ରୋହିତଙ୍କ ଉତ୍ତର ଶୁଣି ହସ ରୋକି ପାରିଲେ ନାହିଁ ବାବର୍ ଆଜମ୍, ବଟଲର୍ – Utkal Mail
ଅହମଦାବାଦ: ବିଶ୍ବକପ୍ କ୍ରିକେଟର ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ‘କ୍ୟାପଟେନ୍ସ ଡେ’ ଅବସରରେ ଅଧିନାୟକ ରୋହିତ ଶର୍ମାଙ୍କୁ ପଚରାଯାଇଥିଲା ଏକ ରୋଚକ ପ୍ରଶ୍ନ। ଆଉ ସେ ଏହି ପ୍ରଶ୍ନର ଉତ୍ତର ବି ବେଶ୍ ମଜାଦାର ଢ଼ଙ୍ଗରେ ଦେଇଥିଲେ।
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ୱକପ ଇଭେଣ୍ଟରେ ବିଶ୍ୱକପ-୨୦୧୯ ଫାଇନାଲ ବିଷୟରେ ଏକ ରୋଚକ ପ୍ରଶ୍ନ ପଚରାଯାଇଥିଲା। ସେ ଉକ୍ତ ପ୍ରଶ୍ନର ମଜାଦାର ଉତ୍ତର ଦେଇଥିଲେ। ଜଣେ ସାମ୍ବାଦିକ ରୋହିତଙ୍କୁ ୨୦୧୯ ଓଡିଆଇ ବିଶ୍ୱକପ ଫାଇନାଲ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନଟି ଥିଲା ଯେ ରୋମାଞ୍ଚକର ସୁପର ଫାଇନାଲ ପରେ ଇଂଲଣ୍ଡକୁ ୨୦୧୯ ବିଶ୍ୱକପର ବିଜେତା ଘୋଷିତ କାହିଁକି କରାଯାଇଛି? ଆପଣଙ୍କ ମତରେ ଉଭୟ ଦଳ ବିଜେତା ଘୋଷିତ ହେବା ଉଚିତ୍ କି?
ଏହାର ଉତ୍ତରରେ ରୋହିତ ଶର୍ମା କହିଥିଲେ ଯେ, ‘‘କ୍ୟା ୟାର୍, ବିଜେତା ଘୋଷିତ କରନା, ୟେ ମେରା କାମ୍ ନେହିଁ ହେ, ସାର୍।’’ ରୋହିତଙ୍କ ଏହି ଉତ୍ତର ପରେ ପାକିସ୍ତାନୀ ଅଧିନାୟକ ବାବର ଆଜମ, ଇଂଲାଣ୍ଡ ଅଧିନାୟକ ଜସ୍ ବଟଲରଙ୍କ ସହ ବସି ହସିବାକୁ ଲାଗିଲେ। କେବଳ ଏତିକି ନୁହେଁ, ରୋହିତଙ୍କ ଏହି ଉତ୍ତର ବିଷୟରେ ସେ ବଟଲରଙ୍କୁ ମଧ୍ୟ କହିଥିଲେ ଏବଂ ପରେ ବଟଲର୍ ମଧ୍ୟ ହସିଥିଲେ।
— Bhole Chature (@memekidiwani) October 4, 2023
ସୂଚନାଯୋଗ୍ୟ, ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୧୯ ବିଶ୍ୱକପର ଫାଇନାଲ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା। ପ୍ରଥମେ ମ୍ୟାଚ୍ ଡ୍ର ହୋଇଥିଲା। ଏହାପରେ ଏକ ସୁପର ଓଭର କରାଯାଇଥିଲା, କିନ୍ତୁ ସୁପର ଓଭର ମଧ୍ୟ ଡ୍ର ରହିଥିଲା ଏବଂ ପରେ ବାଉଣ୍ଡ୍ରି କାଉଣ୍ଟିଂରେ ବିଜେତା ଘୋଷିତ ହୋଇଥିଲା। ଇଂଲାଣ୍ଡର ବାଉଣ୍ଡ୍ରି ଅଧିକ ହେବାରୁ ଉକ୍ତ ଟିମକୁ ବିଜେତା ଘୋଷିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ବିଶ୍ୱକପ ଅକ୍ଟୋବର ୫ ତାରିଖରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚରୁ ଆରମ୍ଭ ହେବ।