ଯୁଦ୍ଧ ସହିତ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ କମ୍ ପ୍ରଭାବ: କମିଗଲା ଓଡ଼ିଶାର ସାମୁଦ୍ରିକ ଉତ୍ପାଦ ରପ୍ତାନି – Utkal Mail
ବର୍ଷକରେ ୧୪୫୭ ଟନ୍ ହ୍ରାସ
ଭୁବନେଶ୍ବର: ରାଜ୍ୟରେ ବାଲେଶ୍ବର ଜିଲ୍ଲାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ପାଖାପାଖି ୪୮୦ କିମିର ବେଳାଭୂମି ରହିଛି। ଏଥିସହିତ ବାଲେଶ୍ବର, ଭଦ୍ରକଠାରୁ ଆରମ୍ଭ କରି ଜଗତସିଂହପୁର ଭଳି ଉପକୂଳ ଜିଲ୍ଲାରେ ହଜାର ହଜାର ସଂଖ୍ୟକ ପୋଖରୀରେ ଚିଙ୍ଗୁଡ଼ି ଚାଷ ହେଉଛି। ମତ୍ସ୍ୟ ଉତ୍ପାଦନ ଏବଂ ରପ୍ତାନି କ୍ଷେତ୍ରରେ ଓଡ଼ିଶାରେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି। କିନ୍ତୁ ଏହି ସମ୍ଭାବନା ଭିତରେ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ସାମୁଦ୍ରିକ ଉତ୍ପାଦ ରପ୍ତାନି ହ୍ରାସ ପାଇଛି। ସୂଚନା ଅନୁଯାୟୀ, ୨୦୨୨-୨୩ରେ ଆମ ରାଜ୍ୟରୁ ପ୍ରାୟ ୮୫ ହଜାର ୩୦୮ ଟନ୍ ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଉତ୍ପାଦ ବିଦେଶକୁ ରପ୍ତାନି ହୋଇଛି, ଯାହାକି ୨୦୨୧-୨୨ ତୁଳନାରେ ପ୍ରାୟ ୧୪୫୭ ଟନ୍ କମ୍। ମୂଲ୍ୟ ଦୃଷ୍ଟିରୁ ଦେଖିଲେ ଓଡ଼ିଶା ୨୦୨୧-୨୨ରେ ୪୬୨୭.୯୦ କୋଟି ଟଙ୍କାର ରପ୍ତାନି କରିଥିବାବେଳେ ୨୦୨୨-୨୩ରେ ଏହା ୪୫୪୬.୪୭ କୋଟି ଟଙ୍କାକୁ ହ୍ରାସ ପାଇଛି।
ଓଡ଼ିଶାରୁ ମୁଖ୍ୟତଃ ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ସଂଘ, ଚୀନ, ଦକ୍ଷିଣ ପୂର୍ବ ଏସୀୟ ଦେଶ, ମଧ୍ୟ ପ୍ରାଚ୍ୟକୁ ଅଧିକ ଚିଙ୍ଗୁଡ଼ି ଓ ଅନ୍ୟ ସାମୁଦ୍ରିକ ଉତ୍ପାଦ ରପ୍ତାନି ହୋଇଥାଏ। କିନ୍ତୁ ଜାପାନ, ୟୁଏସ୍ଏ ଏବଂ ଚୀନକୁ ରପ୍ତାନି ବହୁ ପରିମାଣରେ ହ୍ରାସ ଘଟିଛି ଯାହାର ପ୍ରଭାବ ମୋଟ ରପ୍ତାନି ଉପରେ ପଡ଼ିଛି ବୋଲି କେନ୍ଦ୍ର ସରକାରଙ୍କ ସାମୁଦ୍ରିକ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ (ଏମ୍ପିଇଡିଏ) ତଥ୍ୟ ବିଶ୍ଳେଷଣରୁ ଜଣାଯାଇଛି। ଏମ୍ପିଇଡିଏର ଉପ ନିର୍ଦ୍ଦେଶକ ଅର୍ଚିମାନ ଲାହିଡ଼ିଙ୍କ କହିବାନୁଯାୟୀ, ସାମୁଦ୍ରିକ ରପ୍ତାନି ବୃଦ୍ଧି କରିବାକୁ ହେଲେ ରାଜ୍ୟରେ ଏସବୁ ଉତ୍ପାଦରେ ମୂଲ୍ୟଯୋଗ କରିବାକୁ ହେବ। ଏହା ହେଲେ ଚାଷୀ ଏବଂ ରପ୍ତାନିକାରୀଙ୍କୁ ଅଧିକ ଲାଭ ମିଳିପାରିବ। କାରଣ ଓଡ଼ିଶାରୁ ଭିଏତନାମ ଏବଂ ଚୀନ ଆଦି ଦେଶକୁ ଅନେକ ପରିମାଣର ଚିଙ୍ଗୁଡ଼ି ପ୍ରଥମେ ରପ୍ତାନି ହେଉଛି। ସେଠାରେ ଅଧିକ ମୂଲ୍ୟଯୋଗ କରାଯାଇ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକୁ ପୁନର୍ବାର ପଠାଯାଉଛି। ଉକ୍ତ ମୂଲ୍ୟଯୋଗର ଲାଭ ଚୀନ ଏବଂ ଭିଏତନାମ ଭଳି ଦେଶର ରପ୍ତାନିକାରୀଙ୍କୁ ମିଳୁଛି। ଏହାବ୍ୟତୀତ ଓଡ଼ିଶାରେ କେବଳ ଭାନାମି ଚିଙ୍ଗୁଡ଼ି ଚାଷ କରାଯାଉଛି। ଏହା ଉପରେ ଏତେ ମାତ୍ରାରେ ନିର୍ଭର ନକରି ଅନ୍ୟାନ୍ୟ କିସମର ଚିଙ୍ଗୁଡ଼ି ଚାଷ କରିବାକୁ ହେବ। ଏଥିସହିତ ବାହାର ରାଜ୍ୟ ବାଟେ ହେଉଥିବା ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନି କିଭଳି ଓଡ଼ିଶାରୁ ହେବ ତାହା ଉପରେ ଦୃଷ୍ଟି ଦେବାକୁ ପଡ଼ିବ।
ସେହିଭଳି ଏସ୍ଇଏଆଇଓଆର୍ (ସିଫୁଡ୍ ଏକ୍ସପୋଟର୍ସ ଆସୋସିଏସନ ଅଫ୍ ଇଣ୍ଡିଆ, ଓଡ଼ିଶା ରିଜିଅନ)ର ସଭାପତି କମଲେଶ ମିଶ୍ରଙ୍କ କହିବାନୁଯାୟୀ, ବିଶ୍ବରେ ଦେଖାଦେଇଥିବା ଭୌଗୋଳିକ ଓ ରାଜନୈତିକ ଅସ୍ଥିରତା ପାଇଁ ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନି ବଜାର ପ୍ରଭାବିତ ହୋଇଛି। ଯୁଦ୍ଧ ଫଳରେ ୟୁରୋପୀୟ ଦେଶଗୁଡ଼ିକରେ ଲୋକଙ୍କ ଜୀବନଯାପନ ଖର୍ଚ୍ଚ ବଢ଼ିଯାଇଛି। ଏଥିଯୋଗୁ ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟର ଚାହିଦା ସେଠାରେ ପ୍ରଭାବିତ ହେବାରୁ ଓଡ଼ିଶାର ରପ୍ତାନି କମିଛି। କେବଳ ସେତିକି ନୁହେଁ, ଆମେରିକା ନିକଟରେ ଇକ୍ବେଡରରେ ବହୁମାତ୍ରାରେ ଭାନାମି ଚାଷ ହେଉଛି। ସେଠାରୁ ଆମେରିକାର ଗ୍ରାହକ କମ୍ ମୂଲ୍ୟରେ ଚିଙ୍ଗୁଡ଼ି ପାଇ ପାରୁଛନ୍ତି। ଏଥିପାଇଁ ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନି ବାଧାପ୍ରାପ୍ତ ହୋଇଛି। ୨୦୨୩-୨୪ରେ ମଧ୍ୟ ରପ୍ତାନି ୭ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଆଶଙ୍କା ରହିଥିବା ସେ କହିଛନ୍ତି। ମ୍ୟାଗନମ ଗ୍ରୁପ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାପାତ୍ରଙ୍କ କହିବାନୁଯାୟୀ, ଚିଙ୍ଗୁଡ଼ି ଖାଦ୍ୟର ଅତ୍ୟଧିକ ମୂଲ୍ୟବୃଦ୍ଧି ସାଙ୍ଗକୁ ଡିଜେଲ ମୂଲ୍ୟ ଅଧିକ ରହିଛି। ଚିଙ୍ଗୁଡ଼ିରେ ଏବେ ବିଭିନ୍ନ ପ୍ରକାର ରୋଗ ବି ବ୍ୟାପୁଛି। ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ଚିଙ୍ଗୁଡ଼ିର ମୂଲ୍ୟ ବୃଦ୍ଧି ପାଉନାହିଁ। ଏସବୁ କାରଣରୁ ରାଜ୍ୟରେ ଚିଙ୍ଗୁଡ଼ି ରପ୍ତାନି ହ୍ରାସ ପାଇଛି।