ଦିନେ ମୁମ୍ବାଇ ରାସ୍ତାରେ ବିକୁଥିଲେ ବହି; ଏବେ ଦୁବାଇରେ ଥିବା ଧନୀ ଭାରତୀୟଙ୍କ ମଧ୍ୟରୁ ଜଣେ… – Utkal Mail
ନୂଆଦିଲ୍ଲୀ: ଅନେକ ବ୍ୟବସାୟୀ ଅଛନ୍ତି, ଯେଉଁମାନେ ନାନା ଅସୁବିଧାର ସମ୍ମୁଖୀନ ହେବା ଏବଂ ଆର୍ଥିକ ପୃଷ୍ଠଭୂମି ନଥିବା ସତ୍ତ୍ୱେ ସଫଳତାର ସହ ନିଜର ବ୍ୟବସାୟ ବୃଦ୍ଧି କରିବାରେ ସମର୍ଥ ହୋଇଛନ୍ତି। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଡାନୁବ ଗ୍ରୁପର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ରିଜୱାନ ସାଜନ।
ସେ ୟୁଏଇର ଜଣେ ପ୍ରବାସୀ ଭାରତୀୟ ବ୍ୟବସାୟୀ; ଯିଏ କି ଦିନେ ଜଣେ ସେଲ୍ସମ୍ୟାନ୍ ଭାବରେ ନିଜର ଯାତ୍ରା ଆରମ୍ଭ କରିଥିଲେ ଏବଂ ଆଜି ସେ ଦୁବାଇର ସବୁଠାରୁ ଧନୀ ଭାରତୀୟମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଡାନୁବ ଗ୍ରୁପ୍ ହେଉଛି ଏକ ବିଲିୟନ ଡଲାର ମୂଲ୍ୟର ଏକ ବୃହତ୍ତମ ନିର୍ମାଣ ସାମଗ୍ରୀ କମ୍ପାନି ଏବଂ ୟୁଏଇ, ଓମାନ, ବାହାରେନ, ସାଉଦି ଆରବ, କତର ଏବଂ ଭାରତ ସମେତ ବିଶ୍ୱବ୍ୟାପୀ ଏହି ଗ୍ରୁପ୍ର ବିବିଧ ଶାଖା ରହିଛି।
ସାଜନ ହେଉଛନ୍ତି ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ, ଯିଏ କି ମୁମ୍ବାଇର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପ୍ରାରମ୍ଭିକ ଦିନରେ ସେ ରାସ୍ତାକଡ଼ରେ ବହି ଓ ବାଣ ବିକ୍ରି କରି ଜଣେ ବିକ୍ରେତା ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ନିଜ ପରିବାର ପ୍ରତିପୋଷଣ ପାଇଁ ସେ ଘର ଘର ବୁଲି କ୍ଷୀର ମଧ୍ୟ ଯୋଗାଉଥିଲେ।
ଯେତେବେଳେ ତାଙ୍କୁ ୧୬ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇ ଯାଇଥିଲା। ଏହାପରେ ସାଜନ ୧୯୮୧ ମସିହାରେ କୁଏତରେ ଥିବା ତାଙ୍କ ମାମୁଙ୍କ ବିଲ୍ଡିଂ ମ୍ୟାଟେରିଆଲ ଦୋକାନରେ କାମ କରିବାକୁ ସେଠାକୁ ଚାଲି ଯାଇଥିଲେ। ତେବେ, ଜଣେ ବିକ୍ରେତା ଭାବରେ ନିଜର ଜୀବନ ଆରମ୍ଭ କରିଥିବା ସାଜନ ଖୁବ୍ ଶୀଘ୍ର କ୍ୟାରିୟର ସିଡି ଚଢ଼ିଥିଲେ। ହେଲେ, ୧୯୯୧ରେ ଉପସାଗରୀୟ ଯୁଦ୍ଧ ତାଙ୍କୁ ମୁମ୍ବାଇ ଫେରିବାକୁ ବାଧ୍ୟ କରିଥିଲା। ଏହି ସମୟରେ ତାଙ୍କ ସଂଘର୍ଷରେ ତାଙ୍କୁ ସମର୍ଥନ କରିବା ପାଇଁ ସେ ତାଙ୍କ ଜୀବନସାଥୀଙ୍କୁ ମଧ୍ୟ ପାଇଥିଲେ।
୧୯୯୩ ମସିହାରେ, ସେ ଡାନୁବ ଗ୍ରୁପ୍ ଆରମ୍ଭ କରିଥିଲେ। ସଂପ୍ରତି ଡାନୁବ ଗ୍ରୁପ୍ ନିର୍ମାଣ ସାମଗ୍ରୀ, ଗୃହ ସଜ୍ଜା ଉପକରଣ ଏବଂ ରିଅଲ ଇଷ୍ଟେଟ୍ ବିକାଶ କ୍ଷେତ୍ରରେ ଏକ ବିବିଧ ବ୍ୟବସାୟିକ ଗୋଷ୍ଠୀରେ ପରିଣତ ହୋଇଛି। ଏହି ଗ୍ରୁପ୍ ୨୦୧୯ରେ ବାର୍ଷିକ ୧.୩ ବିଲିୟନ ଡଲାରର କାରବାର କରିଛି। ସାଜନଙ୍କ ବ୍ୟକ୍ତିଗତ ସମ୍ପତ୍ତି କୋଟି କୋଟି ଦିରହାମ (ଦୁବାଇ ମୁଦ୍ରା)ରେ ରହିଛି। ୟୁଏଇର ଅର୍ଥ ମନ୍ତ୍ରାଳୟର ୱେବସାଇଟ୍ ଅନୁଯାୟୀ ସାଜନଙ୍କ ସମ୍ପତ୍ତି ୨.୫ ବିଲିୟନ ଡଲାର, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୨୦,୮୩୦ କୋଟି ଟଙ୍କା।