ରାଜନୀତି

ପୁଣି ଭାପୁର ରାଜନୀତି ସରଗରମ: ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ନାମରେ ମିଥ୍ୟା ସତ୍ୟପାଠ ଅଭିଯୋଗ – Utkal Mail


ନୟାଗଡ଼: କିଛି ମାସର ନିରବତା ପରେ ପୁଣି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ରାଜନୀତି ସରଗରମ ହୋଇଛି। ବିଜୁ ଜନତା ଦଳରେ ଥିଲେ ମଧ୍ୟ, ଦୁଇ ବିରୋଧୀ ଭାପୁର ପଞ୍ଚ‌ାୟତ ସମିତି ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ମଧ୍ୟ‌ରେ ଛକାପଞ୍ଝା ଘନେଇଛି। ନିର୍ବାଚନ ବିତିବାର ‌ଦେଢ଼ ବର୍ଷ ପରେ ପୁଣି ଭାପୁର ରାଜନୀତି ତେଜିଛି। କଇଁଫୁଲିଆ ସମିତିସଭ୍ୟ ତଥା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବେଣୁଧରଙ୍କ ପତ୍ନୀ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷ ସାବିତ୍ରୀ ପ୍ରଧାନଙ୍କ ନାମରେ ମିଥ୍ୟ ସତ୍ୟାପାଠ ଅଭି‌ଯୋଗ କରିଛନ୍ତି ଗୟାଧର ପରିଡ଼ା।

ଏଥି ସହିତ ବେଣୁଧରଙ୍କ ଭାଇ ତଥା ଶାସନ ପଞ୍ଚାୟତ ସମିତି ସଭ୍ୟ କାହ୍ନୁଚରଣ ପ୍ରଧାନ, ବେଣୁଧରଙ୍କ ଭାଉଜ ଶାଳପଡ଼ା ସମିତିସଭ୍ୟ ଦମୟନ୍ତୀ ଖଟେଇଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ନିର୍ବାଚନ ସମୟରେ ପ୍ରଦାନ କରିଥିବା ଅଭିଯୋଗ ଆସିଛି। ବେଣୁଧରଙ୍କ ନାମରେ ତାଙ୍କଠାରୁ ପରାଜିତ ପ୍ରାର୍ଥୀ ଗୟାଧର ପରିଡ଼ା ଅଭିଯୋଗ କରିଥିବା ବେଳେ, ଉପାଧ୍ୟକ୍ଷ ସାବିତ୍ରୀଙ୍କ ବିରୋଧରେ ପରାଜିତ ପ୍ରାର୍ଥୀ ମିନତୀ ନାୟକ, କାହ୍ନୁଚରଣଙ୍କ ବିରୋଧରେ ପରାଜିତ ପ୍ରାର୍ଥୀ ଚୁମ୍‌କି ଗୋଛି, ଶାଳପଡ଼ା ସମିତିସଭ୍ୟ ଦମୟନ୍ତୀ ଖଟେଇଙ୍କ ବି‌ରୋଧରେ ପରାଜିତ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ମହାପାତ୍ର ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ସମସ୍ତେ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ବେଣୁଧରଙ୍କ ନାମରେ ଭୁବନେଶ୍ବର ମହିଳା ଥାନାରେ ଦୁଷ୍କର୍ମ ମାମଲା ସମେତ ଗୁରୁବାରୀ କଅଁର ହତ୍ୟାକାଣ୍ଡ ମାମଲା, ଗଞ୍ଜେଇ ଚୋରା କାରବାର ସମ୍ପର୍କିତ ମାମଲା ସମ୍ପର୍କିତ ତଥ୍ୟ ସେ ନିର୍ବାଚନୀ ସତ୍ୟପାଠରେ ପ୍ରଦାନ କରିନଥିବା, ଏଥି ସହିତ ତାଙ୍କ ନାମ‌ରେ ଭାପୁର ତହସିଲ ଅଧୀନ ମାଧପୁର, ବେତଖଲି‌‌ରେ ଥିବା ବାଲିଘାଟ, ଚକ୍ରଧରପ୍ରସାଦରେ ଥିବା ଶିବଶକ୍ତି ‌ପଥର କ୍ରସର ସମ୍ପର୍କିତ ତଥ୍ୟ ଲୁଚାଇଥିବ‌ା ଗୟାଧର ଅଭିଯୋଗ କରିଛନ୍ତି। ବେଣୁଧରଙ୍କ ନାମରେ ଥିବା ମାମଲା ସେ ଯଦି ସତ୍ୟପାଠରେ ଦର୍ଶାଇଥାନ୍ତେ, ତେବେ ଲୋକେ ତାଙ୍କୁ ଅଧିକ ଭୋଟ୍‌ ଦେଇନଥାନ୍ତେ ବୋଲି ଗୟାଧର କହିଛନ୍ତି।

ହତ୍ୟା, ଦୁଷ୍କର୍ମ, ସମ୍ପତ୍ତି ତଥ୍ୟ ବେଣୁଧର, ପତ୍ନୀ ଲୁଚାଇଛନ୍ତି
ଅଭିଯୁକ୍ତ ୪ ସମିତି ସଭ୍ୟ ପତି-ପତ୍ନୀ, ଭାଉଜ-ଦିଅର
ସଭିଏଁ ବେଣୁଧରଙ୍କ ପରିବାରର

ଏଥି ସହିତ ୨୦୨୧ ମସିହାରେ ବେଆଇନ କ୍ରସର ସ୍ଥାପନ ପାଇଁ ବେଣୁଧର ଜଙ୍ଗଲ ନଷ୍ଟ କରିଥିବାରୁ ତାଙ୍କୁ ଡିଏଫ୍‌ଓ ୩୦ ଲକ୍ଷ ଟଙ୍କା ଜରିମାନା କରିଥିଲେ, ବେଣୁଧର ଏହା ପ୍ରଦାନ କରିନଥିବାରୁ ତାଙ୍କୁ ଉପାଧ୍ୟକ୍ଷ ପଦବି ତଥା ସମିତିସଭ୍ୟ ପଦବିରୁ ବିଦା କରିବାକୁ ଗୟାଧର ଦାବି କରିଛନ୍ତି। ଆଇଟି ଚଢ଼ଉ ବେଳେ ବେଣୁଧର ୫୦୦ କୋଟି ଟଙ୍କାର ମାଲିକ ହୋଇଥିବା ଜଣାପଡ଼ୁଥିବା ବେ‌ଳେ, ସେ ନିଜର ବ୍ୟାଙ୍କ ଜମା, ସୁନା, ଗାଡ଼ି ସମ୍ପର୍କିତ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି। ବେଣୁଧର ମଧ୍ୟପ୍ରଦେଶରୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ପ୍ରମାଣପତ୍ର ଯୋଗାଡ଼ କରିଥିବା ଗୟାଧର ଅଭିଯୋଗ କରିଛନ୍ତି। ସେହିଭଳି ବେଣୁଧରଙ୍କ ପତ୍ନୀ ତଥା ଅଧ୍ୟକ୍ଷ ସାବିତ୍ରୀ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସତ୍ୟପାଠ‌‌ରେ ଲୁଚାଇଥିବା ଗୟାଧରଙ୍କ ସମେତ ସାବିତ୍ରୀଙ୍କଠାରୁ ପରାଜିତ ପ୍ରାର୍ଥୀ ମିନତୀ ନାୟକ ଅଭିଯୋଗ କରିଛନ୍ତି। ବେଣୁଧରଙ୍କ ଭାଇ ସମିତିସଭ୍ୟ କାହ୍ନୁଚରଣ ତାଙ୍କ ନାମରେ ଥିବା ଗଞ୍ଜେଇ ସମେତ ବିଭିନ୍ନ ମାମଲା, ବାଲିଘାଟ, କ୍ରସର ଆଦି ସମ୍ପର୍କିତ ସମ୍ପତ୍ତି ତାଲିକା ଲୁଚାଇଥିବା ଅଭିଯୋଗ ଆସିଛି। ବେଣୁଧର, ସାବିତ୍ରୀ, କାହ୍ନୁଚରଣ, ଦମୟନ୍ତୀ ଏହି ୪ ଜଣ ବ୍ୟକ୍ତି ଗୋଟିଏ ପରିବାରର। ସଭିଏଁ ସମ୍ପତ୍ତି ତାଲିକା ଲୁଚାଇଥିବା, ବେଆଇନ ଭାବେ ୫୦୦ କୋଟି ଟଙ୍କାର ମାଲିକ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ମିଥ୍ୟା ସତ୍ୟପାଠ ସମ୍ପର୍କିତ ଅଭିଯୋଗ ପାଇଛି, ଏହାର ତଦନ୍ତ କରି ନିର୍ବାଚନ କମିସନ୍‌ଙ୍କୁ ପଠାଇବୁ ବୋଲି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ କହିଛନ୍ତି।

ଏ ସମ୍ପର୍କରେ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କହିଛନ୍ତି, ସତ୍ୟପାଠରେ କୌଣସି ମିଥ୍ୟାତଥ୍ୟ ଦିଆଯାଇନି। ଗୟାଧର ପରିଡ଼ା ନିର୍ବାଚନ ହାରିବା ପରେ ପାଗଳ ହେଇଯାଇଛନ୍ତି। ବିଜେଡିକୁ ବିକି ଭାପୁରରୁ ୨୦୦ କୋଟି ଲୁଟ୍‌ କରିଛନ୍ତି। ବର୍ତ୍ତମାନ ରୋଜଗାରର ଆଉ କୌଣସି ବାଟ ନଥିବାରୁ ତାଙ୍କ ମସ୍ତିଷ୍କ କାମ କରୁନି। ପୁଣି ରାଜନୀତି କରିବାକୁ ସେ ସ୍ବପ୍ନ ଦେଖୁଛନ୍ତି, କୌଣସି ଉପାୟ ପାଉନାହାନ୍ତି, ତେଣୁ ଏଭଳି ଅଭିଯୋଗ କରୁଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button