ବ୍ୟବସାୟ

ଟିମ୍‌ ଇଣ୍ଡିଆ ଜର୍ସି ପ୍ରେମରେ ଯୁବପିଢ଼ି, ଛାତ୍ରଛାତ୍ରୀ: କୋହଲିଙ୍କ ଜର୍ସିର ଚାହିଦା ବେଶି – Utkal Mail


୨୦୦-୩୫୦ ଟଙ୍କିଆ ଜର୍ସି ଅଧିକ ବିକ୍ରି

ଭୁବନେଶ୍ବର: ଭାରତ ଏଥର ଦିନିକିଆ କ୍ରିକେଟ୍ ବିଶ୍ବକପ୍ ଆୟୋଜନ କରୁଥିବା ବେଳେ ପାକିସ୍ତାନ ସହ ମ୍ୟାଚ୍‌‌ରେ ଭାରତର ବୃହତ ବିଜୟ କ୍ରିକେଟ୍‌ପ୍ରେମୀଙ୍କ ଉତ୍ସାହ ବଢ଼ାଇଦେଇଛି। ଭାରତୀୟ ଟିମ୍‌କୁ ସମର୍ଥନ ଜଣାଇବା ଲାଗି ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ସେଥିରୁ ଗୋଟିଏ ମହତ୍ବପୂର୍ଣ୍ଣ ବିଷୟ ହେଉଛି ଟିମ୍‌ ଇଣ୍ଡିଆର ଜର୍ସିକୁ ପିନ୍ଧି ନିଜ ଦଳକୁ ସମର୍ଥନ ଜଣାଇବା। ସେହି ଜର୍ସି କିଣିବା ଲାଗି କ୍ରୀଡ଼ା ସାମଗ୍ରୀ ବିକ୍ରି ହେଉଥିବା‌ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଗ୍ରାହକମାନଙ୍କ ସବୁଠୁ ଅଧିକ ପସନ୍ଦର ଜର୍ସି ହେଉଛି ବିରାଟ୍‌ କୋହ୍‌ଲିଙ୍କ ଜର୍ସି। ଯେଉଁମାନେ ଜର୍ସି କିଣୁଛନ୍ତି ସେମାନେ ତା’ ପଛରେ ବିରାଟ ୧୮ ପ୍ରିଣ୍ଟ୍‌ କରାଉଛନ୍ତି। ଆଉ କିଛି ଗ୍ରାହକ ନିଜ ନାମକୁ ଜର୍ସି ପଛରେ ଲେଖିବା ପସନ୍ଦ କରୁଛନ୍ତି। କିଛି ଗ୍ରାହକ ରୋହିତ ଶର୍ମାଙ୍କ ଜର୍ସି ମଧ୍ୟ କିଣୁଛନ୍ତି।

ଏ ସମ୍ପର୍କରେ କଳିଙ୍ଗ ସ୍ପୋର୍ଟସ୍‌ ସୋ’ରୁମ୍‌ର ମୁଖ୍ୟ ହର୍ଷ ଅଗ୍ରୱାଲ କହିଛନ୍ତି ଯେ ଟିମ୍ ଇଣ୍ଡିଆ ଜର୍ସି ପାଇଁ ଲୋକମାନଙ୍କ ଭିତରେ ଆଗ୍ରହ ରହିଛି। ବିଶେଷ କରି ଯୁବପିଢ଼ି ଅଧିକ ମାତ୍ରାରେ ତାହାକୁ କିଣିବା ଲାଗି ଆସୁଛନ୍ତି। ଷ୍ଟୋର୍‌ରେ ପ୍ରତିଦିନ ୫୦-୬୦ ପାଖାପାଖି ଜର୍ସି ବିକ୍ରି ହେଉଛି। ଆମ ପାଖରେ ପ୍ରିମିୟମ୍ ମାନର ଏବଂ ଅନ୍ୟ ଏକ ସୁଲଭ ପ୍ରକାରର ଜର୍ସି ରହିଛି। ଭାରତୀୟ ଖେଳାଳି ପିନ୍ଧୁଥିବା ଜର୍ସି ଭଳି ଅସଲି ଜର୍ସିର ଦାମ୍ ୧୦୦୦ ଟଙ୍କା ପାଖାପାଖି ରହିଛି। କିନ୍ତୁ ତାହାର ଏକ ସୁଲଭ ପ୍ରକାର ଜର୍ସି ମଧ୍ୟ ରହିଛି। ସେହି ଜର୍ସିଗୁଡ଼ିକ ୨୮୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କାରେ ବିକ୍ରି ହେଉଛି। କେବଳ ଜର୍ସି ନୁହେଁ କ୍ରିକେଟ୍‌ ଖେଳ ସମ୍ପର୍କିତ ବିଭିନ୍ନ ପ୍ରକାର ଉପକରଣ ଯଥା ବ୍ୟାଟ୍‌, ବଲ୍‌, ପ୍ୟାଡ୍‌, ହେଲ୍‌ମେଟ୍‌ ଆଦିର ବିକ୍ରି ମଧ୍ୟ ବଢ଼ିଛି ବୋଲି ହର୍ଷ କହିଛନ୍ତି। ସେହିପରି, ସ୍ପୋର୍ଟସ୍‌ ୱାର୍ଲଡ୍‌ର ମୁଖ୍ୟ ଅଜୟ କୁମାର ସ୍ବାଇଁ କହିଛନ୍ତି ଯେ ଟିମ୍‌ ଇଣ୍ଡିଆ ଜର୍ସିକୁ ନେଇ ବହୁତ ଭଲ ଉତ୍ସାହ ରହିଛି। ଦୈନିକ ଆମେ ଭଲ ସଂଖ୍ୟାର ଜର୍ସି ବିକ୍ରି କରୁଛୁ। ଭାରତ-ପାକ୍ ମ୍ୟାଚ୍‌ ଦିନ ଆମେ ୬୦-୭୦ରୁ ଅଧିକ ଜର୍ସି ବିକ୍ରି କରିଥିଲୁ। ସାଧାରଣ ଦିନଗୁଡ଼ିକରେ ଷ୍ଟୋର ପିଛା ୩୦-୪୦ ଜର୍ସି ବିକ୍ରି ହେଉଛି। ବିଶେଷ କରି ୧୦-୧୧ ବର୍ଷରୁ ୨୨-୨୩ ବର୍ଷ ପର୍ଯ୍ୟନ୍ତର ପିଲାମାନେ ଅଧିକ ଜର୍ସି କିଣୁଛନ୍ତି। ବୟସ୍କ ଗ୍ରାହକଙ୍କ ସଂଖ୍ୟା କମ୍ ରହିଛି। ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଜର୍ସି କିଣିବା ଲାଗି ଷ୍ଟୋର୍‌କୁ ଆସୁଥିବା ସେ କହିଛନ୍ତି। ୨୦୧୯ କ୍ରିକେଟ୍ ବିଶ୍ବକପ୍ ତୁଳନାରେ ଏଥର ଜର୍ସି ଚାହିଦା ଭଲ ରହିଛି। ୨୦୦ ଟଙ୍କାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ବିଭିନ୍ନ ଜର୍ସି ଅଧିକ ବିକ୍ରି ହେଉଛି। ଷ୍ଟୋର୍‌ରେ ୭୦୦-୮୦୦ ଟଙ୍କିଆ ଜର୍ସି ବି ବିକ୍ରି ହେଉଛି। ଯେ‌ହେତୁ ଚଳିତ ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ଟିମ୍‌ର ପ୍ରଦର୍ଶନ ବେଶ ଉତ୍ସାହଜନକ ରହିଛି, ତେଣୁ ଆଗାମୀ ଦିନରେ ଜର୍ସି ବିକ୍ରି ଆହୁରି ବଢ଼ିବ ବୋଲି ଶ୍ରୀ ସ୍ବାଇଁ ଆଶା ପ୍ରକଟ କରିଛନ୍ତି। ବହୁ ସଂଖ୍ୟାରେ ଗ୍ରାହକ ଅନ୍‌ଲାଇନ୍‌ରେ ମଧ୍ୟ ଜର୍ସି ମଗାଉଛନ୍ତି। ଆଡିଡାସ୍‌, ଆମାଜନ, ମିନ୍ତ୍ରା, ଜିଓମାର୍ଟ ଆଦି ମାଧ୍ୟମରେ ଲୋକମାନେ ଜର୍ସି ମଗାଉଛନ୍ତି। ‌ଅନ୍‌ଲାଇନ୍‌ରେ ୨୯୯ ଟଙ୍କାରୁ ଜର୍ସି ଦାମ୍ ଆରମ୍ଭ ‌ହୋଇଥିବା ବେଳେ ଆଡିଡାସ୍‌ର ଜର୍ସି ଦାମ୍ ୫୦୦୦ ଟଙ୍କା ପାଖାପାଖି ମଧ୍ୟ ରହିଛି। ଆଡିଡାସ୍‌ର ଜର୍ସିଗୁଡ଼ିକ ବିଭିନ୍ନ ଦାମ୍‌ରେ ବିକ୍ରି ହେଉଛି।

ଜର୍ସି ବିକ୍ରି ୧୫୦ କୋଟି ଟପିବ

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍ ବିଶ୍ବକପ୍ ଋତୁରେ ୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜର୍ସି ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଆଇପିଏଲ୍‌ ତୁଳନାରେ ବିଶ୍ବକପ୍ ସମୟରେ ଜର୍ସି ବିକ୍ରି ଦୁଇଗୁଣା ବଢ଼ିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ବ୍ଲିଙ୍କଇଟ୍‌ର ସିଇଓ ଅଲବିନ୍ଦର ଧିଣ୍ଡସା କହିଛନ୍ତି ଯେ ଟିମ୍‌ ଇଣ୍ଡିଆ ଜର୍ସିକୁ ନେଇ ରହିଥିବା ଚାହିଦା ବେଶ ଉତ୍ସାହଜନକ। ଚଳିତ ମାସ ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବହୁ ଚର୍ଚ୍ଚିତ ଭାରତ-ପାକ୍ ମ୍ୟାଚ୍‌ ଦିନ ପ୍ରାୟ ଏକ ଲକ୍ଷ ଦର୍ଶକ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧିଥିଲେ ବୋଲି ଆକଳନ କରାଯାଇଛି। ଜର୍ସି କିଣୁଥିବା ଲୋକମାନେ ଖେଳ ଦେଖିଯିବା ବେଳେ, ସିନେମା ହଲ୍‌, ବଜାର ବୁଲିବା ଏବଂ ପାର୍ଟି କରିବା ବେଳେ ପିନ୍ଧୁଛନ୍ତି। ଉଭୟ ଅସଲି ଓ ସୁଲଭ ମୂଲ୍ୟର ଜର୍ସିର ଚାହିଦା ରହିଛି।




Related Articles

Leave a Reply

Your email address will not be published. Required fields are marked *

Back to top button