ବ୍ୟବସାୟ

ଦହିବରା ପ୍ରେମରେ ଶିଳ୍ପପତି, ସେଲିବ୍ରିଟି ସେଫ୍‌ – Utkal Mail


ଭାରି ସୁଆଦିଆ, ଓଡ଼ିଶା ବାହାରକୁ ଯାଇପାରିନି: ହର୍ଷ ଗୋଏଙ୍କା

ଭୁବନେଶ୍ବର: ଓଡ଼ିଶାର ସବୁଠୁ ସୁଆଦିଆ ଜଳଖିଆ ଦହିବରା ଆଳୁଦମ୍‌କୁ ଦେଶର ଅଗ୍ରଣୀ ଶିଳ୍ପପତି ହର୍ଷ ଗୋଏଙ୍କା ଓ ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା ପ୍ରଶଂସା କରିଛନ୍ତି। ସିଏଟ୍‌ ଟାୟାର ନିର୍ମାଣ କରୁଥିବା ସଂସ୍ଥା ଆରପିଜି ଏଣ୍ଟରପ୍ରାଇଜେସ୍‌ର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ଓଡ଼ିଶାର ଦହିବରାକୁ ପ୍ରଶଂସା କରିଛନ୍ତି। ସେହିପରି ନିକଟରେ ଓଡ଼ିଶା ଆସିଥିବା ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା ମଧ୍ୟ ଏହାକୁ ଏକ ବହୁତ ବଢ଼ିଆ ଖାଦ୍ୟ ବୋଲି କହିଛନ୍ତି। ରାସ୍ତା ପାର୍ଶ୍ବରେ ସେ ଦହିବରା ଖାଇଥିଲେ। ଉତ୍ତର ଭାରତରେ ମିଳୁଥିବା ଦହିବରାଠାରୁ ତାହା ଭିନ୍ନ ଥିଲା। ପ୍ରସ୍ତୁତିକୁ ଦେଖି ଖାଇବେ ନା ନାହିଁ ତାହାକୁ ନେଇ ସେ ପ୍ରଥମେ ଦ୍ବନ୍ଦ୍ବରେ ରହିଥିଲେ। ମାତ୍ର ଖାଇବା ପରେ ଦହିବରାକୁ ପ୍ରଶଂସା ନକରି ସେ ରହିପାରିନଥିଲେ।

ସାମାଜିକ ଗଣମାଧ୍ୟମରେ ‘ଏକ୍ସ’ରେ ବେଶ୍‌ ସକ୍ରିୟ ଥିବା ଗୋଏଙ୍କା ଲେଖିଛନ୍ତି ଯେ ଦହିବରା ଆଳୁଦମ ଭାରି ସୁଆଦିଆ ହୋଇଥିଲେ ମଧ୍ୟ ଓଡ଼ିଶା ବାହାରକୁ ଆସିବାର ବାଟ ପାଇନାହିଁ। ଯେତେବେଳେ ସୁଯୋଗ ମିଳୁଛି ତାହାର ସ୍ବାଦ ଉପଭୋଗ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ତାହା ବେଶ ସ୍ବାଦିଷ୍ଟ ବୋଲି ସେ ଲେଖିବା ସହ ଦହିବରା ବିକ୍ରି ହେଉଥିବା ସମୟର ଏକ ଭିଡିଓ ସେୟାର କରିଛନ୍ତି। ତେବେ ଜଣେ ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତରରେ ସେ ସ୍ପଷ୍ଟ କରିଛନ୍ତି ଯେ ନିକଟ ଅତୀତରେ ଓଡ଼ିଶା ଆସି ସେ ଦହିବରା ଖାଇନାହାନ୍ତି।

ସେହି ଲେଖା ଉପରେ ପ୍ରତିକିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ ଓଡ଼ିଶାରେ ରାସ୍ତା ପାର୍ଶ୍ବରେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥ ମଧ୍ୟରେ ଦହିବରା ଆଳୁଦମକୁ ସୁପର‌ଷ୍ଟାର ମାନ୍ୟତା ମିଳିଛି। ଓଡ଼ିଶାର ଏହି ଖାଦ୍ୟର ଲୋକପ୍ରିୟତା ଦେଖି ଖୁସି ଲାଗୁଛି। ଏହା ଯେଭଳି ଗୁରୁତ୍ବ ପାଇବାକୁ ହକଦାର ତାହା ପାଇଛି। ସେଥିପାଇଁ ସେ ଶ୍ରୀ ଗୋଏଙ୍କାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୋଏଙ୍କା ଦହିବରା ଆଳୁଦମ୍‌ ଖାଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button