ପୁରୁଷ ପ୍ରାଧାନ୍ୟ କଳକାରଖାନା କାମରେ ମହିଳାଙ୍କ ସଂଖ୍ୟା ବୃଦ୍ଧି – Utkal Mail
କର୍ପୋରେଟ୍ ଜଗତରେ ଲିଙ୍ଗଗତ ସମାନତାର ଗୁରୁତ୍ବ ବଢ଼ୁଛି
ମୁମ୍ବାଇ: ମହିଳାଙ୍କ ଲାଗି ଆଉ କୌଣସି କ୍ଷେତ୍ର ଅପହଞ୍ଚ ନୁହେଁ। ପୁରୁଷମାନେ କାମ କରୁଥିବା କ୍ଷେତ୍ରଗୁଡ଼ିକରେ ସେମାନେ ମଧ୍ୟ କାର୍ଯ୍ୟ କରି ସଫଳତା ପାଉଛନ୍ତି। ବଡ଼ ବଡ଼ କଳ କାରଖାନାରେ ସାଧାରଣତଃ ପୁରୁଷମାନେ କାମ କରୁଥିବା ଦେଖିବାକୁ ମିଳେ। ମାତ୍ର ଗତ କିଛି ବର୍ଷ ମଧ୍ୟରେ ସେଥିରେ ପରିବର୍ତ୍ତନ ଦେଖିବାକୁ ମିଳିଛି। କାରଖାନାରେ ବିଭିନ୍ନ ଜିନିଷ ତିଆରି କରୁଥିବା ମହିଳା କର୍ମଚାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜେଏସ୍ଡବ୍ଲୁ ଗ୍ରୁପ୍, ଆଦିତ୍ୟ ବିର୍ଲା ଗ୍ରୁପ୍, ଟାଟା ମୋଟର୍ସ, ଆର୍ପିଜି ଗ୍ରୁପ୍ ଓ ଏମ୍ଜି ମୋଟର ଇଣ୍ଡିଆ ସେମାନଙ୍କ କର୍ମଚାରୀଙ୍କ ମଧ୍ୟରେ ମହିଳାମାନଙ୍କ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ବାରୋପ କରୁଛନ୍ତି।
ଜେଏସ୍ଡବ୍ଲୁ ଷ୍ଟିଲ୍ କାଶ୍ମୀରର ପୁଲୱାମାରେ ଗୋଟିଏ କାରଖାନା ସ୍ଥାପନ କରୁଛି ଯାହା ଆସନ୍ତା ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସେଥିରେ ୫୦%ରୁ ଅଧିକ ମହିଳା କର୍ମଚାରୀ ରହିବେ ବୋଲି କଂପାନିର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଜୟନ୍ତ ଆଚାର୍ଯ୍ୟ କହିଛନ୍ତି। ଏହା ଦ୍ବାରା ଲିଙ୍ଗଗତ ସମାନତା ଦିଗରେ ସଫଳତା ମିଳିବା ସହ ସ୍ଥାନୀୟ ମହିଳାମାନେ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇପାରିବେ ବୋଲି କଂପାନି ଭାବୁଛି। କର୍ଣ୍ଣାଟକର ବେଲାରିରେ ଥିବା କାରଖାନାର ଏକ ୟୁନିଟ୍କୁ ସମ୍ପୂର୍ଣ୍ଣ ରୂପେ ୬୦ ଜଣ ମହିଳା ଚଲାଉଛନ୍ତି। ବିର୍ଲା କାର୍ବନର ଗ୍ରୁପ୍ ଡାଇରେକ୍ଟର ସନ୍ତୃପ୍ତ ମିଶ୍ର କହିଛନ୍ତି ଯେ ଆଦିତ୍ୟ ବିର୍ଲା ଗ୍ରୁପ୍ରେ ନିଯୁକ୍ତି ଦିଆଯାଉଥିବା ୫୦ ପ୍ରତିଶତରୁ ଅଧିକ ନୂଆ ଇଞ୍ଜିନିୟରମାନେ ହେଉଛନ୍ତି ମହିଳା। ଅଧିକ ସଂଖ୍ୟାରେ ମହିଳା ଇଞ୍ଜିନିୟରିଂ ଓ ଷ୍ଟେମ୍ ପାଠ୍ୟକ୍ରମରେ ଯୋଗଦେଉଥିବାରୁ କାରଖାନାରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଶ୍ରୀ ମିଶ୍ର କହିଛନ୍ତି।
ଟାଟା ମୋଟର୍ସ ମଧ୍ୟ ମହିଳା କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବା ଉପରେ କାର୍ଯ୍ୟ କରୁଛି। ବର୍ତ୍ତମାନ ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୫-୧୫% ମହିଳା ଥିବା ବେଳେ ସେହି ହାରକୁ କଂପାନି ୨୫% ପର୍ଯ୍ୟନ୍ତ ପହଞ୍ଚାଇବାକୁ ଯୋଜନା ରଖିଛି। କଂପାନିର ବିଭିନ୍ନ କାରଖାନାରେ ୪୫୦୦ରୁ ଅଧିକ ମହିଳା କାର୍ଯ୍ୟ କରୁଛନ୍ତି। ପୁନେ କାରଖାନାରେ ୧୬୦୦ ପାଖାପାଖି ମହିଳା କାମ କରୁଛନ୍ତି। ଏମ୍ଜି ମୋଟର ଇଣ୍ଡିଆର କାରଖାନାରେ ମଧ୍ୟ ମହିଳାଙ୍କ ନିଯୁକ୍ତି ବଢ଼ାଇବା ଉପରେ ଗୁରୁତ୍ବ ପ୍ରଦାନ କରାଯାଉଛି।