉଛି, ନୂଆ କମିଟି ଗଠନ ମଧ୍ୟ ହୋଇପାରୁନାହିଁ। ଏଭଳି ପରିସ୍ଥିତିରେ ଆର୍ଦ୍ରଭୂମି ସୁରକ୍ଷା ଓ ସଂରକ୍ଷଣ ସମ୍ପର୍କିତ ଆପତ୍ତି ଅଭିଯୋଗ ଶୁଣାଣି କିଏ କରିବ? ଏହି କମିଟିର ସଦସ୍ୟ ଥିବା ବିଜୟ କବି କୁହନ୍ତି, “ତିନିବର୍ଷ ସରିଗଲା। ମାତ୍ର କମିଟି ବୈଠକ ନିମନ୍ତ୍ରଣ ସଂକ୍ରାନ୍ତରେ ଫୋନ ନମିଳିବା ଦୁର୍ଭାଗ୍ୟଜନକ। ଉଲ୍ଲେଖଥାଉକି, ଏହି କମିଟିର ଅଧ୍ୟକ୍ଷ ଦାୟିତ୍ୱରେ ଖୋଦ୍ ପରିବେଶ ବିଭାଗ ନିର୍ଦ୍ଦେଶକ ରହିଥାନ୍ତି। ଏଥିରୁ ସହଜରେ ବୁଝାପଡୁଛି ଆର୍ଦ୍ରଭୂମିର ପରିବେଶ ସୁରକ୍ଷା ଓ ସଂରକ୍ଷଣ ଦିଗରେ ମୁଖ୍ୟମନ୍ତ୍ରୀ ଯେତିକି ଚିନ୍ତାପ୍ରକଟ କରୁଛନ୍ତି, ତାଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ସେତିକି ବ୍ୟଗ୍ର ନାହିଁ।

କଳିଙ୍ଗ ନଗର ପରିବେଶ ସୁରକ୍ଷା ସମିତି ତଥା ସୁକିନ୍ଦା ପାଟ ଆର୍ଦ୍ରଭୂମି ସୁରକ୍ଷା ଓ ସଂରକ୍ଷଣ ଆବାହକ ଅଶ୍ୱିନୀ ଧଳଙ୍କ କହିବା କଥା ହେଉଛି, “ଉଭୟ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ପର୍ଯ୍ୟଟନ ବିଭାଗ ନିକଟରେ ଇଚ୍ଛାଶକ୍ତିର ଘୋର ଅଭାବ ରହିଛି। ଅନ୍ୟପଟରେ ଆର୍ଦ୍ରଭୂମିରେ ବିକାଶ ଜନିତ କାର୍ଯ୍ୟ ଆର୍ଦ୍ରଭୂମି ସଂରକ୍ଷଣ ନୀତି ନିୟମର ଉଲ୍ଲଙ୍ଘନ କରି କରାଯାଉଛି। ଆର୍ଦ୍ରଭୂମିରେ ସ୍ଥାୟୀ ନିର୍ମାଣ ଗ୍ରହଣଯୋଗ୍ୟ ନୁହେଁ। ଏହାଦ୍ୱାରା ଆର୍ଦ୍ରଭୂମି ପ୍ରାକୃତିକ ପରିବେଶ ଓ ପରିସଂସ୍ଥାନ ଆଜି ବିପଦ ପ୍ରବଣ ହେଉଛି।




Related Articles

Leave a Reply

Your email address will not be published. Required fields are marked *

Back to top button