ପବନରୁ ବୋତଲ ନିର୍ମାଣ କରିବ କୋକାକୋଲା – Utkal Mail
କଳକାରଖାନା ଓ ଗାଡ଼ିମୋଟରରୁ ବାୟୁମଣ୍ଡଳକୁ ନିର୍ଗମନ ହେଉଥିବା ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପକୁ ହ୍ରାସ କରିବା ଲାଗି ମୃଦୁ ପାନୀୟ କମ୍ପାନି କୋକାକୋଲା ପକ୍ଷରୁ ଏକ ଅଭିନବ ଉଦ୍ୟମ ଆରମ୍ଭ ହୋଇଛି। ବାୟୁମଣ୍ଡଳରୁ ବର୍ଜ୍ୟ ଅଙ୍ଗାରକାମ୍ଳ ବାଷ୍ପର ପୁନଃପ୍ରକ୍ରିୟାକରଣ କରି ସେଥିରୁ ପାନୀୟ ବୋତଲର ଠିପି ପ୍ରସ୍ତୁତ କରିବା ଲାଗି କମ୍ପାନି ଯୋଜନା କରିଛି। ପୃଥିବୀର ଅନ୍ୟତମ ସର୍ବାଧିକ ପ୍ଲାଷ୍ଟିକ୍ ବ୍ୟବହାରକାରୀ ଶିଳ୍ପ ହେଉଛି କୋକାକୋଲା। ଏହି କମ୍ପାନି ୟୁନାଇଟେଡ୍ କିଂଡମ୍ ଅନ୍ତର୍ଗତ ସ୍ବାନ୍ସିଆ ବିଶ୍ବବିଦ୍ୟାଳୟରେ ପରୀକ୍ଷାମୂଳକ ଭାବେ ଏକ ତିନିବର୍ଷିଆ ପ୍ରକଳ୍ପ ଆରମ୍ଭ କରିଛି। ନିଜର ପ୍ୟାକେଜିଂ ପାଇଁ କମ୍ପାନି ଶସ୍ତା ଜୀବାଶ୍ମତୈଳ ଉପରେ ନିର୍ଭର କରୁଥିବା ବେଳେ ୨୦୪୦ ସୁଦ୍ଧା କୋକାକୋଲା ନିଜର ଏହି ଆବଶ୍ୟକତାକୁ ସଂପୂର୍ଣ୍ଣ ଭାବରେ ବାୟୁମଣ୍ଡଳରୁ ଆହରଣ କରିବ ବୋଲି ଆଶା ରଖିଛି। ଗବେଷକ ପ୍ରାଧ୍ୟାପକ ଏନରିକୋ ଆଣ୍ଡ୍ରିଓଲିଙ୍କ କହିବାନୁଯାୟୀ, ସମ୍ପ୍ରତି ବୋତଲଗୁଡ଼ିକରେ ବ୍ୟବହୃତ ଇଥିଲିନ୍ ନାମକ ପ୍ଲାଷ୍ଟିକ୍ ପ୍ରସ୍ତୁତ କଲା ବେଳେ ପ୍ରଚୁର ପରିମାଣର ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରେ ମିଶୁଛି।
ଏକ ଆକଳନ ଅନୁଯାୟୀ, ୨୦୨୦ରେ ଏପରି ପ୍ଲାଷ୍ଟିକ୍ ନିର୍ମାଣରେ ୨୬୦ ନିୟୁତ ଟନ୍ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରେ ମିଶିଥିଲା। ବିଶେଷ କରି ଖଣିଜତୈଳ ବିଶୋଧନରୁ ସୃଷ୍ଟ ଖଦରୁ ଉକ୍ତ ପ୍ଲାଷ୍ଟିକ୍ ପ୍ରସ୍ତୁତ କରାଯାଉଛି। ତେଣୁ ଏହି ପ୍ଲାଷ୍ଟିକ୍ ପ୍ରସ୍ତୁତି ପ୍ରକ୍ରିୟାକୁ ବିଘଟନ କରି ଅଙ୍ଗାରକାମ୍ଳମୁକ୍ତ ପ୍ଳାଷ୍ଟିକ ନିର୍ମାଣ ଉପରେ ଗୁରୁତ୍ବାରୋପ କରାଯାଉଛି। ବାୟୁମଣ୍ଡଳରୁ ଅଥବା ସିଧାସଳଖ କଳକାରଖାନାରୁ, ବର୍ଜ୍ୟ ଅଙ୍ଗାରକାମ୍ଳ ବାଷ୍ପକୁ ସଂଗ୍ରହ କରି ତାହାକୁ ପ୍ଲାଷ୍ଟିକ୍ର ଉତ୍ସ ଭାବେ ବ୍ୟବହାର କରାଯିବ। ତେବେ ଏପରି ପୁନଃପ୍ରକ୍ରିୟାକରଣ ଦ୍ବାରା ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନରେ ୩୦ ପ୍ରତିଶତ ହ୍ରାସ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। କୋକାକୋଲା କମ୍ପାନି କାଲିଫର୍ଣ୍ଣିଆରେ ଏକ ଅନୁରୂପ ପ୍ରକଳ୍ପ ଆରମ୍ଭ କରିଛି ଯେଉଁଠି ଅଙ୍ଗାରକାମ୍ଳକୁ କୃତ୍ରିମ ଚିନିରେ ପରିଣତ କରାଯାଇ ପାରିବ।