ବ୍ୟବସାୟ

କନ୍ଦାଉଛି ପିଆଜ! ସରକାର ବିକୁଛନ୍ତି କିଲୋ ପିଛା ୨୫ ଟଙ୍କାରେ ପିଆଜ – Utkal Mail


ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଖୁଚୁରା ପିଆଜ ଦର କିଲୋ ପିଛା ହାରାହାରି ୫୭ ପ୍ରତିଶତ ବୃଦ୍ଧି ପାଇ ୪୭ ଟଙ୍କାରେ ପହଞ୍ଚିଛି। ହାଣ୍ଡିଶାଳର ସବୁଠୁ ଦରକାରୀ ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଏବେ ହନ୍ତସନ୍ତ ହେଉଛନ୍ତି। ଏପରିସ୍ଥିତିରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଖୁଚୁରା ବଜାରରେ ବଫର ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ବିକ୍ରି ବୃଦ୍ଧି କରିବାକୁ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି।

ଖାଉଟି ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଶୁକ୍ରବାର ପିଆଜର ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ କିଲୋ ପିଛା ୪୭ ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବ ବର୍ଷର ଏହି ସମୟ ମଧ୍ୟରେ କିଲୋ ପିଛା ୩୦ ଟଙ୍କା ଥିଲା। ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପିଆଜର ଖୁଚୁରା ଦର କିଲୋ ପିଛା ୪୦ ଟଙ୍କା ଥିବା ବେଳେ ଗତବର୍ଷ ଏହି ସମୟରେ ଏହା ୩୦ ଟଙ୍କା ଥିଲା।

ଖାଉଟି ବ୍ୟାପାର ସଚିବ ରୋହିତ କୁମାର ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଅଗଷ୍ଟ ମଧ୍ୟଭାଗରୁ ବଫର ପିଆଜ ବିକ୍ରି କରୁଛୁ ଏବଂ ଦର ବୃଦ୍ଧିକୁ ରୋକିବା ଏବଂ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ଆମେ ଖୁଚୁରା ବିକ୍ରିକୁ ବଢ଼ାଉଛୁ। ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଯେଉଁ ରାଜ୍ୟରେ ପିଆଜର ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି ସେଠାରେ ଉଭୟ ହୋଲସେଲ ଏବଂ ଖୁଚୁରା ବଜାରରେ ବଫର ଷ୍ଟକରୁ ପିଆଜକୁ ଅଫଲୋଡ୍‌ କରାଯାଉଛି।

ଅଗଷ୍ଟ ମଧ୍ୟଭାଗରୁ ୨୨ଟି ରାଜ୍ୟରେ ପ୍ରାୟ ୧.୭ ଲକ୍ଷ ଟନ୍‌ ବଫର ପିଆଜ ବିଭିନ୍ନ ସ୍ଥାନରେ ବିକ୍ରି ହୋଇଛି। ଖୁଚୁରା ବଜାରରେ ଦୁଇଟି ସମବାୟ ସଂସ୍ଥା ଏନସିସିଏଫ ଓ ନାଫେଡ ଆଉଟଲେଟ ଓ ଗାଡି ମାଧ୍ୟମରେ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ବଫର ପିଆଜ ବିକ୍ରି କରାଯାଉଛି। ଦିଲ୍ଲୀରେ ମଧ୍ୟ ବଫର ପିଆଜ ଏହି ରିହାତି ଦରରେ ବିକ୍ରି ହେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button