ଦଶମୀରେ ହାଣିଲେ ଭସାଣିରେ ହଣା ଖାଇଲେ: ହୋଟେଲ୍ ସିସିଟିଭିରେ ଆକ୍ରମଣ ଦୃଶ୍ୟ – Utkal Mail
ଭୁବନେଶ୍ବର: ରାତି ପାଖାପାଖି ସାଢ଼େ ୧୧ଟା` ହେଟେଲ୍ ବନ୍ଦ କରିବାକୁ କର୍ମଚାରୀ ଜିନିଷପତ୍ର ସଜାଡ଼ି ରଖୁଥାଆନ୍ତି। ହଠାତ୍ ୧୦-୧୫ ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ଭିତରକୁ ପଶି ଆସି ଯାହାକୁ ପାରିଲେ ତା’କୁ ଆକ୍ରମଣ କଲେ। ରୁଚିକା ମାର୍କେଟ୍ରେ ଘଟିଥିବା ଏହି ଘଟଣାରେ ହୋଟେଲ୍ ମାଲିକ ସଜନ ସମନ୍ବୟ ଗୁରୁତର ଆହତ ହୋଇଥିବା ବେଳେ କିଛି କର୍ମଚାରୀ ଆହତ ହୋଇଛନ୍ତି। ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଜନଙ୍କ ସାନଭାଇ ସଫଳ ଓ ତାଙ୍କ ଦଳ ସହିତ ରକି, ମାଲିଙ୍ଗା ଓ ସେମାନଙ୍କ ସହଯୋଗୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତ ୨୪ ତାରିଖ ରାତିରେ ଉଭୟ ଗୋଷ୍ଠୀ ନୂଆପଲ୍ଲୀ ଦୁର୍ଗା ମଣ୍ଡପକୁ ଆସିଥିବା ବେଳେ ମୁହାଁମୁହିଁ ହୋଇଥିଲେ। ସିଗାରେଟ୍ ଫୋପଡ଼ାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ମାରଣାସ୍ତ୍ରରେ ଆକ୍ରମଣ ପର୍ଯ୍ୟନ୍ତ କଥା ବଢ଼ିଥିଲା। ଆକ୍ରମଣ ଯୋଗୁଁ ମାଲିଙ୍ଗା ଆହତ ହୋଇଥିଲେ। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଆକ୍ରମଣର ଶିକାର ହୋଇଥିବା ଗୋଷ୍ଠୀ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ଭସାଣି ରାତିରେ ସାଜନ ଓ ସଫଳ ରୁଚିକା ହୋଟେଲ୍ରେ ଥିବାବେଳେ ୧୦ରୁ ୧୫ ଯୁବକ ମାରଣାସ୍ତ୍ର ଧରି ଅଚାନକ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣ ଦେଖି ଯିଏ ଯୁଆଡ଼େ ପାରିଲେ ଜୀବନ ବିକଳରେ ଦୌଡ଼ିଥିଲେ। ରକ୍ତମୁଖା ହୋଇଥିବା ବିପକ୍ଷ ଗୋଷ୍ଠୀ ସଜନଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ଏତିକିରେ ଥମିନଥିଲା ସେମାନଙ୍କ ରାଗ। ହୋଟେଲ୍ର ଜିନିଷ ମଧ୍ୟ ଭାଙ୍ଗି ଗୁଣ୍ଡ କରିଥିଲେ। ଅକ୍ରମଣ କରି ସେମାନେ ଫେରାର୍ ହେବାପରେ କର୍ମଚାରୀମାନେ ସଜନ ଓ ଅନ୍ୟମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲେ।