ରାଜନୀତି

ଦୋସା ଖୁଆଇ, ଚା ପିଇ, ଗ୍ୟାରେଣ୍ଟି ଦେଇ ତେଲେଙ୍ଗାନାରେ ଭୋଟ ନେଇଯିବେ ରାହୁଲ ! – Utkal Mail


ଭୁବନେଶ୍ୱର: ତେଲେଙ୍ଗାନାରେ ବିଜୟ ପାଇଁ ଜୋରଶୋରରେ ଲାଗିପଡିଛି କଂଗ୍ରେସ। ଦଳ ସପକ୍ଷରେ ମାହୋଲ ପ୍ରସ୍ତୁତ କରିବା ସହ ଲୋକଙ୍କୁ ଆକର୍ଷିତ କରିବାରେ କୌଣସି ବି ସୁଯୋଗକୁ ହାତଛଡା କରୁନି ଦଳ।

ପୂର୍ବରୁ ତେଲେଙ୍ଗାନାରେ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଧାରକ କମିଟି ସିଡବ୍ଲୁସିର ବୈଠକ ହେଉ କିମ୍ବା ଆଗୁଆ ୬ ଟି ଗ୍ୟାରେଣ୍ଟି ଘୋଷଣା। ଏଥିସହିତ ବିଜୟଭେରୀ ଯାତ୍ରାରେ ସାରା ରାଜ୍ୟ ବୁଲିବା ଓ ରାହୁଲ ଗାନ୍ଧୀ ସର୍ବାଧିକ ସମୟ ଦେବା ଆଦି ଦେଖିବାକୁ ମିଳୁଛି।

ଏଥିସହିତ ରାସ୍ତା କଡ଼ ଦୋକାନରେ ରାହୁଲଙ୍କ ଦୋସା ପ୍ରସ୍ତୁତ କରି ଲୋକଙ୍କୁ ଦେବା ହେଉ କିମ୍ବା ଚା ପିଇବା ଆଦି ଦେଖିବାକୁ ମିଳୁଛି। ମତଦାନ ତାରିଖ ପାଖେଇ ଆସୁଥିବା ବେଳେ କଂଗ୍ରେସ ଏବେ ନିଜର ଇସ୍ତାହାର ଦ୍ୱାରା ଲୋକଙ୍କୁ ଆହୁରି ଆକର୍ଷିତ କରିବା ଯୋଜନା ଆରମ୍ଭ କରିଛି।

ସୋନିଆ ଗାନ୍ଧୀ ପୂର୍ବରୁ ଦେଇଥିବା ଗ୍ୟାରେଣ୍ଟି ମଧ୍ୟରେ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ସହ ଅନ୍ୟାନ୍ୟ ଲୋଭନୀୟ ଯୋଜନା ରହିଛି। ସେଥିରେ ପ୍ରଜା ଦରବାର ଭଳି ଯୋଜନା ମଧ୍ୟ ଘୋଷଣା ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ଦୁଃଖ ଶୁଣିବେ ଓ ସମାଧାନ କରିବେ।

ଯାହାକି ଅବିଭକ୍ତ ଆନ୍ଧ୍ରପ୍ରଦେଶ ସମୟରେ କଂଗ୍ରେସ ସରକାର କରୁଥିବା ବେଳେ କେସିଆର ସରକାର ଗଢିବା ପରେ ୨୦୧୪ ରେ ତେଲେଙ୍ଗାନାରେ ବନ୍ଦ ହୋଇଥିଲା। ସେପଟେ କାଲେଶ୍ୱରମ ପ୍ରକଳ୍ପର ଦୁର୍ନୀତିକୁ ନେଇ ଦଳ ପକ୍ଷରୁ ମାହୋଲ ତିଆରି କରାଯାଉଛି।

ନିଜ ଇସ୍ତାହାରରେ ଦଳ ବ୍ୟାପକ ଯୋଜନା ଲୋକଙ୍କୁ ଉପହାର ଦେବାକୁ ପ୍ରତିଶ୍ରୁତି ଦେଇଛି। କୃଷକ ମାନଙ୍କ ପାଇଁ କୃଷି ଋଣ ଛାଡ ସହ ୨୪ ଘଣ୍ଟା ବିଜୁଳି ଯୋଗାଣ, ବର୍ଷକ ମଧ୍ୟରେ ସରକାରୀ ଚାକିରି କ୍ଷେତ୍ରରେ ୨ ଲକ୍ଷ ଫାଙ୍କା ପଦ ପୂରଣ , ପୁରୁଣା ପେନସନ ଯୋଜନା ଲାଗୁ କରାଯିବ ବୋଲି ଇସ୍ତାହାରରେ କୁହାଯାଇଛି।

କଂଗ୍ରେସ ଜାତୀୟ ସଭାପତି ମଲିକାର୍ଜୁନ ଖଡ଼ଗେ ଅଭୟ ହସ୍ତମ ନାଁ ରେ ଦଳର ଏହି ୪୨ ପୃଷ୍ଠା ବିଶିଷ୍ଟ ଇସ୍ତାହାର ପ୍ରକାଶ କରିଛନ୍ତି। କର୍ଣ୍ଣାଟକରେ ପାଞ୍ଚୋଟି ଗ୍ୟାରେଣ୍ଟି ପାଇଁ କଂଗ୍ରେସ ଜିତିଥିବା ସାଙ୍କେତିକ ଢଙ୍ଗରେ ଖଡ଼ଗେ କହିବା ସହ ଏସବୁ ପ୍ରତିଶ୍ରୁତି ପୂରଣ ହୋଇଥିବା ସେ କହିଛନ୍ତି।

ବିଜେପି ଭଗବାନଙ୍କ ନାଁ ରେ ଭୋଟ ମାଗୁଥିବା ବେଳେ କଂଗ୍ରେସର ଫ୍ରି ଟ୍ରାଭେଲ ସ୍କିମ ମହିଳାଙ୍କୁ କର୍ଣ୍ଣାଟକର ପ୍ରତ୍ୟେକ ମନ୍ଦିରକୁ ନେଇପାରିଛି ବୋଲି ଖଡ଼ଗେ କହିଛନ୍ତି। କର୍ଣ୍ଣାଟକ ସରକାର ଗଠନର ପ୍ରଥମ କ୍ୟାବିନେଟ ବୈଠକରେ ହିଁ ଏସବୁ ଦାବି ପୂରଣ ହୋଇଥିବା ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା କେସିଆର କଂଗ୍ରେସକୁ ସରକାର ଗଢିବାରେ ରୋକିପାରିବେନି ବୋଲି ସେ କହିଛନ୍ତି। ତେଣୁ ତେଲେଙ୍ଗାନାକୁ କଂଗ୍ରେସ ସର୍ବାଧିକ ଫୋକସ କରିବା ସହ ଲଗାତର ମାହୋଲ ପ୍ରସ୍ତୁତିରେ ଲାଗି ପଡିଛନ୍ତି।

ଏପରିକି ଖୋଦ ରାହୁଲ ଗାନ୍ଧୀ ତେଲେଙ୍ଗାନାରେ ସର୍ବାଧିକ ସମୟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ସେପଟେ ବିଆରଏସ ଓ ବିଜେପି ମଧ୍ୟ ନିଜର ଶକ୍ତି ଖଟାଉଛନ୍ତି। ଏସବୁ ଭିତରେ କଂଗ୍ରେସ ଉଭୟ ଦଳକୁ ପ୍ରତିହତ କରି କେତେଦୂର ସଫଳ ହେବ ତା ଉପରେ ନଜର।


Related Articles

Leave a Reply

Your email address will not be published. Required fields are marked *

Back to top button