ଧରାପଡ଼ିଲା ସିନ୍ଧିଚୋର: ୱାଣ୍ଟେଡ୍ ତାଲିକାରେ ଥିଲା ରିଙ୍କୁ – Utkal Mail
ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ପୁଲିସର ୱାଣ୍ଟେଡ୍ ତାଲିକାରେ ଥିବା କୁଖ୍ୟାତ ସିନ୍ଧିଚୋର ଲିଙ୍ଗରାଜ ବାରିକ ଓରଫ୍ ରିଙ୍କୁ ଧରାପଡ଼ିଛି। ପୁଲିସ ଆଖିରେ ଧୂଳି ଦେଇ ଖସିଯାଉଥିବା ରିଙ୍କୁ କିନ୍ତୁ ଗତକାଲି ଲୋକଙ୍କ ହାତରେ ଧରାପଡ଼ିଛି। ଆଜି ପୁଲିସ ତାକୁ କୋର୍ଟ ଚାଲାଣ କରିଛି। ପୁଲିସ ସୂଚନାନୁସାରେ ପୁରୀ କାକଟପୁର ଅଞ୍ଚଳର ଲିଙ୍ଗରାଜ ବାରିକ ଓରଫ୍ ରିଙ୍କୁ(୩୦) ନାଁରେ କେବଳ ଲକ୍ଷ୍ମୀସାଗର ଥାନାରେ ୯ରୁ ଅଧିକ ସିନ୍ଧିଚୋରି ମାମଲା ରହିଛି। କବାଟ, ଝରକାର ଗ୍ରିଲ୍ ଓ ତାଲା କାଟି ସେ ଘରୁ ଚୋରି କରିବାରେ ଓସ୍ତାଦ୍। ତାକୁ ଧରିବା ପାଇଁ କିଛି ଦିନ ହେଲା ପୁଲିସ ଟିମ୍ ତାକୁ ପିଛା କରୁଥିଲେ ବି ସେ ଧରାପଡ଼ୁନଥିଲା। ଗତକାଲି ସନ୍ଧ୍ୟାରେ ରିଙ୍କୁ ଲକ୍ଷ୍ମୀସାଗର ମାଳିଅନ୍ତା ପୋଖରୀ ନିକଟରେ ଜଣେ ମହିଳାଙ୍କ ଘରେ ପଶିଥିଲା।
ସନ୍ଧ୍ୟା ପ୍ରାୟ ୭ଟା ବେଳେ ମହିଳାଜଣଙ୍କ ଘରେ ତାଲା ପକାଇ ପୁଅକୁ ଟ୍ୟୁସନରେ ଛାଡ଼ିବାକୁ ଯାଇଥିଲେ। ଏହି ମଉକାରେ ଛକି ରହିଥିବା ଧୂର୍ତ୍ତ ରିଙ୍କୁ ତାଲା ଭାଙ୍ଗି ଘର ଭିତରେ ପଶିଯାଇଥିଲା। ମାତ୍ର କିଛି ମିନିଟ୍ ପରେ ମହିଳାଜଣଙ୍କ ଘରକୁ ଫେରିବା ପରେ ତାଲା ଭଙ୍ଗା ହୋଇଥିବା ଦେଖି ସନ୍ଦେହ କରିଥିଲେ। ତୁରନ୍ତ ସେ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିବା ଦେଖି ରିଙ୍କୁ ଘର ଭିତରୁ ବାହାରି ଧାଇଁବାକୁ ଲାଗିଥିଲା। କିନ୍ତୁ ଯୁବକମାନେ ତାକୁ ଗୋଡ଼ାଇ ଗୋଡ଼ାଇ ମାଡ଼ିବସିବା ସହ ବହେ ଛେଚିବା ପରେ ପୁଲିସ ଜିମା ଦେଇଥିଲେ।