ଆଜି ଜନ୍ମଦିନ: ଓଡ଼ିଶା ପ୍ରଦେଶର ଅନ୍ୟତମ ନିର୍ମାତା ହରେକୃଷ୍ଣ ମହତାବ – Utkal Mail

୧୮୯୯ ମସିହା ଆଜି ଦିନରେ ଜନ୍ମ ହୋଇଥିଲେ ଓଡ଼ିଶା ପ୍ରଦେଶର ଅନ୍ୟତମ ନିର୍ମାତା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ। ବାଲ୍ୟକାଳରୁ ସେ ଅତ୍ୟନ୍ତ ବୁଦ୍ଧିମାନ, ସ୍ବାଧୀନଚେତା ଓ ସାହସୀ ଥିଲେ। ୧୯୨୦ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହିତ ସେ ନାଗପୁର କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ। ୧୯୨୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ହରେକୃଷ୍ଣ ସ୍ନାତକ ପଢ଼ା ଛାଡ଼ି ସ୍ବାଧୀନତା ସଂଗ୍ରାମୀ ପାଲଟିଥିଲେ। ସେହି ବର୍ଷ ମହାତ୍ମା ଗାନ୍ଧୀ ଓଡ଼ିଶା ଆସିଥିବା ବେଳେ ସେ ତାଙ୍କ ସହିତ ପଦଯାତ୍ରା କରିଥିଲେ। ୧୯୨୩ ମସିହାରେ ସେ ବାଲେଶ୍ବର ଜିଲ୍ଲା ବୋର୍ଡ ଚେଆରମ୍ୟାନ ନିର୍ବାଚିତ ହୋଇଥିଲେ। ୧୯୨୪ ମସିହାରେ ସେ ସାପ୍ତାହିକ ‘ପ୍ରଜାତନ୍ତ୍ର’ ପ୍ରକାଶନ ଆରମ୍ଭ କରିଥିଲେ। ୧୯୩୦ରେ ସେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିର୍ବାଚିତ ହୋଇଥିଲେ। ଦେଶବ୍ୟାପୀ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ମହତାବ ଲାଠିମାଡ଼ ଖାଇଥିଲେ ଏବଂ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ପାଇଁ କାରାବରଣ କରିଥିଲେ।
୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ସେ ପୁଣି ଥରେ ବନ୍ଦୀ ହୋଇଥିଲେ। କାରାବାସରେ ସେ ପଣ୍ଡିତ ଜବାହରଲାଲ ନେହେରୁ, ଆଚାର୍ଯ୍ୟ କୃପାଳିନୀ, ସର୍ଦାର ପଟେଲ ପ୍ରମୁଖଙ୍କ ଘନିଷ୍ଠ ସଂସ୍ପର୍ଶରେ ଆସିଥିଲେ। ୧୯୪୬ ମସିହା ନିର୍ବାଚନରେ କଂଗ୍ରେସ ଦଳ ବିଜୟଲାଭ କରି ତାଙ୍କ ନେତୃତ୍ବରେ ଓଡ଼ିଶାର ମନ୍ତ୍ରିମଣ୍ଡଳ ଗଢ଼ିଥିଲା। ସେ ସ୍ବାଧୀନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୪୬ରୁ ୧୯୫୦ ମସିହା ଏବଂ ୧୯୫୬ରୁ ୧୯୬୧ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ। ତାଙ୍କ ଶାସନ ଅମଳରେ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତର ହୋଇଥିଲା। ତାଙ୍କ କାର୍ଯ୍ୟକାଳରେ ନୂତନ ସଚିବାଳୟ, ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଲଳିତକଳା ଏକାଡେମୀ, ରବୀନ୍ଦ୍ର ମଣ୍ଡପ, ହୀରାକୁଦ ନଦୀବନ୍ଧ, ମାଛକୁଣ୍ଡ ଜଳଭଣ୍ଡାର ଓ ଜଳବିଦ୍ୟୁତ୍ ଯୋଜନା, କଟକର ଧାନ ଗବେଷଣା କେନ୍ଦ୍ର ଇତ୍ୟାଦି ସ୍ଥାପିତ ହୋଇଥିଲା। ୧୯୫୦ ମସିହାରୁ ୧୯୫୨ ପର୍ଯ୍ୟନ୍ତ ସେ ଜବାହରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଥିଲେ। ୧୯୫୪ରେ ସେ ବମ୍ବେର ରାଜ୍ୟପାଳ ହୋଇଥିଲେ। ୧୯୭୭ରେ ସେ ରାଜନୀତିରୁ ଅବସର ନେଇଥିଲେ। ‘ଉତ୍କଳକେଶରୀ’ ନାମରେ ପ୍ରସିଦ୍ଧ ହରେକୃଷ୍ଣ ୧୯୮୭ ଜାନୁଆରି ୨ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।