ଦେଶ ବିଦେଶ

ସମାଧାନ ପ୍ରୟାସକୁ ଜଟିଳ କରୁଛି ଆମେରିକା, ଇସ୍ରାଏଲ-ହାମାସ ଲଢ଼େଇକୁ ନେଇ ଏଭଳି କହିଲା ଋଷ – Utkal Mail


ନୂଆଦିଲ୍ଲୀ: ଇସ୍ରାଏଲ୍-ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ବିଶ୍ୱର ପ୍ରାୟ ସମସ୍ତ ପ୍ରମୁଖ ଦେଶ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି | କିନ୍ତୁ ଏହି ଯୁଦ୍ଧ ସମ୍ପର୍କରେ ଋଷ କୌଣସି ବିବୃତ୍ତି ଦେଇ ନଥିଲା, ଏହା ପରେ ଚର୍ଚ୍ଚା ଜୋର ଧରିଥିଲା ଯେ, ରୁଷ ଯେହେତୁ ନିଜେ ୟୁକ୍ରେନ ସହ ଯୁଦ୍ଧରେ ବ୍ୟସ୍ତ ଅଛି, ତେଣୁ ପ୍ରତିକ୍ରିୟା ଦେବାରୁ ଦୂରେଇ ରହିଛି | ତେବେ ବର୍ତ୍ତମାନ ଏହି ଯୁଦ୍ଧକୁ ନେଇ ଋଷର ବିବୃତ୍ତି ସାମ୍ନାକୁ ଆସିଛି। ଋଷ, ଇସ୍ରାଏଲ-ହାମାସ ଯୁଦ୍ଧରେ ଆମେରିକାର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛି। ଏହା ସହିତ ଗାଜା ଏବଂ ଇସ୍ରାଏଲରେ ଘଟିଥିବା ହିଂସାକୁ ଋଷ ନିନ୍ଦା କରିଛି। ତେବେ ଋଷ ସିଧାସଳଖ ହାମାସ କିମ୍ବା ଇସ୍ରାଏଲକୁ ଦାୟୀ କରି ନାହିଁ। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଆମେ ବିଶ୍ୱାସ କରୁଛୁ ଯେ ଶୀଘ୍ର ଇସ୍ରାଏଲ୍-ପାଲେଷ୍ଟାଇନରେ ଶାନ୍ତିପୂର୍ଣ୍ଣ ସମାଧାନ ହେବା ଉଚିତ, କାରଣ ହିଂସା ଜାରି ରହିବା ଦ୍ୱାରା ସଂଘର୍ଷ ବଢିପାରେ | ସେହିପରି ଇସ୍ରାଏଲକୁ ଆମେରିକାର ସମର୍ଥନକୁ ନିନ୍ଦା କରି ଋଷ ପକ୍ଷରୁ କୁହାଯାଇଛି ଯେ ଏଭଳି ସମର୍ଥନ ଘୋଷଣା ବିନାଶକାରୀ ହେବ |

ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ କହିଛନ୍ତି, “ପଶ୍ଚିମ ଦେଶ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହିତ ପାଲେଷ୍ଟାଇନ ସମସ୍ୟାକୁ ଅଣଦେଖା କରୁଛନ୍ତି। ସେମାନେ ଭାବନ୍ତି ଯେ ଏହି ସମସ୍ୟାର ସମାଧାନ ନକରି ଇସ୍ରାଏଲ ଜିତିବ। ବିଶେଷ କରି ଆମେରିକାର ବିନାଶକାରୀ ନୀତି ବାବଦରେ କହିବାକୁ ଚାଁହୁଛି | ମଧ୍ୟସ୍ଥତା ନାମରେ ଆମେରିକା ସମାଧାନ ପାଇଁ ପ୍ରୟାସକୁ ଜଟିଳ କରୁଛି’। ଅନ୍ୟପଟେ ଶାନ୍ତି ଫେରାଇ ଆଣିବାକୁ ଚୀନ୍ ଉଭୟ ପକ୍ଷକୁ ନିବେଦନ କରିଛି। ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି, “ଇସ୍ରାଏଲ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଆମେ ଗଭୀର ଭାବେ ଚିନ୍ତିତ। ଉଭୟ ପକ୍ଷର ମୃତ୍ୟୁକୁ ନେଇ ଆମେ ଗଭୀର ଦୁଃଖିତ। ସାଧାରଣ ନାଗରିକଙ୍କ ପ୍ରତି ହେଉଥିବା ହିଂସାକୁ ଆମେ ବିରୋଧ କରୁଛୁ। ଆମେ ଆଶା କରୁଛୁ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେବ ଏବଂ ଶାନ୍ତି ଆସିବ।




Related Articles

Leave a Reply

Your email address will not be published. Required fields are marked *

Back to top button