କ୍ରୀଡା

ଜାତୀୟ କ୍ରୀଡା ପୁରସ୍କାର ୨୦୨୨: ଶରତ କମଲଙ୍କୁ ଖେଳରତ୍ନ, ଦୀପଗ୍ରେସ୍‌ ପାଇଲେ ଅର୍ଜୁନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବୁଧବାର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି । ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ରେ ଚମତ୍କାର ପ୍ରଦର୍ଶନ କରଥିବା ଭେଟେରାନ ଟେବୁଲ ଟେନିସ୍ ଖେଳାଳି ଶରତ କମଲଙ୍କୁ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଭାରତୀୟ ମହିଳା ହକି ଦଳର ଷ୍ଟାର ତଥା ଓଡ଼ିଆ ଖେଳାଳି ଦୀପଗ୍ରେସ୍ ଏକ୍କାଙ୍କ ସହ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ମିଳିଛି ।

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଶରତ କମଲ ତିନୋଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ଜିତିଥିଲେ । ଚଳିତ ବର୍ଷ ସେ ଖେଳରତ୍ନ ପାଇବାରେ ଏକମାତ୍ର କ୍ରୀଡ଼ାବିତ । ମାନିକା ବାତ୍ରାଙ୍କ ପରେ ଶରତ କମଲ ଦ୍ୱିତୀୟ ଟେବୁଲ ଟେନିସ୍ ଖେଳାଳି ଭାବେ ଖେଳରତ୍ନ ସମ୍ମାନ ପାଇଛନ୍ତି ।
ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ବିଜେତା ମାନଙ୍କୁ କ୍ରୀଡ଼ା ସମ୍ମାନ ପ୍ରଦାନ କରିଛନ୍ତି । ସାଧାରଣତଃ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରତିବର୍ଷ ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅଗଷ୍ଟ ୨୯ରେ ପ୍ରଦାନ କରାଯାଏ । କିନ୍ତୁ ଗତଥର ଭଳି ଏହି ବର୍ଷ ମଧ୍ୟ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ବିଳମ୍ବିତ ହୋଇଛି ।

ଜାତୀୟ କ୍ରୀଡ଼ା ପୁରସ୍କାର ମଧ୍ୟରେ ଖେଳରତ୍ନ ହେଉଛି ସର୍ବୋଚ୍ଚ ସମ୍ମାନ । ଗତ ଚାରି ବର୍ଷର ଉତ୍କୃଷ୍ଟ ପ୍ରଦର୍ଶନ ଭିତ୍ତିରେ ଏହି ସମ୍ମାନ ଦିଆଯାଏ । ଖେଳରତ୍ନ ପୁରସ୍କାର ବିଜେତାଙ୍କୁ ୨୫ ଲକ୍ଷ ନଗଦ ପୁରସ୍କାର ସହ ପଦକ ଓ ମାନପତ୍ର ପ୍ରଦାନ କରାଯାଏ । ଦ୍ୱିତୀୟ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର ବିଜେତାଙ୍କୁ ୧୫ ଲକ୍ଷ ନଗଦ ପୁରସ୍କାର ସହ ଅର୍ଜୁନଙ୍କ ତାମ୍ର ପ୍ରତିମୂର୍ତ୍ତି ଓ ମାନପତ୍ର ପ୍ରଦାନ କରାଯାଏ ।

ଚଳିତ ବର୍ଷ ହକି ଷ୍ଟାର ଦୀପଗ୍ରେସ ଓ ବକ୍ସିଂ ବିଶ୍ୱ ଚାମ୍ପିୟନ ନିଖତ ଜରିନଙ୍କ ସହ ମୋଟ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ଦଶ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଭାରତୀୟ ହକି ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଦୀପଗ୍ରେସଙ୍କୁ ଏହି କ୍ରୀଡ଼ା ପ୍ରତି ଅବଦାନ ଯୋଗୁଁ ଏହି ସମ୍ମାନ ମିଳିିଛି । ଦୀପଗ୍ରେସ୍ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ଏହାଛଡ଼ା ସେ ଏକାଧିକ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ଜିତିଛନ୍ତି । ଏସୀୟ ଚାମ୍ପିୟନ୍ସ ଟ୍ରଫି ଓ ଏସିଆ କପ୍ ଟାଇଟଲ ବିଜୟୀ ଭାରତୀୟ ଦଳର ମଧ୍ୟ ଅଂଶବିଶେଷ ରହିଛନ୍ତି ଦୀପଗ୍ରେସ୍ । ସେ ଏଯାବତ ଭାରତ ପାଇଁ ୨୪୦ଟି ମ୍ୟାଚ ଖେଳିଥିବା ବେଳେ ୧୭ଟି ଗୋଲ୍ ଦେଇଛନ୍ତି ।

ମହିଳା ବକ୍ସିଂର ଉଦୀୟମାନ ଷ୍ଟାର ଜରିନଙ୍କୁ ମଧ୍ୟ ମିଳିଛି ଅର୍ଜୁନ ପୁରସ୍କାର । ଚଳିତ ବର୍ଷ ମେ’ରେ ଜରିନ ବିଶ୍ୱ ଚାମ୍ପିୟନ ହୋଇଥିଲେ । ସେହିପରି ବିଶ୍ୱ ଚାମ୍ପିୟନସିପ୍ ରୌପ୍ୟ ବିଜେତା ଅମିତ ପଙ୍ଘଲ ମଧ୍ୟ ଏହି ସମ୍ମାନ ପାଇଛନ୍ତି । ବିଶ୍ୱ ଚାମ୍ପିୟନସିପ ରୌପ୍ୟ ବିଜେତା ତଥା ଥୋମାସ କପ୍ ବିଜୟୀ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି ।

ଚଳିତ ବର୍ଷ ଆଜୀବନ ବର୍ଗରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ କୋଚ୍ ଦିନେଶ ଜୱାହାର ଲାଡଙ୍କ ସହ ଫୁଟବଲ କୋଚ୍ ବିମଳ ପ୍ରଫୁଲ୍ଲ ଘୋଷ ଓ ରେସଲିଂ କୋଚ୍ ରାଜ ସିଂହଙ୍କୁ ପ୍ରଦାନ କରାଯାଇଛି । ସାଧାରଣ ବର୍ଗରେ ଜୀବନଜୀତ ସିଂ ତେଜା (ଆଚେରୀ), ମହମ୍ମଦ ଅଲ୍ଲୀ (ବକ୍ସିଂ), ସୁମା ସିଦ୍ଧାର୍ଥ ସିରୂର (ପାରା ସୁଟିଂ) ଓ ସୁଜୀତ ମାନ (ରେସଲିଂ) ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଛନ୍ତି ।

ଜାତୀୟ କ୍ରୀଡ଼ା ପୁରସ୍କାର-୨୦୨୨ ବିଜେତା ତାଲିକା:

ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର: ଶରତ କମଲ (ଟେବୁଲ ଟେନିସ୍‌)

ଅର୍ଜୁନ ପୁରସ୍କାର: ସୀମା ପୁନିଆ (ଆଥଲେଟିକ୍ସ), ଆଲଦୌସ ପଲ୍ (ଆଥଲେଟିକ୍ସ), ଅବିନାଶ ମୁକୁନ୍ଦ ସାବଲେ (ଆଥଲେଟିକ୍ସ), ଲକ୍ଷ୍ୟ ସେନ୍ (ବ୍ୟାଡମିଣ୍ଟନ), ଏଚ୍‌ଏସ୍ ପ୍ରଣୟ (ବ୍ୟାଡମିଣ୍ଟନ), ଅମିତ (ବକ୍ସିଂ), ନିଖତ ଜରିନ୍ (ବକ୍ସିଂ), ଭକ୍ତି ପ୍ରଦୀପ କୁଲକର୍ଣ୍ଣି (ଚେସ୍‌), ଆର.ପ୍ରଜ୍ଞାନନ୍ଦ (ଚେସ୍‌), ଦୀପଗ୍ରେସ୍ ଏକ୍କା (ହକି), ସୁଶୀଲା ଦେବୀ (ଜୁଡୋ), ସାକ୍ଷୀ କୁମାରୀ (କବାଡି), ନୟନ ମୋନି ସାଇକିଆ (ଲନ୍ ବଲ୍‌), ସଗର କୈଳାଶ ଓଭାଲକର (ମାଲଖମ୍ବ), ଏଭାନିଲ ଭାଲାରିଭାନ୍ (ସୁଟିଂ), ଓମ୍ ପ୍ରକାଶ ମିଥାୱାର୍ଲ (ସୁଟିଂ), ଶ୍ରୀଜା ଆକୁଲା (ଟେବୁଲ ଟେନିସ୍‌), ବିକାଶ ଠାକୁର (ଭାରୋତ୍ତୋଳନ), ଅଂଶୁ (କୁସ୍ତି), ସରିତା (କୁସ୍ତି), ପ୍ରବୀଣ (ଉସୁ), ମାନସୀ ଯୋଶୀ (ପାରା ବ୍ୟାଡମିଣ୍ଟନ), ତରୁଣ ଧିଲୋନ (ପାରା ବ୍ୟାଡମିଣ୍ଟନ), ସ୍ୱପ୍ନିଳ ସଞ୍ଜୟ ପାଟିଲ (ପାରା ବ୍ୟାଡମିଣ୍ଟନ), ଜର୍ଲିନ ଆନିକା ଜେ (ବଧିର ବ୍ୟାଡମିଣ୍ଟନ) ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button