ଲଟେରି ଜିଣିଲେ ସାଉଦିରେ ରହୁଥିବା ଭାରତୀୟ; ୨୫ ବର୍ଷ ପର୍ଯ୍ୟନ୍ତ ପାଇବେ ମାସକୁ ୫.୬ ଲକ୍ଷ ଟଙ୍କା – Utkal Mail
ଦୁବାଇ: ଦୁବାଇରେ ବାସ କରୁଥିବା ଜଣେ ଭରତୀୟ ପ୍ରୋଜେକ୍ଟ୍ ମ୍ୟାନେଜର୍ ‘ସଂଯୁକ୍ତ ଆରବ ଏମିରେଟ୍ସ୍’ରେ (ୟୁଏଇ) ଲଟେରି ଜିଣିଥିବାରୁ ୨୫ ବର୍ଷ ଧରି ମାସକୁ ୫.୬ ଲକ୍ଷ ଲେଖାଏଁ ଟଙ୍କା ପାଇବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
‘ଫାଷ୍ଟ୍ଫାଇଭ୍ ଗ୍ରାଣ୍ଡ୍ ପ୍ରାଇଜ୍ ଅଫ୍ ଏମିରେଟ୍ସ୍ ଡ୍ର’ ନାମକ ଏହି ଲଟେରି ବିଜେତା ହେଉଛନ୍ତି ୪୯ ବର୍ଷିୟ ମଗେଶ କୁମାର ନଟରାଜନ। ଲଟେରି ଅର୍ଥ ବାବଦକୁ ନଟରାଜନ ମାସକୁ ୨୫,୦୦୦ ଦିରାମ୍ (ଭାରତୀୟ ମୁଦ୍ରାରେ ୫.୬ ଲକ୍ଷ ଟଙ୍କା) ୨୫ ବର୍ଷ ପର୍ଯ୍ୟନ୍ତ ପାଇବେ। ଏହି ଲଟେରି ଜିଣିବାରେ ତାମିଲନାଡୁର ଆମ୍ବୁର ଅଞ୍ଚଳରୁ ଯାଇଥିବା ନଟରାଜନ ହେଉଛନ୍ତି ‘ୟୁଏଇ’ ବାହାରର ପ୍ରଥମ ବ୍ୟକ୍ତି।
ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ ନଟରାଜନ କହିଛନ୍ତି, ପାଠପଢ଼ା ବେଳେ ମୁଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲି। ପଢ଼ା ଶେଷ କରିବା ଲାଗି ସମାଜର ଅନେକ ବ୍ୟକ୍ତି ମତେ ସାହାଯ୍ୟ କରିଥିଲେ। ସମାଜିକ ଋଣ ପରିଶୋଧ କରିବାର ସମୟ ଆସିଛି। ସମାଜର ଅଭାବୀ ଜନତା ନିକଟରେ ଯେମିତି ମୋର ଅବଦାନ ପହଞ୍ଚିବ ସେ ଦିଗରେ ସୁନିଶ୍ଚିତ ହେବି।

ନଟରାଜନ ତାମିଲନାଡୁ ସରକାରୀ ପଲିଟେକ୍ନିକ୍ କଲେଜରୁ ‘ଇଲେକ୍ଟ୍ରୋନିକ୍ ଓ ଯୋଗାଯୋଗ ଇଞ୍ଜିନିୟରିଙ୍ଗ୍’ରେ ଡିପ୍ଲୋମା ହାସଲ କରିବା ପରେ ଆନ୍ନାମଲାଇ କଲେଜରୁ ‘ବିବିଏ’ ଡିଗ୍ରି ହାସଲ କରିଛନ୍ତି।
ଜୀବନର ଅଧିକାଂଶ ସମୟ ଆମ୍ବୁରରେ ବିତାଇଥିବା ନଟରାଜନ ଗୋଟାଏ ୪ ବର୍ଷିଆ ପ୍ରୋଜେକ୍ଟ୍ କାମରେ ୨୦୧୯ରୁ ଚଳିତ ବର୍ଷ ପ୍ରାରମ୍ଭ ପର୍ଯ୍ୟନ୍ତ ସାଉଦି ଆରବ ଯାଇଥିଲେ।
ଲଟେରି ଅର୍ଥକୁ ସେ ତାଙ୍କ ଝିଅମାନଙ୍କ ପାଠପଢ଼ାରେ ଓ ପରିବାରର ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ବିନିଯୋଗ କରିବେ ବୋଲି ଯୋଜନା କରିଛନ୍ତି।