ବ୍ୟବସାୟ

୫ ଜି ସେବାକୁ ବର୍ଷେ ପୂରିଲାଣି: ରାଜ୍ୟରେ ସ୍ଥାପନ ହୋଇଛି ୯୭୦୭ ଟାୱାର – Utkal Mail


ଅକ୍ଟୋବର ୧ରେ ରାଷ୍ଟ୍ରପତିଙ୍କ ଗାଁରେ ହୋଇଥିଲା ପରୀକ୍ଷାମୂଳକ ଆରମ୍ଭ

ଭୁବନେଶ୍ବର: ଦେଶରେ ୫ ଜି ସେବାକୁ ବର୍ଷେ ପୂରଣ ହୋଇ ସାରିଲାଣି। ଗତବର୍ଷ ଅକ୍ଟୋବର ୧ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେବାର ଶୁଭାରମ୍ଭ କରିଥିଲେ। ଦେଶର ଅନ୍ୟାନ୍ୟ ସ୍ଥାନ ସହିତ ଓଡ଼ିଶାର ମୟୂରଭଂଜ ଜିଲ୍ଲା ପାହାଡ଼ପୁର ଗ୍ରାମରେ ଏହି ସେବାର ପରୀକ୍ଷଣ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ସ୍ଥାପିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ‌୫ ଜି ପ୍ରଯୁକ୍ତି ମାଧ୍ୟମରେ ଯୋଡ଼ି ହୋଇଥିଲେ। ତେବେ ଚଳିତବର୍ଷ ଜାନୁଆରି ୫ ତାରିଖରେ ଓଡ଼ିଶାରେ ଆନୁଷ୍ଠାନିକ ଭାବେ ୫ ଜି ମୋବାଇଲ ସେବା ଆରମ୍ଭ ହୋଇଥିଲା। ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ସୀମିତ ସଂଖ୍ୟକ ଟାୱାରକୁ ନେଇ ଭୁବନେଶ୍ବର ଏବଂ କଟକ ସହରରେ ଏହି ସେବା ଆରମ୍ଭ ହୋଇଥିଲା। ତେବେ ପର୍ଯ୍ୟାୟକ୍ରମେ ଏହି ସେବା ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ସଂପ୍ରସାରିତ ହେବାରେ ଲାଗିଛି।

ଓଡ଼ିଶାରେ ୨ଟି ଘରୋଇ କମ୍ପାନି ୫ ଜି ମୋବାଇଲ ସେବା ପ୍ରଦାନ କରୁଛନ୍ତି। ସେହି ଦୁଇଟି କମ୍ପାନି ହେଲା ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ। ଜାନୁଆରିରେ ସେବା ଆରମ୍ଭ ଦିନ ରାଜ୍ୟରେ ଏହି ଦୁଇ କମ୍ପାନି ମୋଟ ୬୨୪ଟି ଟାୱାର ବା ବିଟିଏସ୍‌ ସ୍ଥାପନ କରିଥିଲେ। ଚଳିତବର୍ଷ ଅଗଷ୍ଟ ୨୮ ସୁଦ୍ଧା ଏହି ସଂଖ୍ୟା ୯୭୦୯ରେ ପହଞ୍ଚିଛି। ତେବେ ସଂସଦରେ ଗତ ଜୁଲାଇ ମାସରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିନ୍ ଚୌହାନ ଦେଇଥିବା ଉତ୍ତର ଅନୁଯାୟୀ, ରାଜ୍ୟରେ ୭୭୫୬ଟି ୫ ଜି ବିଟିଏସ୍‌ ସ୍ଥାପନ ହୋଇଛି। ସେଥିରୁ ଜିଓ ୬୩୪୫ଟି ସ୍ଥାପନ କରିଥିବାବେଳେ ଏୟାରଟେଲ ୧୪୧୧ଟି ବିଟିଏସ୍‌ ସ୍ଥାପନ କରିଛି। ରାଜ୍ୟର ୨୯ଟି ଜିଲ୍ଲାରେ ଦୁଇ କମ୍ପାନିର ବିଟିଏସ୍‌ ରହିଛି। କିନ୍ତୁ କନ୍ଧମାଳ ଜିଲ୍ଲାରେ କେବଳ ଜିଓର ବିଟିଏସ୍‌ ରହିଛି। ଦେଶରେ ଏହି ସମୟ ସୁଦ୍ଧା କିନ୍ତୁ ୫ ଜି ବିଟିଏସ୍‌ ସଂଖ୍ୟା ୩,୩୮,୫୭୨ରେ ପହଞ୍ଚିଛି। ୫ ଜି ମୋବାଇଲ ସେବା ଜରିଆରେ କୃଷି, ଶିଳ୍ପ, ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ସେବାର ସେଭଳି ଉପଯୋଗ ଦେଖିବାକୁ ମିଳି ପାରିନାହିଁ। ପ୍ରଥମ ବିଷୟଟି ହେଲା ଏହି ସେବା ଯେତିକି ମାତ୍ରାରେ ଲୋକଙ୍କ ନିକଟରେ ଉପଲବ୍ଧ ହେବା କଥା ତାହା ହୋଇପାରୁନାହିଁ। ଗୋଟିଏ ପଟେ ପର୍ଯ୍ୟାପ୍ତ ସଂଖ୍ୟକ ବିଟିଏସ୍‌ ନରହିବା ଏବଂ ଅନ୍ୟପଟେ ୫ ଜି ସେବା ଉପଯୋଗୀ ମୋବାଇଲ ଫୋନର ମୂଲ୍ୟ ସାଧାରଣ ଲୋକଙ୍କ ପକେଟକୁ ସୁହାଇବା ଭଳି ମୂଲ୍ୟରେ ଉପଲବ୍ଧ ନହେବା। ତେଣୁ ଉଭୟ ଦିଗରୁ ଉନ୍ନତି ଆସିଲେ ହିଁ ୫ ଜି ମୋବାଇଲ ପ୍ରଯୁକ୍ତିର ଲାଭ ସମାଜର ତଳସ୍ତରରେ ଥିବା ଲୋକଙ୍କୁ ମିଳିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଚଳିତମାସ ୨୬ ତାରିଖରେ ଇଣ୍ଡିଆ ମୋବାଇଲ କଂଗ୍ରେସ ଦିଲ୍ଲୀରେ ଆରମ୍ଭ ହେବ। ଉକ୍ତ ସେବାକୁ ୧ ବର୍ଷ ପୂରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ କିଛି ଠୋସ୍‌ ପଦକ୍ଷେପ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button